ମୌଳିକ ସୁବିଧା ପାଇଁ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଘେରିଲେ ରଟିଙ୍ଗିଆବାସୀ

0

ଘୁ.ଉଦୟଗିରି(ଅବନୀ କୁମାର ପ୍ରଧାନ): ଘୁ.ଉଦୟଗିରି ବ୍ଲକ ରଟିଙ୍ଗିଆ ପଞ୍ଚାୟତ ସରପଞ୍ଚ ବିଶ୍ନୁଦେବ ପ୍ରଧାନ, ଉପାଧ୍ୟକ୍ଷ ଏନ୍ ଲୁକ୍ ଓ ସମାଜସେବୀ ହୃଷୀକେଶ ପ୍ରଧାନଙ୍କ ନେତୃତ୍ୱରେ ପଞ୍ଚାୟତ ଅନ୍ତର୍ଗତ ସମସ୍ତ ଗ୍ରାମର ଶତାଧିକ ମହିଳା ପୁରୁଷ ୫ ଦଫା ଦାବି ନେଇ ଆଜି ସ୍ଥାନୀୟ ବ୍ଲକ କାର୍ଯ୍ୟାଳୟ, ବିଦ୍ୟୁତ୍ ବିଭାଗ କାର୍ଯ୍ୟାଳୟ ଓ ବିଏସଏନଏଲ କାର୍ଯ୍ୟାଳୟ ରଟିଙ୍ଗିଆ ଅଞ୍ଚଳ ବାସୀ ଘେରାଉ କରିଥିବା ଦେଖିବାକୁ ମିଳିଛି । ସୂଚନା ଅନୁସାରେ ଗ୍ରାମବାସୀଙ୍କ ୫ ଟି ଦାବି ଗୁଡ଼ିକ ହେଲା ମୋବାଇଲ ନେଟୱର୍କ ସମସ୍ୟା, ସାମାଜିକ ସୁରକ୍ଷା ଯୋଜନା ଅନୁଯାୟୀ ବୃଦ୍ଧ ବୃଦ୍ଧାଙ୍କୁ ସଠିକ ସମୟରେ ମାସିକ ଭତ୍ତା ପ୍ରଦାନରେ ବିଳମ୍ବ, ଅତ୍ୟଧିକ ବିଦ୍ୟୁତ୍ କଟିବା ସମସ୍ୟାର ସମାଧାନ, ପ୍ରଧାନ ମନ୍ତ୍ରୀ ସଡ଼କ ଯୋଜନା ଅନୁସାରେ ଘୁ.ଉଦୟଗିରି ଶ୍ରୀରାମ ପଦା ଠାରୁ ରଟିଙ୍ଗିଆ ଦେଇ ଡକ୍ରୀଙ୍ଗିଆ ପର୍ଯ୍ୟନ୍ତ ନୂତନ ରାସ୍ତା ନିର୍ମାଣ, ସାଧାରଣ ବଣ୍ଟନ ସମୟରେ ଉପୁଜୁଥିବା ସମସ୍ୟାର ସମାଧାନ । ବହୁ ଦିନରୁ ଲାଗି ରହି ଥିବା ବିଦ୍ୟୁତ୍ ସମସ୍ୟା ଦିନ ଦିନ ଧରି ବିଦ୍ୟୁତ ସରବରାହ ବିଚ୍ଛିନ୍ନ ରହୁଥିବା କାରଣରୁ ଏକମାତ୍ର ବିଏସଏନଏଲ ମୋବାଇଲ ନେଟୱର୍କ ସେବାରେ ବାଧା ସୃଷ୍ଟି ହେଉଥିବା ବେଳେ ଗର୍ଭବତୀ ମହିଳାଙ୍କ ପାଇଁ ଆମ୍ବୁଲାନ୍ସ ସେବା ପାଇବାରେ ଅସୁବିଧାର ସମ୍ମୁଖୀନ ହେଉଥିବାରୁ ଅନେକ ସମୟରେ ଗ୍ରାମବାସୀ ଅଟୋ ସାହାଯ୍ୟରେ ୮ କିଲୋମିଟର ଦୂର ଘୁ.