ବାଲେଶ୍ୱର ରେଳ ଦୁର୍ଘଟଣା ସ୍ଥଳ ଏବଂ ପାଶ୍ୱବର୍ତ୍ତୀ ଅଞ୍ଚଳରେ ଛାତ୍ରଛାତ୍ରୀ ଓ ଗୋଷ୍ଠୀ ସଦସ୍ୟଙ୍କ ନିମନ୍ତେ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ‘ସ୍ନେହ ସୃଜନ’ କାର୍ଯ୍ୟକ୍ରମ

0

ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲାର ବାହାନଗାଠାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣା ସାରା ରାଷ୍ଟ୍ରକୁ ସ୍ତବ୍ଧ କରିଦେଇଥିବାବେଳେ ମୃତକ, ଆହତ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କ ନିମନ୍ତେ ଜରୁରୀକାଳୀନ ସହାୟତା ଆବଶ୍ୟକ ପଡିଥିଲା । ଦୁର୍ଘଟଣା ସ୍ଥଳକୁ ଟିକିନିଖି ଭାବରେ ତନଖି କରିବା ଏବଂ ପ୍ରଭାବିତ ତଥା ଉଦ୍ଧାରକାରୀ ଦଳଗୁଡିକର ଆବଶ୍ୟକତା ପ୍ରତି ଦୃଷ୍ଟିଦେବା ନିମନ୍ତେ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ତତ୍‍କ୍ଷଣାତ ଫେସ୍‍ ମାସ୍କ, ସର୍ଜିକାଲ ଗ୍ଲୋଭ୍‍ସ୍‍, ବେଡସିଟ୍‍, ଔଷଧ, ପାନୀୟ ଜଳ ଓ ଖାଦ୍ୟ ଆଦି ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀ ଦୁର୍ଘଟଣାସ୍ଥଳରେ ନିୟୋଜିତ ପୋଲିସ କର୍ମଚାରୀ ଓ ସ୍ୱେଚ୍ଛାସେବୀମାନଙ୍କୁ ଯୋଗାଇ ଦିଆଯାଇଥିଲା । ଦୁର୍ଘଟଣାରେ ପ୍ରଭାବିତଙ୍କ ଅପୂରଣୀୟ କ୍ଷତିକୁ ଦୃଷ୍ଟିରେ ରଖି ରିଲାଏନ୍ସ ଫାଉଣ୍ଡେସନ୍‍ ସ୍ୱଳ୍ପ ଓ ଦୀର୍ଘାବଧି ସୂତ୍ରରେ ୧୦ ସୂତ୍ରୀ ରିଲିଫ ଯୋଜନା ଘୋଷଣା କରିଥିଲା ।

ଦୁର୍ଘଟଣାସ୍ଥଳ ନିକଟରେ ଅବସ୍ଥିତ ଥିବା ଏବଂ ଜରୁରୀକାଳୀନ ଉଦ୍ଧାର ଆଦି ସହିତ ଦୁର୍ଘଟଣାରେ ମୃତକମାନଙ୍କ ଶବଗୁଡିକୁ ରଖିବା କାର୍ଯ୍ୟରେ ବ୍ୟବହାର କରାଯାଇଥିବା ବାହାନଗା ହାଇସ୍କୁଲ ବିଷୟକୁ ନେଇ ଛାତ୍ର ଛାତ୍ରୀ ଏବଂ ଗୋଷ୍ଠୀ ସଦସ୍ୟମାନଙ୍କ ମଧ୍ୟରେ ଆଶଙ୍କା ଏବଂ ଭୟ ସୃଷ୍ଟି ହୋଇଥିଲା । ଘଟଣା ସମ୍ପର୍କରେ ଅବଗତ ଥିବା କେତେକ ଜନସାଧାରଣ ବିଦ୍ୟାଳୟକୁ ସେମାନଙ୍କ ପିଲାମାନଙ୍କୁ ପଠାଇବାକୁ କୁଣ୍ଠା ପ୍ରକାଶ କରିଥିଲେ । ଏହି ପୃଷ୍ଠଭୂମିରେ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ବାଲେଶ୍ୱର ଜିଲ୍ଲା ପ୍ରଶାସନ ଏବଂ ବାହାନଗା ହାଇସ୍କୁଲ ପରିଚାଳନା କମିଟି ସହଯୋଗରେ ପିଲାମାନଙ୍କ ମଧ୍ୟରେ ସ୍କୁଲ ଯିବା ନିମନ୍ତେ ସୃଜନଶୀଳ ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ ଏକ ତିନିଦିନିଆ ପ୍ରେରଣାଦାୟୀ କାର୍ଯ୍ୟକ୍ରମ ଛାତ୍ର ଛାତ୍ରୀ, ପିତାମାତା ଏବଂ ବିଦ୍ୟାଳୟର ଅନ୍ୟ ସହଭାଗୀମାନଙ୍କ ନିମନ୍ତେ ଆୟୋଜନ କରାଯାଇଥିଲା । ଭୟାବହ ଦୁର୍ଘଟଣା ପରେ ପିଲାମାନେ ଓ ସେମାନଙ୍କ ପିତା ମାତାଙ୍କ ମାନସିକ ସ୍ତରରେ ସୃଷ୍ଟି ହୋଇଥିବା ପରିସ୍ଥିତିର ମୁକାବିଲା କରିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଥିଲା ।

