ବିଜେପୁର ଏନ୍‌ଏସିରେ ସଫେଇ ବ୍ୟବସ୍ଥା ବିପର୍ଯ୍ୟସ୍ତ ।

8

ବସଷ୍ଟାଣ୍ଡଠାରୁ ମନ୍ଦିର ଯାଏଁ ଗଦାଗଦା ଅଳିଆ, ବଢୁଛି ଅସନ୍ତୋଷ ।

ବିଜେପୁର – ବରଗଡ଼ ଜିଲ୍ଲା ବିଜେପୁର ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି)ରେ ସଫେଇ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଦୀର୍ଘ ୫ରୁ ୭ ଦିନ ହେଲା ସହରରେ ନିୟମିତ ସଫେଇ କାର୍ଯ୍ୟ ହେଉନଥିବାରୁ ବିଭିନ୍ନ ସ୍ଥାନରେ ଗଦାଗଦା ଅଳିଆ ଆବର୍ଜନା ପଡ଼ିରହିଛି। ଫଳରେ ସହରରେ ଅପରିଷ୍କାର ପରିବେଶ ସୃଷ୍ଟି ହୋଇଛି।ବିଶେଷକରି ବିଜେପୁର ବସଷ୍ଟାଣ୍ଡ, ବିଭିନ୍ନ ବିଦ୍ୟାଳୟ, ଥାନା ଓ ମନ୍ଦିର ନିକଟରେ ଅଳିଆ ଆବର୍ଜନା ଜମା ହୋଇରହିଥିବା ଦେଖିବାକୁ ମିଳୁଛି। ପ୍ରତିଦିନ ଶତାଧିକ ଲୋକ ଯାତାୟାତ କରୁଥିବା ବସଷ୍ଟାଣ୍ଡ ଏବଂ ଛାତ୍ରଛାତ୍ରୀ ପାଠପଢ଼ୁଥିବା ବିଦ୍ୟାଳୟ ନିକଟରେ ଏଭଳି ଅପରିଷ୍କାର ପରିବେଶ ଚିନ୍ତାର କାରଣ ପାଲଟିଛି। ସେହିପରି ସହରର ବିଭିନ୍ନ ସ୍ଥାନ ସମେତ ଥାନା ଓ ମନ୍ଦିର ନିକଟରେ ଦିନଦିନ ଧରି ଅଳିଆ ଜମା ହୋଇରହିବା ଯୋଗୁଁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଛି। ଅଳିଆ ଆବର୍ଜନାରୁ ଦୁର୍ଗନ୍ଧ ବାହାରିବା ସହ ମଶାମାଛିଙ୍କ ବଂଶବୃଦ୍ଧି ହେବାର ଆଶଙ୍କା ରହିଛି। ଏଥିସହ ରୋଗ ସଂକ୍ରମଣର ଆଶଙ୍କା ମଧ୍ୟ ଦେଖାଦେଇଛି।ସୂଚନା ଅନୁଯାୟୀ, ଗତ ପାଞ୍ଚ ଦିନ ହେଲା ସଫେଇ କାର୍ଯ୍ୟ ବନ୍ଦ ରହିଥିବା ବେଳେ କେଉଁ କାରଣରୁ ସଫେଇ କାମ ବନ୍ଦ ରହିଛି, ତାହା ସ୍ପଷ୍ଟ ହୋଇନାହିଁ। ତେବେ ସହରର ସ୍ୱଚ୍ଛତା ରକ୍ଷା ସହ ଜନସ୍ୱାସ୍ଥ୍ୟର ସୁରକ୍ଷା ଏନ୍‌ଏସି ପ୍ରଶାସନର ପ୍ରମୁଖ ଦାୟିତ୍ୱ। ଏଭଳି ସ୍ଥିତିରେ ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକରେ ଦିନଦିନ ଧରି ଅଳିଆ ଜମା ହୋଇରହିବା ପ୍ରଶାସନର ସଫେଇ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛି। ସଫେଇ କାର୍ଯ୍ୟ ବନ୍ଦ ରହିବାର ପ୍ରକୃତ କାରଣ କ’ଣ ଏବଂ କେବେଠାରୁ ସହରରେ ନିୟମିତ ସଫେଇ କାର୍ଯ୍ୟ ଆରମ୍ଭ ହେବ, ତାହାକୁ ନେଇ ଲୋକଙ୍କ ମଧ୍ୟରେ ପ୍ରଶ୍ନ ଉଠିଛି। ତୁରନ୍ତ ସହରର ବିଭିନ୍ନ ସ୍ଥାନରୁ ଅଳିଆ ଆବର୍ଜନା ଉଠାଇବା ସହ ସଫେଇ ବ୍ୟବସ୍ଥାକୁ ସ୍ୱାଭାବିକ କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।

Leave A Reply

Your email address will not be published.