ଉଦୟଗିରି ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଥାନ୍ତି I ଏହା ସହ ଗ୍ରାମବାସୀଙ୍କ ବ୍ୟବହୃତ ରାସ୍ତାର ଅବସ୍ଥା ଅତି ଶୋଚନୀୟ ଥିବାରୁ ଗର୍ଭବତୀ ମାଁ ଓ ଶିଶୁ ବହୁ ଅସୁବିଧାର ସମ୍ମୁଖିନ ହେଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ତା ସହ ବିଦ୍ୟୁତ୍ ଓ ନେଟୱର୍କ ସମସ୍ୟା ଯୋଗୁଁ ସାଧାରଣ ବଣ୍ଟନ, ପଞ୍ଚାୟତ କାର୍ଯ୍ୟାଳୟରେ ସମସ୍ତ କାର୍ଯ୍ୟ ସମ୍ପାଦନରେ ଅସୁବିଧା, ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ଇଣ୍ଟରନେଟ ସେବା ନଥିବାରୁ ଛାତ୍ର ଛାତ୍ରୀଙ୍କ ପାଠ ପଢ଼ାରେ ଅସୁବିଧା ହେଉଥିବା ନେଇ ବିଡ଼ିଓ ଓ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ ପତ୍ର ଦିଆଯାଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ କୌଣସି ସମସ୍ୟାର ସମାଧାନ ହୋଇନାହିଁ ବରଂ ବର୍ତ୍ତମାନ ଖରା ଦିନ ଆସିବା ପରେ ଅଦିନିଆ ବର୍ଷାରେ ଅହରହ ବିଦ୍ୟୁତ୍ କାଟ ସାଙ୍ଗକୁ ନେଟୱର୍କ ସମସ୍ୟା ଯୋଗୁଁ ଗ୍ରାମବାସୀ ନିରୁପାୟ ହୋଇ ଆଜି ବ୍ଲକ କାର୍ଯ୍ୟାଳୟ ଘେରାଉ କରିଥିଲେ । କିନ୍ତୁ ବିଡ଼ିଓ ଆଶିଷ କୁମାର ତ୍ରିପାଠୀ ଅନୁପସ୍ଥିତ ଥିବାରୁ ଗ୍ରାମବାସୀ ୫ ଦଫା ଦାବି ସମ୍ବଳିତ ଲିଖିତ ଅଭିଯୋଗ ପତ୍ର କାର୍ଯ୍ୟାଳୟରେ ଉପସ୍ଥିତ ବିଏସଓ ସଙ୍ଗୀତା ବେହେରାଙ୍କୁ ପ୍ରଦାନ କରିବା ସହ ସମସ୍ୟା ଗୁଡ଼ିକ ବିଷୟରେ ଜଣାଇଥିଲେ ଏବଂ ଦାବି ପତ୍ରରେ ଲିଖିତ ସମସ୍ୟା ଗୁଡ଼ିକ ଆସନ୍ତା ୧୫ ଦିନ ମଧ୍ୟରେ ସମାଧାନ ନହେଲେ ପୁଣି ଥରେ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇ ଛନ୍ତି I ଏହା ସହ ବିଦ୍ୟୁତ୍ କାର୍ଯ୍ୟାଳୟ କନିଷ୍ଠ ଯନ୍ତ୍ରୀ ଓ ଟେଲିକମ ବିଭାଗର କନିଷ୍ଠ ଯନ୍ତ୍ରୀଙ୍କୁ ସାକ୍ଷାତ କରି ସମସ୍ୟା ବିଷୟରେ ଅଭିଯୋଗ କରିଥିଲେ ଉଭୟ ଯନ୍ତ୍ରୀ ଯଥା ଶୀଘ୍ର ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିବା ଗ୍ରାମବାସୀଙ୍କ ଠାରୁ ସୂଚନା ମିଳିଛି।

Leave A Reply

Your email address will not be published.