ଜଗୁଆଳି ଟାୱାର ଉପରେ ନିଜ ରାଇଫଲରୁ ନିଜକୁ ଗୁଳି କଲେ
ବରଗଡ :- ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଜଗଦଲପୁର ଥାନା ପରିସରରେ ମୁତୟନ ଥିବା 189 ବଟାଲିଏନ ଚାର୍ଲି କମ୍ପାନୀ ର ଯବାନ ପ୍ରସଂଜୀତ ପାଳ (34) ନିଜକୁ ନିଜ ଇନସାସ ରାଇଫଲ ରେ ଗୁଳି କରି ଆତ୍ମହତ୍ୟା କରିଥିବା ସୂଚନା ରହିଛି । ପ୍ରାପ୍ତ ସୂଚନା ଅନୁସାରେ ମୃତ ଯବାନ ଶ୍ରୀ ପାଳ ପଶ୍ଚିମବଙ୍ଗ ର ମୁର୍ଷିଦାବାଦ ଜିଲ୍ଲା ର ନିବାସୀ ଅଟନ୍ତି । ଗତ କାଲି ରାତି 10 ଘଣ୍ଟା ରୁ 12 ଘଣ୍ଟା ପର୍ଯନ୍ତ ତାଙ୍କର ଜଗୁଆଳି ଟାୱାର ରେ ଡିଉଟି ରହିଥିଲା । ପ୍ରାୟ ରାତି ଏଗାର ଘଣ୍ଟା ସମୟରେ ଏକ ଗୁଳି ଫୁଟିବାର ଶବ୍ଦ ପାଇ ଥାନା ପାରିସର ରେ ରହିଥିବା ପୋଲିସ କର୍ମଚାରୀ ଓ ସି ଆର ପି ଏଫ ଯବାନ ମାନେ ଚକିତ ହୋଇ କଣ ହୋଇଛି ବୋଲି ଖୋଜାଖୋଜି ଆରମ୍ଭ କରିଦେଇଥିଲେ । ଶେଷରେ ଟାୱାର ଉପରେ ଆହତ ଅବସ୍ଥାରେ ଶ୍ରୀ ପାଳ ଙ୍କୁ ଦେଖି ତୁରନ୍ତ ତାଙ୍କୁ ଉଦ୍ଧାର କରାଯାଇ ପଦ୍ମପୁର ଡାକ୍ତରଖାନା କୁ ଚିକିତ୍ସା ନିମନ୍ତେ ପଠେଇ ଦିଆ ଯାଇଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇ ଯାଇଥିବା ଅସ୍ପଷ୍ଠ ସୂତ୍ରରୁ ଖବର ରହିଛି । ଜଗଦଲପୁର ଥାନାରେ ଅପମୃତ୍ୟୁ ମାମଲା ନମ୍ବର 1/23 ରୁଜୁ କରାଯାଇ ପୋଲିସ ଶବ ଜବତ କରିବା ସହିତ ଅଧିକ ତଦନ୍ତ ଜାରି ରଖିଛି । ଆତ୍ମହତ୍ୟା ର ପ୍ରକୃତ କାରଣ କଣ ରହିଛି ତାହା ତଦନ୍ତ ପରେ ଜଣା ପଡିବ ବୋଲି ଜଗଦଲପୁର ଥାନା ଅଧିକାରୀ ସୂଚନା ପ୍ରଦାନ କରିଛନ୍ତି । ମୃତ ଯବାନ ଙ୍କର ଶବ ବ୍ୟବଚ୍ଛେଦ ପରେ ସି ଆର ପି ଏଫ କୁ ହସ୍ତାନ୍ତର କରାଯିବ ବୋଲି ସୂଚନା ରହିଛି ।