“ମୁଁ ଯନ୍ତ୍ରଣା ଭୋଗିଛି, ଏବେ ନବ ଦାସଙ୍କ ପରିବାରକୁ କେତେ କଷ୍ଟ ହେଉଥିବ ଅନୁଭବ କରିପାରୁଛି “

0 3

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ ଟୁଇଟ୍ କରି ଅନୁରୋଧ କଲେ ବର୍ଷା ସିଂ ବରିହା

  •  ଦିବଂଗତ ନେତା ନବ ଦାସଙ୍କୁ ନିନ୍ଦିତ ନ କରିବାକୁ ଦଳୀୟ ନେତାଙ୍କୁ ତାଗିଦ୍ କରନ୍ତୁ

  •  ଆମ ହିନ୍ଦୁ ପରମ୍ପରା ଓ ଓଡ଼ିଆ ସଂସ୍କୃତିରେ ଏହା ଗ୍ରହଣୀୟ ନୁହେଁ

  •  ପଦ୍ମପୁର ଉପନିର୍ବାଚନବେଳେ ମୋ ବିରୋଧରେ ବି ଏମିତି କୁତ୍ସାରଟନା କରାଯାଇଥିଲା

ପଦ୍ମପୁର : ପୂର୍ବତନ ମନ୍ତ୍ରୀ ନବକିଶୋର ଦାସଙ୍କ ମୃତ୍ୟୁ ପରେ ଓଡ଼ିଶା ବିଜେପିର କିଛି ନେତା ତାଙ୍କୁ ନିନ୍ଦିତ କରିବାକୁ ଉଦ୍ୟମ କରୁଛନ୍ତି । ଏହା ଆମ ହିନ୍ଦୁ ପରମ୍ପରା ଓ ଓଡ଼ିଆ ସଂସ୍କୃତିରେ ଆଦୌ ଗ୍ରହଣୀୟ ନୁହେଁ । ତେଣୁ ରାଜନୈତିକ ଉଦ୍ଦେଶ୍ୟ ରଖି ଜଣେ ଦିବଂଗତ ନେତାଙ୍କ ଉପରେ କଟୁ ମନ୍ତବ୍ୟ ଦେବାରୁ ଆପଣଙ୍କ ଦଳର ନେତାଙ୍କୁ କ୍ଷାନ୍ତ ରଖନ୍ତୁ । ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟୁଇଟ୍ କରି ଏପରି ଅନୁରୋଧ କରିଛନ୍ତି ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା।
ଶ୍ରୀମତୀ ବରିହା ନିଜ ଟୁଇଟ୍ରେ ଆହୁରି ଉଲ୍ଲେଖ କରିଛନ୍ତି ଯେ ଯେତେବେଳେ ମୋ ବାପାଙ୍କର ଦେହାନ୍ତ ହୋଇଥିଲା, ସେତେବେଳେ ମଧ୍ୟ ରାଜ୍ୟ ବିଜେପିର କିଛି ନେତା ତାଙ୍କୁ ଠିକ୍ ଏମିତି ଆକ୍ଷେପ କରୁଥିଲେ । ମୋ ଚରିତ୍ର ଓ ବାହାଘରକୁ ନେଇ କୁତ୍ସାରଟନା କରୁଥିଲେ । ମୁଁ ସମସ୍ତଙ୍କୁ ହାତ ଯୋଡ଼ି ଯେତେ ଅନୁରୋଧ କଲେ ବି ସେମାନେ ଆକ୍ରୋଶମୂଳକ ଭାବେ ବ୍ୟକ୍ତିଗତ ଆକ୍ରମଣ ଜାରି ରଖିଥିଲେ । ଏହା ମୋତେ ଏବଂ ମୋ ପରିବାରକୁ ଗଭୀର ମାନସିକ ଆଘାତ ଦେଇଥିଲା । ସେତେବେଳେ ମୁଁ ଆପଣଙ୍କୁ ମଧ୍ୟ ଅନୁରୋଧ କରିଥିଲି, ଦୟାକରି ମୋତେ ଏପରି ଆକ୍ଷେପ କରିବାକୁ ଆପଣଙ୍କ ଦଳର ଏହି ନେତାମାନଙ୍କୁ ବାରଣ କରନ୍ତୁ । ତଥାପି ଆପଣ କିଛି କଲେନି, ବୋଧେ ଜାଣିଶୁଣି ନିରବ ରହିଲେ । ଏହା ମୋତେ ଖୁବ୍ ଦୁଃଖ ଦେଇଥିଲା।
ଏବେ ସମାନ ଢଙ୍ଗରେ ସ୍ୱର୍ଗତ ନବକିଶୋର ଦାସଙ୍କ ଚରିତ୍ର ସଂଘାର ପାଇଁ ଯେଉଁ ଉଦ୍ୟମ ହେଉଛି, ତାହା ତାଙ୍କ ଝିଅ ଓ ପରିବାରର ଅନ୍ୟ ସଦସ୍ୟମାନଙ୍କୁ କେତେ ମାନସିକ ଯନ୍ତ୍ରଣା ହେଉଥିବ, ତାହା ମୁଁ ଅନୁଭବ କରିପାରୁଛି । ତେଣୁ ଆପଣଙ୍କୁ ମୋର ଅନୁରୋଧ, ଅନ୍ତତଃ ପକ୍ଷେ ନିରବ ରୁହନ୍ତୁ ନାହିଁ କି ଏହାକୁ ପରୋକ୍ଷ ଭାବେ ସମର୍ଥନ କରନ୍ତୁ ନାହିଁ । ଦୟା କରି ଆପଣଙ୍କ ଦଳର ନେତାମାନଙ୍କୁ କୁହନ୍ତୁ, ଜଣେ ମୃତ ବ୍ୟକ୍ତିଙ୍କ ସଂପର୍କରେ ସେମାନେ ଏପରି ହୀନ ମନ୍ତବ୍ୟ ଦେବାରୁ ନିଜକୁ କ୍ଷାନ୍ତ ରଖନ୍ତୁ।

Leave A Reply

Your email address will not be published.