ନରସିଂ ବାଘ /ରାଇଘର ବ୍ଲକ: ପୁଣି କିଛି ଦିନର ବ୍ୟବଧାନ ପରେ ନବରଙ୍ଗପୁର ଜିଲ୍ଲା ସୀମାନ୍ତ ରାଇଘର ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି ମାଓ ପୋଷ୍ଟର ଓ ବ୍ୟାନର। ମାଓବାଦି ମାନେ ସେମାନଙ୍କ ସ୍ଥିତି ଜାହିର କରିବା ପାଇଁ ରାଇଘର ବ୍ଲକ ନାକଟିସିମଡ଼ା ପଞ୍ଚାୟତ ଅନ୍ତର୍ଗତ ମାରିପାରା, ଚୋଡ଼ିଆପାରା ଓ ଚିତରଭାଟି ଆଦି କେତେକ ସ୍ଥାନର ମୁଖ୍ୟ ରାସ୍ତା କଡ଼ରେ ଥିବା ଗଛ ଆଖ ପାଖରେ ପୋଷ୍ଟର, ବ୍ୟାନର ଓ ଲିଫ ଲେଟ୍ ଲଗାଇଥିବା ଦେଖିବାକୁ ମିଳିଛି।ଏହି ମାଓ ବ୍ୟାନର ଓ ପୋଷ୍ଟର ଭା.କ.ପା, ମେନପୁର ଡିଭିଜନ ମାଓବାଦୀଙ୍କ ଦ୍ବାରା ମରାଯାଇଥିବା ଉଲ୍ଲେଖ ଥିବା ବେଳେ ଗଛକଟା କୁ ତୀବ୍ର ବିରୋଧ କରିଛନ୍ତି। ଜଙ୍ଗଲ କଟାଯାଇଥିବା ଯେଉଁ ସବୁ ସ୍ଥାନରେ ଚାଷ କରାଯାଉଛି ସେସବୁ ସ୍ଥାନରେ ବନ ବିଭାଗ ଗଛ ଲଗାଇବେ ଯଦି କେହି ବନୀକରଣ କୁ ବିରୋଧ କରେ ତେବେ ତାହାକୁ ମୃତ୍ୟୁ ଦଣ୍ଡ ଦିଆଯିବ। ଏପରିକି ମାରିପାରା, ଚୋଡ଼ିଆପାରା ଏବଂ ଚିତରଭାଟିର ଜଙ୍ଗଲ ମାଫିଆ ଶୁକଡୁ ଗଣ୍ଡ,ଟୁଲୁ ଗଣ୍ଡ, ହୀରାସିଂ ଗଣ୍ଡ, ବିଜୁ ଗଣ୍ଡ, ମଣିରାମ ଗଣ୍ଡ ଓ ହରେନ୍ଦ୍ର ରାଉତ ଙ୍କୁ ମୃତ୍ୟୁଦଣ୍ଡ ଦିଆଯିବ ବୋଲି ଚେତାବନୀ ଦିଆଯାଇଛି।ଏହି ମାଓ ପୋଷ୍ଟର ଓ ବ୍ୟାନର କୁ ନେଇ ନାକଟିସିମଡ଼ା ଓ ଏହାର ଆଖ ପାଖ ଗ୍ରାମ ଗୁଡ଼ିକରେ କୋକୁଆ ଭୟର ବାତାବରଣ ସୃଷ୍ଟି ହୋଇଛି । ସୂଚନା ଯୋଗ୍ୟ ଗତ କିଛି ଦିନ ପୂର୍ବେ ନାକଟିସିମୋଡା ପଞ୍ଚାୟତ ର ଲଖନପୁର ଗ୍ରାମର ଜନେକ ବ୍ୟକ୍ତି ଙ୍କୁ ତାଙ୍କ ଘର ସମ୍ମୁଖରେ ହତ୍ୟା କରିଥିଲେ। ପରେ ପରେ ଗ୍ରାମ ବାସୀ ମାନେ ନିଜ ନିଜ ଘର ଛାଡ଼ି ବାହାରେ ରହୁଥିବା ଅବସ୍ଥାରେ ସହ ଗତ ୧/୦୬/୨୩ ରିଖରେ ଏହି ଗ୍ରାମକୁ ବିଳମ୍ବିତ ରାତିରେ ନିଆଁ ଲଗାଇ ଦେଇଥିଲେ। ଏହି ଘଟଣା ପରେ ଉପରୋକ୍ତ ହତ୍ୟା ଧମକ ପୂର୍ଣ୍ଣ ପୋଷ୍ଟର କୁ ଦେଖି ଆଖ ପାଖ ଅଂଚଳରେ ଭୟର ବାତାବରଣ ସୃଷ୍ଟି ହୋଇଥିବା ବେଳେ ସ୍ଥାନୀୟ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।
