କ୍ରମାଗତ ଭାବେ ବିଳମ୍ବିତ ରାତିରେ ଫେରୁଛି ପୁରୀ ଟ୍ରେନ, ଯାତ୍ରୀ ହନ୍ତସନ୍ତ,ନୟାଗଡ଼ ନାଗରିକ ମଞ୍ଚର ଉଦବେଗ

0 2

ନୟାଗଡ଼,(ଲକ୍ଷ୍ମୀଧର ସାହୁ) : ସନ୍ଧ୍ୟାରେ ପୁରୀରୁ ନୂଆଗାଁ ରୋଡ଼ ଅଭିମୁଖେ ବାହାରୁ ଥିବା ସ୍ୱତନ୍ତ୍ର ପାସେଞ୍ଜର ଟ୍ରେନ କ୍ରମାଗତ ଭାବେ ନୟାଗଡ଼ ଟାଉନ ଏବଂ ନୂଆଗାଁ ରୋଡ଼ରେ ବିଳମ୍ବିତ ରାତ୍ରରେ ପହଞ୍ଚୁଛି। ଫଳରେ ସକାଳୁ ପୁରୀ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଦର୍ଶନରେ ଯାଉଥିବା ଶହ ଶହ ଶ୍ରଦ୍ଧାଳୁ ବିଳମ୍ବିତ ରାତିରେ ଘରକୁ ଫେରିବା ପାଇଁ ବହୁତ ସମସ୍ୟାରେ ସମ୍ମୁଖିନ ହେଉଛନ୍ତି। ସୂଚନାଯୋଗ୍ୟ ଯେ ପ୍ରତ୍ୟହ ସକାଳ ୬.୪୫ରେ ନୂଆଗାଁରୁ ପୁରୀ ଅଭିମୁଖେ ଟ୍ରେନ ନଂ-୦୮୪୨୪ ସ୍ୱତନ୍ତ୍ର ପାସେଞ୍ଜର ଟ୍ରେନ ବାହାରି ପୁରୀରେ ସାଢ଼େ ୧୦ଟା ସୁଦ୍ଧା ପହଞ୍ଚିଥାଏ। ପୁନଶ୍ଚ ଏହି ଟ୍ରେନ ନଂ-୦୮୪୨୩ ସନ୍ଧ୍ୟା ୬ଟାରେ ପୁରୀରୁ ବାହାରି ସାଢ଼େ ୯ଟା ସୁଦ୍ଧା ନୂଆଗାଁରେ ପହଞ୍ଚି ଥାଏ। ଏହା ଦ୍ଵାରା ନୟାଗଡ଼, ନୂଆଗାଁ, ଦଶପଲ୍ଲା, ବାଣୀଗୋଛା, ମହିପୁର ଆଦି ସ୍ଥାନର ହଜାର ହଜାର ଯାତ୍ରୀ ପୁରୀ ଯାଇ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଦର୍ଶନ କରି ସୁରୁଖୁରୁରେ ଘରକୁ ଫେରିଥାନ୍ତି। ତେବେ ଗତ କିଛି ଦିନ ଧରି ଏହି ଟ୍ରେନ ବହୁ ବିଳମ୍ବରେ ଫେରୁଛି। ଏପରି କି ନୟାଗଡ଼ ଟାଉନ ଷ୍ଟେସନରେ ଏହା ରାତ୍ର ସାଢ଼େ ଏଗାରଟା ବେଳକୁ ପହଞ୍ଚୁ ଥିବା ବେଳେ ନୂଆଗାଁରେ ୧୨ଟା ରେ ପହଞ୍ଚୁଛି।ଫଳରେ ଦୂର ଦୁରାନ୍ତରୁ ଆସିଥିବା ଯାତ୍ରୀ ମାନେ ବିଳମ୍ବିତ ରାତିରେ ନିଜ ନିଜ ଘରକୁ ଫେରିବା ପାଇଁ କୌଣସି ଯାନବାହନର ସୁବିଧା ନପାଇ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅନୁସନ୍ଧାନରୁ ଜଣା ପଡ଼ିଛି ଯେ ପୁରୀରୁ ଏହି ଟ୍ରେନ ଠିକ ସମୟରେ ବାହାରୁ ଥିବା ବେଳେ ଖୋର୍ଦ୍ଧା ରୋଡ଼ ଠାରେ ଏହା ପଡ଼ି ରହୁଛି। ତେବେ ଖୋର୍ଦ୍ଧା ରୋଡ଼ରୁ ନୟାଗଡ଼ ଲାଇନ ରେ ଏହା ଏକ ମାତ୍ର ଏବଂ ଶେଷ ଟ୍ରେନ ହୋଇଥିବାରୁ ଅନ୍ୟାନ୍ୟ ବାଟ ପାସେଞ୍ଜର ମାନେ ମଧ୍ୟ ଏହା ଉପରେ ନିର୍ଭର କରିଥାନ୍ତି। ତେବେ ଏହି ରୁଟରେ ଲାଇନ ସମ୍ପୂର୍ଣ୍ଣ କ୍ଲିଅର ରହୁଥିବା ବେଳେ ଏହାକୁ କଣ ପାଇଁ ବିଳମ୍ବିତ ସମୟ ପର୍ଯ୍ୟନ୍ତ ଅଟକାଇ ରଖାଯାଉଛି ତାହାକୁ ନେଇ ବିସ୍ମୟ ପ୍ରକାଶ ପାଇଛି। ଏ ନେଇ ନୟାଗଡ଼ ଟାଉନ ଷ୍ଟେସନ ମ୍ୟାନେଜର ଙ୍କ ସହିତ ଯୋଗାଯୋଗ କରିବାରେ ସେ ଏହା ର ସଠିକ କାରଣ ଜାଣି ନ ଥିବା ପ୍ରକାଶ କରିଥିଲେ। ଅନ୍ୟପକ୍ଷରେ ଅଯଥା ଟ୍ରେନ ବିଳମ୍ବକୁ ନେଇ ନୟାଗଡ଼ ନାଗରିକ ମଞ୍ଚ ଘୋର ଉଦବେଗ ପ୍ରକାଶ କରିବା ସହିତ ଟ୍ରେନ ବିଳମ୍ବ ସମସ୍ୟା ତୁରନ୍ତ ସମାଧାନ ପାଇଁ ଦାବି କରିଛି।

Leave A Reply

Your email address will not be published.