ଉପାନ୍ତ ଶ୍ରୀକ୍ଷେତ୍ର ପାରଳାଖେମୁଣ୍ଡି ଠାରେ ଶ୍ରୀଜିଉ ମାନଙ୍କ ପବିତ୍ର ରଥଯାତ୍ରା

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଉପାନ୍ତ ଶ୍ରୀକ୍ଷେତ୍ର ପାରଳାଖେମୁଣ୍ଡି ଠାରେ ଚତୁର୍ଦ୍ଧା ମୂର୍ତ୍ତି ତଥା ଶ୍ରୀଜୀଉଙ୍କ ପବିତ୍ର ଶ୍ରୀ ଗୁଣ୍ଡିଚା ଯାତ୍ରା ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ ହୋଇଯାଇଛି।
ଏହି ଅବସରରେ ପୂର୍ବାହ୍ନରେ ତିନି ଠାକୁରଙ୍କ ତିନି ରଥ ଯଥା ତାଳଧ୍ଵଜ , ଦର୍ପଦଳନ, ଓ ନନ୍ଦିଘୋଷ ରଥ ପ୍ରତିଷ୍ଠା ଓ ସଂସ୍କାର କାର୍ଯ୍ୟ ସମ୍ପନ୍ନ ହେବା ପରେ ଶ୍ରୀ ମନ୍ଦିରରେ ତିନି ଠାକୁରଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା ଅବସରରେ ସେନାପଟା ଓ ପାରମ୍ପରିକ ପୂଜାର୍ଚ୍ଚନା ନୀତି ଅନୁଷ୍ଠିତ ହୋଇଥିଲା।
ତା ପରେ ଗୋଟି ପହଣ୍ଡିରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ପହଣ୍ଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ପ୍ରଥମେ ପ୍ରଭୁ ସୁଦର୍ଶନଙ୍କ ପହଣ୍ଡି ହେବା ପରେ ତିନି ଠାକୁରଙ୍କୁ ରଥ ଉପରକୁ ପହଣ୍ଡି ବିଜେ ହୋଇଥିଲା।
ଏହି ଅବସରରେ ତିନି ଠାକୁରଙ୍କ ରଥ ଉପରେ ଛେରା-ପଅଂରା କାର୍ଯ୍ୟକ୍ରମ ପାଇଁ ରାଜ ପ୍ରାସାଦରୁ କଲ୍ୟାଣୀ ଗଜପତି ନାରାୟଣ ଦେବ ଗାଡିରେ ଆସି ତିନି ରଥ ଉପରେ ଛେରା ପାଅଂରା କାର୍ଯ୍ୟ ସମ୍ପନ୍ନ କରିଥିଲେ।
ଅପରାହ୍ନ ୫ ଟାରେ ରଥଟଣା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଚଳିତ ବର୍ଷ ରଥଯାତ୍ରା ଦେଖିବା ପାଇଁ ପାରଳା ସହର ସମେତ ପୁରପଲ୍ଲୀ ଓ ପଡୋଶୀ ଆନ୍ଧ୍ରର ବିଭିନ୍ନ ଅଞ୍ଚଳରୁ ଲକ୍ଷାଧିକ ଶ୍ରଦ୍ଧାଳୁ ଭକ୍ତଙ୍କ ସମାଗମ ହୋଇଥିଲା ।
ମା ସୁଭଦ୍ରାଙ୍କ ରଥକୁ ମହିଳା ମାନେ ପ୍ରବଳ ଉତ୍ସାହ ଓ ଉଦ୍ଦୀପନାର ସହ ଟାଣିଥିଲେ ଏବଂ ଏଥିରେ ହଜାର ହଜାର ସଂଖ୍ୟାରେ ମହିଳା ଓ ଯୁବତୀ ମାନେ ସାମିଲ ଥିଲେ ।
ସେହିଭଳି ପ୍ରଭୁ ବଳଭଦ୍ରଙ୍କ ତାଳଧ୍ଵଜ ଏବଂ ପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥକୁ ଶ୍ରଦ୍ଧାଳୁ ଭକ୍ତମାନେ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ଟାଣି ନେଇଥିଲେ।
ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା ଏବଂ ଏସପି ସୁଶ୍ରୀ ଏସ: ସ୍ଵାତୀ କୁମାରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବହୁ ସଂଖ୍ୟାରେ ଜିଲ୍ଲା ପ୍ରଶାସନିକ ଅଧିକାରୀ ଓ ପୋଲିସ ଅଧିକାରୀ ଓ ପୋଲିସ ବାହିନୀ ମୃତୟନ ଥିଲେ।

Leave A Reply

Your email address will not be published.