ନୂଆଗାଁ ଜଙ୍ଗଲ ମଧ୍ୟରେ ଅଚଳ ହେଲା ମେମୁ ଟ୍ରେନ୍‌

0 2

ବାରମ୍ବାର ଅଚଳ ହେଉଥିବା ଏହି ଟ୍ରେନ ବଦଳାଇବା ପାଇଁ ନୟାଗଡ଼ ନାଗରିକ ମଞ୍ଚର ଦାବି

ନୟାଗଡ଼,01/07(ଲକ୍ଷ୍ମୀଧର ସାହୁ): ନୂଆଗାଁ ରୋଡ଼ରୁ ଭୁବନେଶ୍ୱର ଯାଉଥିବା ମେମୁ ଟ୍ରେନଟି ଆଜି ନୂଆଗାଁ ଜଙ୍ଗଲ ମଧ୍ୟରେ ଅଚଳ ହୋଇ ଯାଇଥିଲା । ନୂଆଗାଁ ରୋଡ଼ରୁ ଅପରାହ୍ନ ୪:୧୫ରେ ଏହି ଟ୍ରେନ ଛାଡ଼ିବାର କିଛି କିଲୋମିଟର ଦୂର ତଥା ମହୀପୁର ଷ୍ଟେସନ ପହଞ୍ଚିବା ପୂର୍ବରୁ ନୂଆଗାଁ ଜଙ୍ଗଲ ମଧ୍ୟରେ ଏହାର ଇଞ୍ଜିନ ଅଚଳ ହୋଇଯାଇଥିଲା । ଏହାର ଲୋକ ପାଇଲଟ ଟ୍ରେନ ନିର୍ମାଣ କରିଥିବା କମ୍ପାନୀ ସହିତ ଯୋଗାଯୋଗ କରି ଟ୍ରେନ ମରାମତି କରିବା ପରେ ଟ୍ରେନଟି ପ୍ରାୟ ଅଧଘଣ୍ଟା ବିଳମ୍ବରେ ଛାଡ଼ିଥିଲା । ଫଳରେ ଏଥିରେ ଭୁବନେଶ୍ୱର ଯିବା ପାଇଁ ବସିଥିବା ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ସୂଚନା ଯୋଗ୍ୟ ଯେ ନୟାଗଡ଼ ଭୁବନେଶ୍ୱର ମଧ୍ୟରେ ଚଳାଚଳ କରୁଥିବା ଏହି ଏକମାତ୍ର ମେମୁ ଟ୍ରେନଟି ବାରମ୍ବାର ଅଚଳ ହେଉଥିବା ବେଳେ ଏହି ଟ୍ରେନକୁ ବଦଳାଇ ପୂର୍ବରୁ ନୟାଗଡ଼ ଭୁବନେଶ୍ୱର ମଧ୍ୟରେ ଚାଲୁଥିବା ମେମୁ ଟ୍ରେନକୁ ପୁନର୍ବାର ଏଠାରୁ ଚଳାଇବାକୁ ବିଗତ ଦିନରେ ନୟାଗଡ଼ ନାଗରିକ ମଞ୍ଚ ପକ୍ଷରୁ ରେଳ ବିଭାଗ ନିକଟରେ ଦୃଢ଼ ଦାବି କରାଯାଇଥିଲା । ସେବା ଏକ୍ସପ୍ରେସ ଟ୍ରେନ (ନଂ-୧୮୪୨୩/୧୮୪୨୪) ନାମରେ ନୟାଗଡ଼ ଟାଉନ-ଭୁବନେଶ୍ୱର ଏବଂ ନୂଆଗାଁ ରୋଡ଼-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ (ନଂ-୦୮୪୨୩/୦୮୪୨୪) ନାମରେ ଚଳାଚଳ କରୁଥିବା ଏହି ମେମୁ ଟ୍ରେନର ଇଞ୍ଜିନ ବାରମ୍ବାର ଅଚଳ ହେଉଛି । ଫଳରେ ନିର୍ଦ୍ଧାରିତ ସମୟର ବହୁ ବିଳମ୍ବରେ ଚାଲୁଥିବା ଏହି ଟ୍ରେନ ଉପରେ ନିର୍ଭର କରୁଥିବା ଯାତ୍ରୀମାନେ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି । ସୂଚନା ଥାଉକି ପୂର୍ବରୁ ଠିକଭାବେ ଚଳାଚଳ କରୁଥିବା ମେମୁ ଟ୍ରେନକୁ ଏହି ରୁଟରୁ ହଟାଇ ଅନ୍ୟ ଏକ ମେମୁ ଟ୍ରେନ ଗତ କିଛି ମାସ ପୂର୍ବରୁ ଏହି ରୁଟରେ ଚଲାଯାଉଛି । ଅନ୍ୟପକ୍ଷରେ ନୟାଗଡ଼ ଜିଲ୍ଲା ପ୍ରତି କ୍ରମାଗତ ଭାବେ ରେଳ ବିଭାଗର ବୈମାତୃକ ମନୋଭାବ ନେଇ ବିଭିନ୍ନ ନାଗରିକ ସଂଗଠନ,ବୁଦ୍ଧିଜୀବୀ ତଥା ସ୍ଥାନୀୟ ଜନସାଧାରଣଙ୍କ ପକ୍ଷରୁ ଘୋର ଉଦବେଗ ପ୍ରକାଶ ପାଇଛି ।

Leave A Reply

Your email address will not be published.