ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

0

ନୟାଗଡ଼/ଲକ୍ଷ୍ମୀଧର ସାହୁ:ନୟାଗଡ଼ ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ବିଭିନ୍ନ ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରାଯାଇଛି। ସଭାପତି ପ୍ରମୋଦ ପଟ୍ଟନାୟକ, ସମ୍ପାଦକ ଦୁର୍ଯ୍ୟୋଧନ ସାହୁଙ୍କ ସମେତ ବରିଷ୍ଠ ସଦସ୍ୟ ସୁରେନ୍ଦ୍ରନାଥ ମହାପାତ୍ର,ପୂର୍ଣ୍ଣଚନ୍ଦ୍ର ଶତପଥୀ,ନିତ୍ୟାନନ୍ଦ ରାଉତରାୟ,ବୈକୁଣ୍ଠ ନାଥ ସ୍ୱାଇଁ ଏବଂ ସୁନିଲ କୁମାର ସାହୁ ପ୍ରମୁଖ ଦାବିପତ୍ର ପ୍ରଦାନ ସମୟରେ ଉପସ୍ଥିତ ଥିଲେ।
ଆଜିର ସମାଜରେ ଅଧିକାଂଶ ୬୦ ବର୍ଷରୁ ଉର୍ଦ୍ଧ୍ବ ବରିଷ୍ଠ ନାଗରିକ ସମାଜ, ପ୍ରଶାସନ, ପରିବାର ଠାରୁ ଦୂରରେ ରହି ବିଷାଦ ତଥା ଘୋର ଦୁର୍ଦ୍ଦିନରେ କାଳ ଯାପନ କରୁଅଛନ୍ତି । ଅଧୂକାଂଶ ବାପା, ମା, ନିଜ ପୁଅ ଝିଅ ମାନଙ୍କ ଠାରୁ ନିର୍ଯ୍ୟାତିତ ହେବାର ନଜିର ମଧ୍ୟ ଅଛି। ଏହିପରି ୯୦ପ୍ରତିଶତ ଘଟଣା ଲୋକଲୋଚନ କିମ୍ବା ଗଣମାଧ୍ୟମକୁ ଆସିପାରୁନାହିଁ । କିନ୍ତୁ କିଛି ବରିଷ୍ଠ ନାଗରିକ ଅବସର ସମୟ ବିତାଇବା, ଚିତ୍ତ ବିନୋଦନ କରିବା, ନିୟମିତ ଯୋଗାଭ୍ୟାସ, ଆଧ୍ୟମିକ ଆଲୋଚନା, ସ୍ଵାସ୍ଥ୍ୟଶିବିର, ସମାଜ ସେବା କରିବା, ପାରିବାରିକ ଓ ସାମାଜିକ ସମସ୍ୟା ଜନିତ ଭାବର ଆଦାନ ପ୍ରଦାନ କରିବା, ନିମନ୍ତେ ଆଗେଇ ଆସି ନିଜ ନିଜ ଅଞ୍ଚଳରେ ବରିଷ୍ଠ ନାଗରିକ ସଂଘ । ମଞ୍ଚ ଗଠନ କରିଅଛନ୍ତି । ୨୦୧୫ ମସିହାରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶନାରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ନାମରେ ଏକ ନୂତନ ବିଭାଗ ଗଠନ କରାଗଲା ଯାହାକି ଏକ ସ୍ଵାଗତ ଯୋଗ୍ୟ ପଦକ୍ଷେପ । କିନ୍ତୁ ପରିତାପର ବିଷୟ ଏହି ଯେ, ବିତ ୭ ବର୍ଷ ମଧ୍ୟରେ ବରିଷ୍ଠ ନାଗରିକ ମାନଙ୍କୁ ୫୦୦ ଟଙ୍କା । ୭୦୦ ଟଙ୍କା (୮୦ ବର୍ଷରେ ପଦାର୍ପଣ କଲାପରେ) ବାର୍ଦ୍ଧକ୍ୟ ଭତ୍ତା ଦେବା ବ୍ୟତିରେକ ଅନ୍ୟ କୌଣସି କଲ୍ୟାଣକାରୀ ଯୋଜନାର କାର୍ଯ୍ୟକାରିତା ନିମନ୍ତେ ଅଣୁଏ ମାତ୍ର ଆଗ୍ରହ ପ୍ରକାଶ କରାଗଲା ନାହିଁ। ସରକାରୀ ପ୍ରୋତ୍ସାହନ ଅଭାବରୁ ଅନେକ ସଂଘ ନିୟମିତ ବୈଠକ ବା କାର୍ଯ୍ୟକ୍ରମ କରିନପାରିବାରୁ ସଂଘ ମଞ୍ଚର ଉଦ୍ଦେଶ୍ୟସାଧନ ତଥା ସଫଳ ରୂପାୟନ ହୋଇପାରୁନାହିଁ । ବରିଷ୍ଠ ନାଗରିକ ମାନଙ୍କ ସମସ୍ୟା ସମ୍ବନ୍ଧ ଆମ୍ଭେ ଅନେକବାର ଉପସ୍ଥାପନ କରିଥିଲେ ହେଁ କିଛି ସୁଫଳ ମିଳିପାରିନାହିଁ ।ନିମ୍ନରେ ଆମ ଦାବୀ ସମ୍ପର୍କରେ ଆପଣଙ୍କ ଦୃଷ୍ଟି ଆକର୍ଷଣ କରୁଅଛୁ । ଓଡ଼ିଶାରେ ବାର୍ଦ୍ଧକ୍ୟ ଭତ୍ତାର ପରିମାଣ ୨୦୦୦ ଟଙ୍କାକୁ ବୃଦ୍ଧି କରାଯାଉ । ସମସ୍ତ ବରିଷ୍ଠ ନାଗରିକମାନଙ୍କୁ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଉ । ସରକାରୀ ଓ ବେସରକାରୀ ବସ୍ ସେବାର ଭଡ଼ାରେ ୫୦% ରିହାତି ପ୍ରଦାନ କରାଯାଉ ।
ନୟାଗଡ଼ ଭୁବନେଶ୍ବର ମଧ୍ୟରେ ମୋ ବସ୍ ସେବା ପ୍ରଚଳନ କରାଯାଉ । ନୟାଗଡ଼ରେ ଏକ ଟାଉନ୍‌ ବସ୍ ସେବା ଚଳପ୍ରଚଳ କରାଯାଉ । ବରିଷ୍ଠ ନାଗରିକ ମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ବ୍ୟାଟେରୀ ଚାଳିତ ଗାଡ଼ି ଦୁଇଟି ପୁନଃକ୍ଷମ କରି ମାଗଣାରେ ସେବା ପ୍ରଦାନ କରାଯାଉ । ରେଳଯାତ୍ରୀ ମାନଙ୍କ ନିମନ୍ତେ ନିର୍ଦ୍ଧାରିତ ଭଡ଼ାରେ ପୂର୍ବବତ ୫୦% ରିହାତି ପ୍ରଦାନ କରାଯାଉ ଆମର ଉପରୋକ୍ତ ଦାବୀ ଗୁଡ଼ିକ ପ୍ରତି ସହାନୁଭୁତି ଜଣାଇ ତାର ଆଶୁ ସମାଧାନ ପାଇଁ କାର୍ଯ୍ୟକାରୀ କରିବା ନିମନ୍ତେ ନିବେଦନ କରିଛନ୍ତି।

Leave A Reply

Your email address will not be published.