ଆବଶ୍ୟକତାକୁ ଉପଲବ୍ଧି କରି ରିଲାଏନ୍ସ ଫାଉଣ୍ଡେସନ ଛାତ୍ରଛାତ୍ରୀ, ପିତା ମାତା, ଶିକ୍ଷକ ଶିକ୍ଷୟିତ୍ରୀ, ସ୍କୁଲ ପରିଚାଳନା କମିଟି ଏବଂ ବାହାନଗା ବ୍ଳକ୍‍ର ପ୍ରାକ୍ତନ ଛାତ୍ର ଛାତ୍ରୀଙ୍କ ପାଇଁ ‘ସ୍ନେହ ସୃଜନ’ ନାମରେ ଏହି ନିୟୋଜନକାରୀ କାର୍ଯ୍ୟକ୍ରମ ଆୟୋଜନ କରିଥିଲା । ବାହାନଗା ବ୍ଳକ୍‍ର ଅସିମିଲ୍ଲା, ବାହାନଗା, ଇଛାପୁର, କମାରିପୁର, ପଥରପେଣ୍ଠ ଏବଂ ସତୀ ଆଦି ଛଅଟି ଗ୍ରାମରେ ସ୍ନେହ ସୃଜନ ଆୟୋଜିତ ହୋଇଥିଲା । ଏହି ଅଭିଯାନରେ ଚଳିତ ବର୍ଷ ଜୁନ୍‍ ୧୮ରୁ ୨୦ ତାରିଖ ମଧ୍ୟରେ ୧୮୨ ଛାତ୍ର ଛାତ୍ରୀ, ୭୨ ଜଣ ପିତା ମାତା, ପୂର୍ବତନ ଛାତ୍ର ଛାତ୍ରୀ, ଏସ୍‍ଏମସି ସଦସ୍ୟ ଏବଂ ୧୦ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଅଂଶଗ୍ରହଣ କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ବାହାନଗା ବିଡିଓ ଗୌରାଙ୍ଗ ଚରଣ ଘୋଷ ସ୍ୱାଭାବିକ ଢଙ୍ଗରେ ସ୍କୁଲରେ ପାଠପଢା ପୁଣି ଆରମ୍ଭ କରିବା ନିମନ୍ତେ ପିତାମାତା, ଛାତ୍ରଛାତ୍ରୀ ଏବଂ ଗୋଷ୍ଠୀ ସଦସ୍ୟମାନଙ୍କୁ ପ୍ରବର୍ତ୍ତାଇବାକୁ ସମସ୍ତ ସହଭାଗୀ ପ୍ରୟାସ କରିବାକୁ ଅନୁରୋଧ କରିଥିଲେ ।

