ରାଫେଲ ଯୁଦ୍ଧ ବିମାନ କ୍ରୟରେ ମହାଦୁର୍ନୀତି-ଏନଡ଼ିଏକୁ ଟାର୍ଗେଟ କଲା କଂଗ୍ରେସ :  ମୟୂରଭଞ୍ଜ କଂଗ୍ରେସ ପକ୍ଷରୁ ରାଷ୍ଟ୍ରପତିଙ୍କୁ ଦାବିପତ୍ର ପ୍ରଦାନ

0

ବାରିପଦା(ଦିଲ୍ଲୀପ ମହାନ୍ତି )- ବହୁ ଚର୍ଚ୍ଚିତ ତଥା ବିବାଦୀୟ ରାଫେଲ ଯୁଦ୍ଧ ବିମାନ କ୍ରୟକୁ ନେଇ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ପରିଚାଳିତ ଏନଡ଼ିଏ ସରକାରକୁ ସବୁ ଦିଗରୁ ସଣ୍ଡୁଆସୀ ଆକ୍ରମଣ ଆରମ୍ଭ କରି ଦେଇଛି କଂଗ୍ରେସ । ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତିଙ୍କ ନିର୍ଦ୍ଦେଶ କ୍ରମେ ମୟୂରଭଞ୍ଜ ଜିଲ୍ଲା କଂଗ୍ରେସ ସଭାପତି ହେମନ୍ତ ଦାସଙ୍କ ନେତୃତ୍ୱରେ ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ଆୟୋଜିତ ବିଶାଳ ବିକ୍ଷୋଭ ସମାବେଶର ପ୍ରଦେଶ କଂଗ୍ରେସ ଉପସଭାପତି ଜ୍ଞାନେନ୍ଦ୍ର କୁମାର ଆଚାର୍ଯ୍ୟ, ଦେବାଶିଷ ପଟ୍ଟନାୟକ, ରାଜ୍ୟ କଂଗ୍ରେସ ସମ୍ପାଦକ ନିରୋଜ ଲୋଚନ ଦାଶ, ପୂର୍ବତନ ଲୋକସଭା ସାଂସଦ ସୁଶୀଳା ତିରିଆ, ପୂର୍ବତନ ଜିଲ୍ଲା ସଭାପତି ପ୍ରଦୀପ ରଥ, ବରିଷ୍ଠ ବିଜେପି ନେତା ବିଜନ ଦାସ, ଶ୍ୟାମ ସୂନ୍ଦର ହାଁସଦାଃ, କମଳା ଦାସ, ରାଜ୍ୟ ସମ୍ପାଦକ ଯୁଗେଶ ଅଗ୍ରୱାଲ, ଭୂବନ ସାହୁ ପ୍ରମୁଖ ବହୁ ତୁଙ୍ଗ ନେତାମାନେ ଯୋଗ ଦେଇ ବିଜେପି ତଥା କେନ୍ଦ୍ର ସରକାରଙ୍କ ବିରୋଧରେ ରାଫେଲ ଯୁଦ୍ଧ ବିମାନ କ୍ରୟରେ ହୋଇଥିବା ମହା ଦୁର୍ନୀତିର ଅଭିଯୋଗ ଆଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସହିତ ପ୍ରତିରକ୍ଷାମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ସିଧାସଳଖ ଭାବେ ଟାର୍ଗେଟ କରିଥିଲେ । ଏଥି ସହିତ କେନ୍ଦ୍ର ସରକାର ପେଟ୍ରୋଲ ଓ ଡ଼ିଜେଲର ମୂଲ୍ୟକୁ କ୍ରମାଗତ ଭାବେ ବୃ୍ଦ୍ଧି କରିଚାଲିଥିବାରୁ ଏହାର ପ୍ରଭାବରେ ବଜାର ମୂଲ୍ୟ ଆକାଶ ଛୁଆଁ ହୋଇଯାଇଛି । ଫଳରେ ସାଧାରଣ ଜନତାଙ୍କ ଆର୍ଥିକ ମେରୁଦଣ୍ଡ ଦୋହଲି ଯାଇଛି । ପୁଣି ୨୦୧୪ ସାଧାରଣ ନିର୍ବାଚନ ସମୟରେ ବିଜେପି ଦେଶବାସୀଙ୍କୁ ଦେଇଥିବା ପ୍ରତିଶ୍ରିତି ତଥା ନିର୍ବାଚନୀ ଇସ୍ତାହାର ମଧ୍ୟରୁ ଗୋଟାଏ ହେଲେ ପୂରଣ କରିବାରେ ସଫଳ ହୋଇ ପାରି ନାହାନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ପ୍ରତାରିତ କରିବା ସାଙ୍ଗକୁ  ବିଶ୍ୱାସଘାତକତା ମଧ୍ୟ କରିଛନ୍ତି । ଦେଶର