କବି କଳହଂସ ଗୋପାଳକୃଷ୍ଣଙ୍କ ଜୟନ୍ତୀ ପାଳିତ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀ ଓ ଭକ୍ତି ସଙ୍ଗୀତ ସଂସଦର ମିଳିତ ସହଯୋଗରେ କବି କଳହଂସ ଗୋପାଳକୃଷ୍ଣଙ୍କ ଜୟନ୍ତୀ ପାରଳା ଟାଉନ୍ ହଲ୍ ଠାରେ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମକୁ ଦେବୀ ମଠର ମହନ୍ତ ଶ୍ରୀ ରାମାନନ୍ଦ ଦାସଜୀ ଉଦଘାଟନ କରିଥିଲେ। ଭକ୍ତି ସଙ୍ଗୀତ ସଂସଦର ସମ୍ପାଦକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ରଥ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।
ଏହି ଅବସରରେ ଅନ୍ୟତମ ଅତିଥି ବୃନ୍ଦ ଶ୍ରୀ ବିରେନ୍ଦ୍ର କୁମାର ଦାସ , ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) , ଜ୍ଞାନ ରଞ୍ଜନ ମାଝୀ , ଡେପୁଟି କଲେକ୍ଟର , ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ, ଜିଲ୍ଲା ସଂସ୍କୃତି ଅଧିକାରୀ , ଶ୍ରୀମତି ନିର୍ମଳା ସେଠୀ , ପାରଳା ପୌରାଧ୍ୟକ୍ଷା , ଶ୍ରୀ ବନମାଳୀ ଶତପଥୀ
ନିର୍ବାହୀ ଅଧିକାରୀ , ପାରଳା ପୌର ପରିଷଦ ଯୋଗ ଦେଇ ଗୋପାଳକୃଷ୍ଣଙ୍କ ଜୀବନୀ ଓ ତାଙ୍କର ସାହିତ୍ୟ କୃତ୍ତି ଉପରେ ସ୍ମୃତି ଚାରଣ କରିଥିଲେ।
ଏହି ଅବସରରେ ନରେନ୍ଦ୍ରପୁର ସ୍ଥିତ କ୍ଷେତ୍ର ମୋହନ ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟାପକ ଡ.ହୃଷିକେଶ ପଣ୍ଡା ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଗୋପାଳକୃଷ୍ଣଙ୍କ ଜୀବନୀ ଉପରେ ଆଲୋକପାତ କରିବା ସହ ମଧ୍ୟ ଯୁଗୀୟ କବି ମାନଙ୍କ ମଧ୍ୟରେ ଶ୍ରେଷ୍ଠ ବୋଲି ଉପସ୍ଥାପନ କରିଥିଲେ। ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ଶ୍ରୀ ତୀର୍ଥବାସୀ ପଣ୍ଡା ସଭାକାର୍ଯ୍ୟ ପରିଚାଳନା କରିଥିଲେ।
ସଭା ଶେଷରେ ଉପସ୍ଥିତ ସମସ୍ତଙ୍କୁ କାର୍ଯକାରୀ ସମ୍ପାଦକ ଶ୍ରୀ ରାଜେନ୍ଦ୍ର କୁମାର ରଥ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ପାରଳାର ଅଗ୍ରଣୀ ଓଡିଶୀ ନୃତ୍ୟ ଅନୁଷ୍ଠାନ ଶ୍ରୀ ଜଗନ୍ନାଥ ଓଡିଶୀ କଳା କେନ୍ଦ୍ରର ନୃତ୍ୟ ଗୁରୁ ସୁଶ୍ରୀ ଡି . ପ୍ରିୟଙ୍କା ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ।
ପରେ ଗୁରୁ ଶ୍ରୀ ରଘୁନାଥ ପାତ୍ର ଓ ଗୁରୁ ମାଧବ ପାତ୍ରଙ୍କ ସଂଯୋଜନାରେ କବି କଳହଂସ ଗୋପାଳକୃଷ୍ଣଙ୍କ ରଚିତ ପଦ୍ୟାବଳୀରୁ ସଂଗୃହୀତ ସଙ୍ଗୀତ ଭକ୍ତି ସଙ୍ଗୀତ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପରିବେଷଣ କରାଯାଇଥିଲା। ଏହି ସାଂସ୍କୃତିକ କାର୍ଯ୍ୟକ୍ରମକୁ ଶ୍ରୀମତି ବବିତା ପୁରୋହିତ ପରିଚାଳନା କରିଥିଲେ।
ଏହି ଅବସରରେ ଅତିଥି ମାନେ ଟାଉନ ହଲ ପରିସରରେ ଥିବା ଭକ୍ତି ସଙ୍ଗୀତ ବିଦ୍ୟାଳୟର ନୂତନ ଗୃହକୁ ରିବନ କାଟି ଶୁଭ ଉଦଘାଟନ କରିଥିଲେ।

Leave A Reply

Your email address will not be published.