ରକ୍ତଦାନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଭିନ୍ନ ଅନୁଷ୍ଠାନ ଓ ଆୟୋଜକ ସମ୍ମାନିତ
ନବରଙ୍ଗପୁର, :ରକ୍ତଦାନ ହେଉଛି ମାନବ ସେବାର ଏକ ମହତ୍ତମ ଉଦାହରଣ। ଜଣେ ସ୍ୱେଚ୍ଛାକୃତ ରକ୍ତଦାତାଙ୍କ ଦାନ ଅନେକ ଅମୂଲ୍ୟ ଜୀବନ ରକ୍ଷା କରିବାରେ ସହାୟକ ହୋଇଥାଏ। ଏହି ମହତ୍ ଉଦ୍ଦେଶ୍ୟ ନେଇ ଜନସାଧାରଣଙ୍କ ମଧ୍ୟରେ ସ୍ୱେଚ୍ଛାକୃତ ରକ୍ତଦାନ ପ୍ରତି ସଚେତନତା ଓ ଆଗ୍ରହ ସୃଷ୍ଟି କରିବା ଲକ୍ଷ୍ୟରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଏବଂ ଜିଲ୍ଲା ବ୍ଲଡ୍ କାଉନସିଲ୍ (District Blood Council), ନବରଙ୍ଗପୁର ପକ୍ଷରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଜାତୀୟ ସ୍ୱେଚ୍ଛାକୃତ ରକ୍ତଦାତା ଦିବସ ପାଳିତ ହୋଇଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ (CDM & PHO) ଡା. ପ୍ରଫୁଲ୍ଲ କୁମାର ପାଢ଼ୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମାରୋହରେ ସ୍ୱେଚ୍ଛାକୃତ ରକ୍ତଦାନର ଗୁରୁତ୍ୱ, ରକ୍ତଦାତାଙ୍କ ମହତ୍ତ୍ୱପୂର୍ଣ୍ଣ ଅବଦାନ ଏବଂ ରକ୍ତର ଆବଶ୍ୟକତା ସମୟରେ ରୋଗୀଙ୍କୁ ନିରନ୍ତର ରକ୍ତ ଯୋଗାଣ ସୁନିଶ୍ଚିତ କରିବାରେ ସାମୂହିକ ଉଦ୍ୟମର ଆବଶ୍ୟକତା ଉପରେ ଆଲୋକପାତ କରାଯାଇଥିଲା।
ଏହି ଅବସରରେ ନବରଙ୍ଗପୁରର ବିଭିନ୍ନ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ବିତର୍କ ଓ କୁଇଜ୍ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏହି ପ୍ରତିଯୋଗିତାଗୁଡ଼ିକରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ସାର୍ଟିଫିକେଟ୍ ଓ ଟ୍ରଫି ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ଏଭଳି ଆୟୋଜନ ଯୁବପିଢ଼ିଙ୍କ ମଧ୍ୟରେ ରକ୍ତଦାନ ସମ୍ପର୍କିତ ସଚେତନତା ବୃଦ୍ଧି ସହିତ ସମାଜ ପ୍ରତି ସେବା ଓ ଦାୟିତ୍ୱବୋଧର ଭାବନା ଜାଗ୍ରତ କରିବାରେ ସହାୟକ ହେବ ବୋଲି ମତ ପ୍ରକାଶ ପାଇଥିଲା। ଏଥିସହିତ ବର୍ଷସାରା ଜିଲ୍ଲାର ବିଭିନ୍ନ ସ୍ଥାନରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରି ରକ୍ତଭଣ୍ଡାରକୁ ରକ୍ତ ଯୋଗାଣରେ ସହଯୋଗ କରିଥିବା ବିଭିନ୍ନ ଅନୁଷ୍ଠାନ ଓ ଶିବିର ଆୟୋଜକମାନଙ୍କୁ ମଧ୍ୟ ଏହି ଅବସରରେ ପ୍ରଶଂସାପତ୍ର ଓ ସମ୍ମାନ ପ୍ରଦାନ କରାଯାଇଥିଲା। ଜିଲ୍ଲାରେ ସ୍ୱେଚ୍ଛାକୃତ ରକ୍ତଦାନ ଆନ୍ଦୋଳନକୁ ଆଗକୁ ବଢ଼ାଇବା ଏବଂ ରକ୍ତର ଅଭାବ ଯୋଗୁଁ ଯେପରି କୌଣସି ରୋଗୀ ଚିକିତ୍ସାରୁ ବଞ୍ଚିତ ନ ହୁଅନ୍ତି, ସେଥିପାଇଁ ସମସ୍ତଙ୍କ ସହଯୋଗ ଓ ସକ୍ରିୟ ଭାଗୀଦାରିର ଆବଶ୍ୟକତା ଉପରେ ଗୁରୁତ୍ୱ ଦିଆଯାଇଥିଲା। ରକ୍ତଭଣ୍ଡାର ଚିକିତ୍ସା ଅଧିକାରୀ ଡା. ସୁମନ୍ତ ବଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ, ସମନ୍ୱୟ ଓ ଆନ୍ତରିକ ପ୍ରଚେଷ୍ଟା ଯୋଗୁଁ କାର୍ଯ୍ୟକ୍ରମଟି ସଫଳତାର ସହ ଆୟୋଜିତ ହୋଇପାରିଥିଲା। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଚିକିତ୍ସାଳୟର ଅଧୀକ୍ଷକ ଡା. ସୁକାନ୍ତ ଚନ୍ଦ୍ର ଶତପଥୀ, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ସତ୍ୟ ନାରାୟଣ ପ୍ରଧାନ, DMRCH ଶ୍ରୀ ମାନସ କୁମାର ପଣ୍ଡା, CPM-DISHA ଶ୍ରୀ ଚନ୍ଦ୍ରଶେଖର ପଟ୍ଟନାୟକ ଏବଂ ଜିଲ୍ଲା ଏପିଡେମିଓଲୋଜିଷ୍ଟଙ୍କ ସମେତ ସ୍ୱାସ୍ଥ୍ୟ ବିଭାଗର ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ। ADPHCO ଶ୍ରୀ ରାମହରି ପଣ୍ଡା ଏବଂ ଲାବୋରେଟୋରୀ ଟେକ୍ନିସିଆନ୍ (LT) ଶ୍ରୀ ଅରୁଣ କୁମାର ସ୍ୱାଇଁ କାର୍ଯ୍ୟକ୍ରମର ସୁପରିଚାଳନାରେ ସହଯୋଗ କରିଥିଲେ।