ବେଟି ବଚାଓ, ବେଟି ପଢ଼ାଓ ଯୋଜନାରେ ମହିଳାଙ୍କ ଅଧିକାର ଓ ସାଇବର ସୁରକ୍ଷା ସମ୍ପର୍କିତ ଜିଲ୍ଲାସ୍ତରୀୟ କର୍ମଶାଳା ଅନୁଷ୍ଠିତ

8

ନବରଙ୍ଗପୁର, ୧୭ ନଭେମ୍ବର: ମହିଳା ଓ ବାଳିକାମାନଙ୍କୁ ଡିଜିଟାଲ ତଥା ଆର୍ଥିକ ଦୃଷ୍ଟିରୁ ସଶକ୍ତ କରିବା ସହ ସେମାନଙ୍କ ଆଇନଗତ ଅଧିକାର, ଆର୍ଥିକ ସ୍ୱାବଲମ୍ବନ ଏବଂ ସାଇବର ସୁରକ୍ଷା ସମ୍ପର୍କରେ ସଚେତନ କରିବା ଉଦ୍ଦେଶ୍ୟରେ ବେଟି ବଚାଓ, ବେଟି ପଢ଼ାଓ (BBBP) ଯୋଜନା ଅନ୍ତର୍ଗତ ନବରଙ୍ଗପୁର ଜିଲ୍ଲା ପ୍ରଶାସନର ଜିଲ୍ଲା ସମାଜ କଲ୍ୟାଣ ବିଭାଗ ପକ୍ଷରୁ ମିଶନ ଶକ୍ତି ସମ୍ମିଳନୀ କକ୍ଷଠାରେ ଏକ ଦିବସୀୟ ଜିଲ୍ଲାସ୍ତରୀୟ କର୍ମଶାଳା ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀ ବିଶ୍ୱଜିତ ବର୍ମନ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ପ୍ରାରମ୍ଭରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ କର୍ମଶାଳାର ଉଦ୍ଦେଶ୍ୟ, ଆଭିମୁଖ୍ୟ ଓ ଏହାର ଆବଶ୍ୟକତା ସମ୍ପର୍କରେ ଉପସ୍ଥିତ ଅତିଥି ଓ ଅଂଶଗ୍ରହଣକାରୀଙ୍କୁ ଅବଗତ କରାଇଥିଲେ। କର୍ମଶାଳାରେ ଆଇନ ବିଶେଷଜ୍ଞ ଶ୍ରୀ କିଶୋରୀ ପଟ୍ଟନାୟକ, ସାଇବର କ୍ରାଇମ୍ ଇନ୍ସପେକ୍ଟର ଶ୍ରୀ ବିପିନ ବାଘ, କନଷ୍ଟେବଳ ଶ୍ରୀ ଦୀପକ କୁମାର ମହାନ୍ତି ଏବଂ ଡିଏସ୍‌ପି ଶ୍ରୀମତୀ ସରୋଜ ପୁନମ୍ କିସ୍ପୋଟ୍ଟା ବିଷୟ ବିଶେଷଜ୍ଞ ଭାବେ ଯୋଗଦେଇ ବିଭିନ୍ନ ବିଷୟରେ ତଥ୍ୟଭିତ୍ତିକ ଆଲୋଚନା କରିଥିଲେ। ସେମାନେ ମହିଳାଙ୍କ ଆଇନଗତ ଅଧିକାର, ସାଇବର ଅପରାଧର ବିଭିନ୍ନ ପ୍ରକାର, ଅନଲାଇନ୍ ଠକେଇରୁ ରକ୍ଷା ପାଇବାର ଉପାୟ ଏବଂ ଡିଜିଟାଲ ମାଧ୍ୟମରେ ସୁରକ୍ଷିତ ରହିବା ସମ୍ପର୍କରେ ବିସ୍ତୃତ ଭାବେ ବୁଝାଇଥିଲେ। ଏହି ଅବସରରେ ବ୍ୟାଙ୍କିଙ୍ଗ୍ ସେବାର ସୁରକ୍ଷିତ ବ୍ୟବହାର, ଡିଜିଟାଲ ଆର୍ଥିକ କାରବାର, ସଞ୍ଚୟର ଗୁରୁତ୍ୱ, ଆର୍ଥିକ ପରିଚାଳନା ଏବଂ ମହିଳାଙ୍କ ସାମାଜିକ ଓ ରାଜନୈତିକ ଅଧିକାର ସମ୍ପର୍କରେ ଆଲୋକପାତ କରାଯାଇଥିଲା। ବିଶେଷକରି ଓଟିପି (OTP) ମାଧ୍ୟମରେ ହେଉଥିବା ଠକେଇ, ବ୍ୟକ୍ତିଗତ ତଥ୍ୟର ଅପବ୍ୟବହାର ଏବଂ ସୋସିଆଲ ମିଡିଆରେ ଘଟୁଥିବା ବିଭିନ୍ନ ସାଇବର ଅପରାଧରୁ ନିଜକୁ ସୁରକ୍ଷିତ ରଖିବା ନିମନ୍ତେ ଆବଶ୍ୟକ ସତର୍କତା ଓ ପ୍ରତିକାରମୂଳକ ପଦକ୍ଷେପ ସମ୍ପର୍କରେ ଅଂଶଗ୍ରହଣକାରୀଙ୍କୁ ସଚେତନ କରାଯାଇଥିଲା। କର୍ମଶାଳାର ଅନ୍ୟତମ ଆକର୍ଷଣ ଥିଲା କିଶୋରୀ ବାଳିକାମାନଙ୍କୁ ପୁରସ୍କୃତ ଓ ସମ୍ମାନିତ କରିବା କାର୍ଯ୍ୟକ୍ରମ। ବିଭିନ୍ନ ସଚେତନତାମୂଳକ କାର୍ଯ୍ୟକଳାପରେ ଉତ୍ସାହର ସହ ଅଂଶଗ୍ରହଣ କରିବା ସହ ନିଜର ଦକ୍ଷତା ଓ ପ୍ରତିଭା ପ୍ରଦର୍ଶନ କରିଥିବା କିଶୋରୀ ବାଳିକାମାନଙ୍କୁ ମୁଖ୍ୟ ଅତିଥି ଓ ଅନ୍ୟ ଅତିଥିମାନଙ୍କ ଦ୍ୱାରା ପୁରସ୍କାର ପ୍ରଦାନ କରାଯାଇ ଉତ୍ସାହିତ କରାଯାଇଥିଲା। ଏହି ପଦକ୍ଷେପ କିଶୋରୀମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ, ସକାରାତ୍ମକ ପ୍ରତିଯୋଗିତାମୂଳକ ମନୋଭାବ ଓ ନେତୃତ୍ୱ ଗୁଣର ବିକାଶ ଦିଗରେ ପ୍ରେରଣା ଯୋଗାଇଥିଲା।
ଏହି କର୍ମଶାଳାରେ ଅତିରିକ୍ତ ଉପଜିଲ୍ଲାପାଳ, ଡିଏସ୍‌ପି, ଏଡିଇଓ, ପୋଲିସ ବିଭାଗର କର୍ମଚାରୀ, ୱାନ୍ ଷ୍ଟପ୍ ସେଣ୍ଟରର ଆଇନ ପରାମର୍ଶଦାତା, ପିଓ-କମ୍-ପିଓ, ସିଡିପିଓ, ଜିଲ୍ଲା ମହିଳା ସଶକ୍ତିକରଣ ହବ୍‌ର କର୍ମଚାରୀ, ଅଙ୍ଗନବାଡ଼ି କର୍ମୀ ଏବଂ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଯୋଗଦେଇଥିଲେ।
ମହିଳା ଓ ବାଳିକାମାନଙ୍କୁ ଆଇନ ସଚେତନ, ଆର୍ଥିକ ଭାବେ ସ୍ୱାବଲମ୍ବୀ ଏବଂ ଡିଜିଟାଲ ମାଧ୍ୟମରେ ସୁରକ୍ଷିତ କରିବା ସହ କିଶୋରୀମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ, ଆତ୍ମନିର୍ଭରଶୀଳତା ଓ ନେତୃତ୍ୱ ଗୁଣର ବିକାଶ ଘଟାଇବା ଦିଗରେ ଏହି କର୍ମଶାଳା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏଭଳି ସଚେତନତାମୂଳକ କାର୍ଯ୍ୟକ୍ରମ ମହିଳା ଓ ବାଳିକାମାନଙ୍କୁ ନିଜ ଅଧିକାର ସମ୍ପର୍କରେ ସଚେତନ କରିବା ସହ ଏକ ସୁରକ୍ଷିତ, ସମାନତାଭିତ୍ତିକ ଓ ସଶକ୍ତ ସମାଜ ଗଠନରେ ସହାୟକ ହେବ।

Leave A Reply

Your email address will not be published.