ସାର୍ବଭୌମ୍ୟ ଓ ଅଖଣ୍ଡତା ପ୍ରତି ବିପଦ ଦେଖାଦେଇଛି । ଦେଶରେ ମହିଳାମାନଙ୍କ ଉପରେ ଅତ୍ୟାଚାର ବୃଦ୍ଧି ପାଇଛି । ଦେଶବାସୀଙ୍କ ଧନଜୀବନ ପ୍ରତି ବିପଦ ଦେଖା ଦେଇଛି, ତେଣୁ ଏହି ଅପାରଗ, ଭ୍ରଷ୍ଟାଚାରୀ ସରକାରଙ୍କୁ ଗାଦିଚୁ୍ୟତ କରାଇବାର ସମୟ ଆସିଯାଇଛି । ଏଥି ନିମନ୍ତେ କଂଗ୍ରେସ ଆଜି ରାଜ ରାସ୍ତାକୁ ଉହ୍ଲାଇ ଆସିଛି । ତେଣୁ କଂଗ୍ରେସର ଏହି ଆନ୍ଦୋଳନରେ ସମସ୍ତ ଦେଶବାସୀ ସାମିଲ ହେବାକୁ ଉପସ୍ଥିତ ଜନସାଧାରଣଙ୍କୁ ମଞ୍ଚ ଉପରୁ ବକ୍ତାମାନେ ଆହ୍ୱାନ ଦେଇଥିଲେ । ସେହିପରି କେନ୍ଦ୍ର ସରକାର ପରି ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ନବୀନଙ୍କ ନେତୃତ୍ୱରେ ପରିଚାଳିତ ବିଜେଡ଼ି ସରକାର ରାଜ୍ୟକୁ ଲୁଟ କରିବାରେ ଲାଗିଛି । ମୟୂରଭଞ୍ଜ ଜିଲ୍ଲାରେ ଚାରା ଦୁର୍ନୀତିରେ କୋଟି କୋଟି ଟଙ୍କା ଚଳୁ କରାଯାଇଛି । ଏହି ମହାଦୁର୍ନୀତିରେ ସାମିଲ ରହିଥିବା ସମସ୍ତ ଦୋଷୀମାନଙ୍କୁ ଅବିଳମ୍ବେ ଗିରଫ କରାଯିବା ସହିତ ବାରିପଦା ପୌରପରିଷଦରେ ହୋଇଥିବା ମହାଦୁର୍ନୀତି ଓ ବାରିପଦାଠାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଆଦି ଦାବି କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅଜୟ ମହାପାତ୍ର, ପୂର୍ବତନ ମନ୍ତ୍ରୀ ସରସ୍ୱତୀ ହେମ୍ବ୍ରମ, ଅଶୋକ ଅଧିକାରୀ, ଜିଲ୍ଲା ମହିଳା ମୋର୍ଚ୍ଚା ନେତ୍ରୀ ସସ୍ମୀତା ଘୋଷାଲ, ସୁଦୀପ୍ତ ମନ୍ତ୍ରୀ, ସ୍ୱରୂପ ଦାଶ, ଅରବିନ୍ଦ ଦାସ, ସୁକୁମାର ରଞ୍ଜନ ପ୍ରଧାନ, ରଞ୍ଜିତା ଯୋଶୀ, ଅଜିତ କୁମାର ଜେନା, ଦୀପକ କୁମାର ଦାଶ, ପୂର୍ବତନ ବିଧାୟକ ଲକ୍ଷ୍ମଣ ମାଝି ପ୍ରମୁଖ ଶତାଧିକ ନେତା, କର୍ମୀ ଓ ସମର୍ଥକମାନେ ଯୋଗ ଦେଇଥିଲେ । ସର୍ବ ପ୍ରଥମେ ବଡ଼ବଜାର ବଡ଼ଦାଣ୍ଡ ନିକଟରେ ଥିବା କଂଗ୍ରେସର ଜିଲ୍ଲା କାର୍ଯ୍ୟାଳୟ ପରିସରରୁ ହାତରେ କେନ୍ଦ୍ର ଓ ଓଡ଼ିଶା ସରକାରଙ୍କ ମହାଦୁର୍ନୀତି ଆଦି ଲେଖାଥିବା ପ୍ଲେକାଡର଼୍ ଧରି ଏକ ଶୋଭାଯାତ୍ର  ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଁଞ୍ଚିବା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା ଏବଂ ଶେଷରେ ଏକ ପ୍ରତିନିଧି ମଣ୍ଡଳୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ । 

Leave A Reply

Your email address will not be published.