ଦୁଷ୍କର୍ମର ଶିକାର ହେଉଛନ୍ତି ମାନସିକ ଭିନ୍ନକ୍ଷମ ମହିଳା !

0 2

ରାଇଘର: ନବରଙ୍ଗପୁର ଜିଲ୍ଲା ରାଇଘର ମୁଖ୍ୟ ବଜାରରେ ବୁଲୁଥିବା ମାନସିକ ଭିନ୍ନକ୍ଷମ ମହିଳା ଏବେ ଅସୁରକ୍ଷିତ l କିଛି ମଦ୍ୟପଙ୍କ ଦ୍ବାରା ସେମାନେ ଏବେ ଶାରିରୀକ ଅତ୍ୟାଚାରର ଶିକାର ହେଉଥିବା ସେମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ଶୋଚନୀୟ ଦେଖିବାକୁ ମିଳିଛି l ଗତ ଦୁଇ ଦିନ ପୂର୍ବେ ବିଳମ୍ବିତ ରାତିରେ ଦୋକାନ ବାରଣ୍ଡାରେ ଏଭଳି ଏକ ମହିଳାଙ୍କୁ ଦୁଷ୍କର୍ମ କରୁଥିବା ସିସି ଟିଭି ଫୁଟେଜ ଏବେ ଭାଇରଲ୍ ହେଉଥିବା ବେଳେ ସାଧାରଣରେ ଏଭଳି ଘୃଣ୍ୟ କାମକୁ ନିନ୍ଦା କରାଯାଇଛି |
ସୂଚନା ଅନୁଯାୟୀ ଗତ ଦୁଇ ଦିନ ପୂର୍ବେ ସ୍ଥାନୀୟ ମୁଖ୍ୟ ବଜାରରେ ରହୁଥିବା ଜଣେ ମାନସିକ ଭିନ୍ନକ୍ଷମ ମହିଳାଙ୍କୁ ଅଧ ରାତିରେ ଉଠାଇ ଆଣି ଏକ ଦୋକାନ ବାରଣ୍ଡାରେ ଜଣେ ବ୍ୟକ୍ତି ନିଜ ଶାରିରୀକ ଶୋଷ ମେଣ୍ଟାଇବାକୁ ଯାଇ ତାକୁ ଦୁଷ୍କର୍ମ କରିଥିଲା | ମହିଳା ଜଣକ ମାନସିକ ଭିନ୍ନକ୍ଷମ ଥିବା ଯୋଗୁଁ ତା ପ୍ରତି ହେଉଥିବା ପାସବିକ ଅତ୍ୟାଚାର ବିଷୟରେ କିଛି ଜାଣି ପାରିନଥିବା ବେଳେ ଏହିି ଘଟଣାର ଭିଡିଓ ନିକଟସ୍ଥ ଦୋକାନର ସିସି ଟିଭି ଫୁଟେଜ ରେ କଏଦ୍ ହୋଇଥିଲା | ଯାହା ଏବେ ଭାଇରଲ୍ ହେବାରେ ଲାଗିଛି l ଅପରପକ୍ଷରେ ଏଭଳି ଘଟଣା ଉକ୍ତ ମହିଳାଙ୍କ ପ୍ରତି ଲଗାତାର ହୋଇ ଆସୁଥିବା ବିଷୟ ସାଧାରଣରେ ଚର୍ଚ୍ଚା ହେଉଛି | ତେବେ ଉକ୍ତ ମହିଳା ଯଦି କୌଣସି କାରଣରୁ ଗର୍ଭବତୀ ହୁଏ ତାହେଲେ ତାର ଜୀବନ ପ୍ରତି ବିପଦ ସୃଷ୍ଟି ହୋଇପାରେ ବୋଲି ବୁଦ୍ଧିଜୀବି ମହଲରେ ମତପ୍ରକାଶ ପାଇଛି l ଅନ୍ୟପଟେ ରାତି ହେଲେ ମୁଖ୍ଯ ବଜାରରେ ମଦ୍ୟପଙ୍କ ପ୍ରାଦୁର୍ଭାବ ଦିନକୁ ଦିନ ବଢିବାରେ ଲାଗିଛି l ବଜାର ମଧ୍ୟରେ ରହିଥିବା ଗଳି ଗୁଡ଼ିକରେ ରାତିରେ ମଦର ଆସର ଜମୁଥିବା ସହିତ ବିଭିନ୍ନ ଅପ୍ରୀତିକର କାମ ଚାଲିଥିବା ଦେଖିବାକୁ ମିଳିଛି l ଅନ୍ୟପଟେ ପୁଲିସ ପକ୍ଷରୁ ନାଇଟ ପେଟ୍ରୋଲିଂ କରାଯାଉ ନଥିବାରୁ ଏଭଳି ଘଟଣା ସାମ୍ନାକୁ ଆସୁଥିବା ଅଭିଯୋଗ ହୋଇଛି | ଅପରପକ୍ଷରେ ସ୍ଥାନୀୟ ବଜାର ମଧ୍ୟରେ ରହୁଥିବା ମାନସିକ ଭିନ୍ନକ୍ଷମ ମହିଳାଙ୍କ ସୁରକ୍ଷା ତଥା ରାତିରେ ପୁଲିସ ପେଟ୍ରୋଲିଂକୁ କଡ଼ାକଡ଼ି କରିବା ସହିତ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବୀ ହେଉଛି |

Leave A Reply

Your email address will not be published.