ଅଂଶଗ୍ରହଣକାରୀଙ୍କ ମଧ୍ୟରେ ମାନସିକ ଦୁସ୍ଥିତି ଦୂର କରିବା ପାଇଁ ଏହି ଅଭିଯାନ ସମୟରେ ଆର୍ଟ ଥେରାପିକୁ ଏକ ମାଧ୍ୟମ ଭାବରେ ବ୍ୟବହାର କରାଯାଇଥିଲା । ପିଲାମାନଙ୍କୁ ନିୟୋଜିତ କରି ରଖିବାକୁ ଚକଟା ମାଟିରୁ ମଡେଲ ପ୍ରସ୍ତୁତି, ଚିତ୍ରାଙ୍କନ, କଳା ଓ କାରିଗରୀ, ବେଲୁନ ଖେଳ, ଗୀତ, ନୃତ୍ୟ ଆଦି ବିବିଧ କାର୍ଯ୍ୟକଳାପର ବ୍ୟବହାର କରାଯାଇଥିଲା । ମୋଟର କୁଶଳତାରେ ଉନ୍ନତି ଆଣିବା, ଚାପଗ୍ରସ୍ତ ପରିସ୍ଥିତିର ମୁକାବିଲା, କୁସଂସ୍କାର ଓ ଅନ୍ଧବିଶ୍ୱାସକୁ ଅଣଦେଖା କରିବା, ମନରୁ ଭୟ ଦୂର କରିବା ଏବଂ ମାନସିକ ଚାପ ସମୟରେ ପିତା ମାତାଙ୍କ ପକ୍ଷରୁ ଯତ୍ନ ନିଆଯିବା ସକାଶେ ଏହି ସମସ୍ତ କାର୍ଯ୍ୟକଳାପ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିବେଚିତ ହେଉଛି । ପରିଶେଷରେ ଏହି ଅଭିଯାନ ସମସ୍ତ ସାମାଜିକ ପ୍ରତିବନ୍ଧକକୁ ଭାଙ୍ଗି ବିଦ୍ୟାଳୟ ଯିବାକୁ ପ୍ରସ୍ତୁତି ନିମନ୍ତେ ପିଲାମାନଙ୍କ ମଧ୍ୟରେ ମନୋବଳ ବୃଦ୍ଧି କରିପାରିଥିଲା । ମାନସିକ ସ୍ୱାସ୍ଥ୍ୟ ବିଶେଷଜ୍ଞ ମଧୁମିତା ଦାସ ଏବଂ ଶିଶୁ ସୁରକ୍ଷା, ଶିକ୍ଷା ଓ ବିଦ୍ୟାଳୟ ନିରାପତ୍ତା ବିଶେଷଜ୍ଞ ଯୁଧିଷ୍ଠିର ପାଣିଗ୍ରାହୀ ଏହି ତିନିଦିନିଆ କାର୍ଯ୍ୟକ୍ରମ ଅବସରରେ ସାଧନ ବ୍ୟକ୍ତି ଭାବରେ କାର୍ଯ୍ୟ କରିଥିଲେ ।

ବାହାନଗା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ପ୍ରମିଳା ସ୍ୱାଇଁ, ବିଜ୍ଞାନ ସ୍ନାତକ ତଥା ଶିକ୍ଷକ ପଦ୍ମଲୋଚନ ମଲିକ, ବାହାନଗା ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ ଶିକ୍ଷକ ଖଗପତି ଜେନା ଏବଂ ବାହାନଗା ଉଚ୍ଚ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ଆଶିଷ କୁମାର ସାହୁ ଶିକ୍ଷା ବ୍ୟତୀତ ଅନ୍ୟାନ୍ୟ କାର୍ଯ୍ୟକଳାପର ଗୁରୁତ୍ୱ ସମ୍ପର୍କରେ ଛାତ୍ର ଛାତ୍ରୀଙ୍କୁ ସଚେତନ କରାଇବା ସହିତ ସେମାନଙ୍କୁ ପ୍ରେରଣା ଦେଇଥିଲେ ।

Leave A Reply

Your email address will not be published.