ତବଲାକଟା ଟୋଲ୍ ଗେଟ୍‌କୁ ନେଇ ତୀବ୍ର ଜନ ଆନ୍ଦୋଳନ

47

-୨୦ କିମି ପରିଧିରେ ଟୋଲ୍ ଦେୟମୁକ୍ତ ଦାବି

-ଶତାଧିକ ଅଞ୍ଚଳବାସୀଙ୍କ ଧାରଣା

-ସମାଧାନ ନହେଲେ ଆଗକୁ ଜୋରଦାର ଆନ୍ଦୋଳନ ଚେତାବନୀ

ସମ୍ବଲପୁର (ଲିପନ ନାଏକ): ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଭୋଜପୁର ନିକଟସ୍ଥ ତବଲାକଟା ଟୋଲ୍ ଗେଟ୍ ଆରମ୍ଭକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଜନ ଅସନ୍ତୋଷ ଦେଖାଦେଇଛି। ସ୍ଥାନୀୟ ଗାଡ଼ିଗୁଡ଼ିକୁ ଟୋଲ୍ ଦେୟମୁକ୍ତ କରିବା ସହ ଆଖପାଖ ୨୦ କିଲୋମିଟର ପରିଧିର ଯାନବାହନକୁ ଟୋଲ୍ ଆଦାୟରୁ ଛାଡ଼ ଦେବା ଦାବିରେ ରବିବାର ଶତାଧିକ ଅଞ୍ଚଳବାସୀ ଟୋଲ୍ ଗେଟ୍ ଘେରାଉ କରି ଧାରଣା ଦେଇଛନ୍ତି।

ସୂଚନା ଅନୁଯାୟୀ, ଜମନକିରା ବ୍ଲକର ତବଲାକଟା ନିକଟରେ ଦୀର୍ଘ ବର୍ଷ ହେଲା ଟୋଲ୍ ଗେଟ୍ ନିର୍ମାଣ କାର୍ଯ୍ୟ ଚାଲିଛି। କୁଚିଣ୍ଡାରୁ ଦେବଗଡ଼ ରାସ୍ତାରେ ପୂର୍ବରୁ ଟୋଲ୍ ଗେଟ୍ ବ୍ୟବସ୍ଥା ନଥିବା ବେଳେ ଗତ ଶୁକ୍ରବାର ବିଭାଗୀୟ ଅଧିକାରୀ ଓ କେତେକ ସ୍ଥାନୀୟ ରାଜନେତାଙ୍କ ଉପସ୍ଥିତିରେ ଟୋଲ୍ ଆଦାୟ ଆରମ୍ଭ କରାଯାଇଥିବା ଅଭିଯୋଗ ହୋଇଛି।

ତେବେ ଟୋଲ୍ ଗେଟ୍ ଆରମ୍ଭ ପୂର୍ବରୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ସହ କୌଣସି ଆଲୋଚନା କିମ୍ବା ବିଚାରବିମର୍ଶ କରାଯାଇନଥିବା ଅଭିଯୋଗ ଆନ୍ଦୋଳନକୁ ଅଧିକ ତୀବ୍ର କରିଛି। ଏହି ରାସ୍ତା ଦେଇ ସ୍ଥାନୀୟ ଲୋକଙ୍କୁ ଦୈନନ୍ଦିନ କାର୍ଯ୍ୟ ପାଇଁ ଦିନକୁ ଦୁଇରୁ ତିନିଥର ଯାତାୟାତ କରିବାକୁ ପଡ଼ୁଥିବାରୁ ବାରମ୍ବାର ଟୋଲ୍ ଦେୟ ପ୍ରଦାନ କରିବା ସେମାନଙ୍କ ପାଇଁ ଆର୍ଥିକ ବୋଝ ହେବ ବୋଲି ଅଞ୍ଚଳବାସୀ କହିଛନ୍ତି।

ଭୋଜପୁରର ସୁବ୍ରତ ପଟେଲ କହିଛନ୍ତି ଯେ, ଗତ ଶୁକ୍ରବାର ଟୋଲ୍ ଗେଟ୍ ଉଦ୍‌ଘାଟନ ସମୟରେ ଏହି ଅଞ୍ଚଳର କିଛି ବ୍ୟକ୍ତି ଟୋଲ୍ ଗେଟ୍ ଆରମ୍ଭ ପୂର୍ବରୁ ସ୍ଥାନୀୟ ଲୋକଙ୍କୁ ଅବଗତ କରିବା ସହ ଆଲୋଚନା କରିବାକୁ ଅନୁରୋଧ କରିଥିଲେ। ମାତ୍ର ଏହାକୁ ଗୁରୁତ୍ୱ ନଦେଇ ବିଭାଗ ନିଜ ମନମାନିରେ ଟୋଲ୍ ଆଦାୟ ଆରମ୍ଭ କରିଦେଇଥିବା ସେ ଅଭିଯୋଗ କରିଛନ୍ତି।

ତାଙ୍କ ଦାବି ଅନୁଯାୟୀ, ଟୋଲ୍ ଗେଟ୍‌ର ଆଖପାଖ ୨୦ କିଲୋମିଟର ପରିଧିରେ ଥିବା ଅଞ୍ଚଳର ଯାନବାହନକୁ ଟୋଲ୍ ଦେୟମୁକ୍ତ କରାଯାଉ। ଏଥିସହ କୁଚିଣ୍ଡା ଉପଖଣ୍ଡର ସମସ୍ତ ଅଞ୍ଚଳବାସୀଙ୍କୁ ନେଇ ବିଭାଗ ପକ୍ଷରୁ ଏକ ଆଲୋଚନା ସଭା ଆୟୋଜନ କରାଯାଉ। ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି।

ଧାରଣାରେ ବିଭିନ୍ନ ଅଞ୍ଚଳର ଜନପ୍ରତିନିଧି ଓ ସମାଜସେବୀ

ଏହି ପ୍ରତିବାଦରେ ଡିମିରିମୁଣ୍ଡା ସରପଞ୍ଚ ପ୍ରହଲ୍ଲାଦ ଧୁରୁଆ, କୁଚିଣ୍ଡାର ପୂର୍ବତନ ବିଧାୟକ କିଶୋର ନାଏକ, ସୁବର୍ଣ୍ଣପାଳିର ପୂର୍ବତନ ସରପଞ୍ଚ ଲିଟନ କିଣ୍ଡୋ, ବକ୍ସମାର ସମାଜସେବୀ ବିକାଶ ପୃସେଟ, ସିରିଡ଼ର ଚିତ୍ରସେନ ବେହେରା, ଅଶୋକ ସୁନାନୀ, ଭୋଜପୁରର ସୁବ୍ରତ ପଟେଲ ଓ ଟୀକନ ଶର୍ମାଙ୍କ ସମେତ ଶତାଧିକ ସ୍ଥାନୀୟ ଅଞ୍ଚଳବାସୀ ଉପସ୍ଥିତ ରହି ଧାରଣାରେ ସାମିଲ ହୋଇଥିଲେ।

ଆନ୍ଦୋଳନକାରୀଙ୍କ କହିବା ଅନୁଯାୟୀ, ବିଭାଗୀୟ କର୍ତ୍ତୃପକ୍ଷ ତୁରନ୍ତ ଏହି ସମସ୍ୟାର ସମାଧାନ ପାଇଁ ଆଲୋଚନା କରିବା ଆବଶ୍ୟକ। ଆସନ୍ତା ସୋମବାର ମଧ୍ୟ ଆନ୍ଦୋଳନ ଜାରି ରହିବ ଏବଂ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଧାରଣା ଜାରି ରଖିବାକୁ ଆନ୍ଦୋଳନକାରୀମାନେ ଚେତାବନୀ ଦେଇଛନ୍ତି।

ଏବେ ପ୍ରଶ୍ନ ଉଠୁଛି, ସ୍ଥାନୀୟ ଲୋକଙ୍କ ଦୈନନ୍ଦିନ ଯାତାୟାତ ସମସ୍ୟାକୁ ନେଇ ବିଭାଗ କେବେ ଆଲୋଚନା କରିବ? ୨୦ କିଲୋମିଟର ପରିଧିର ଯାନବାହନକୁ ଟୋଲ୍ ଛାଡ଼ ଦେବା ଦାବି ଉପରେ କି ପଦକ୍ଷେପ ନିଆଯିବ? ଏହାକୁ ନେଇ ଏବେ କୁଚିଣ୍ଡା ଉପଖଣ୍ଡବାସୀଙ୍କ ନଜର ବିଭାଗୀୟ କର୍ତ୍ତୃପକ୍ଷଙ୍କ ପରବର୍ତ୍ତୀ ପଦକ୍ଷେପ ଉପରେ ରହିଛି।

Leave A Reply

Your email address will not be published.