ନୟାଗଡ଼ ଟ୍ରାଫିକ ବ୍ୟବସ୍ଥା ଆଧୁନିକୀକରଣର ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ

0 2

ନୟାଗଡ଼,୨୧/୨: ନୟାଗଡ଼ ସହରର ଟ୍ରାଫିକ ବ୍ୟବସ୍ଥାକୁ ସହଜ ଓ ସୁନ୍ଦର କରିବା ତଥା ଟ୍ରାଫିକ ସମସ୍ୟାର ସମାଧାନ ପାଇଁ ଏକ ଗୋଲେଇ ଛକ ଏବଂ ସ୍ୱୟଂକ୍ରିୟ ଟ୍ରାଫିକ ଅଲୋକ ବ୍ୟବସ୍ଥା ପାଇଁ କାର୍ଯ୍ୟର ଶୁଭାରମ୍ଭ କରାଯାଇଛି। ଆଜିର ଏହି ଶିଳାନ୍ୟାସ କାର୍ଯ୍ୟକ୍ରମରେ ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଶ୍ରୀଜଗନ୍ନାଥ ଙ୍କ ପ୍ରତିମୂର୍ତ୍ତିରେ ଧୂପପୁଷ୍ପ ଅର୍ପଣ କରି କାର୍ଯ୍ୟର ଶୁଭାରମ୍ଭ କରିଥିଲେ। ଏହି ଶିଳାନ୍ୟାସ ଉତ୍ସବରେ ସମ୍ମାନିତ ଅତିଥି ଭାବେ ନୟାଗଡ଼ ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁ,ଡିଏଫଓ କ୍ଷମା ଷଡଙ୍ଗୀ, ପଞ୍ଚାୟତ ସମିତି ଅଧକ୍ଷ କିଶୋର ଚନ୍ଦ୍ର ସାହୁ, ପୌର ପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ, ବ୍ଲକ ଉପାଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ସାହୁ, ପୌର ପରିଷଦ ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା ଏବଂ ଜିଲ୍ଲା ପରିଷଦ ସଦସ୍ୟମାନେ ତଥା ଜାତୀୟ ରାଜପଥର ପଦସ୍ଥ ଅଧିକାରୀମାନେ ଯୋଗ ଦେଇଥିଲେ। ସୂଚନାଯୋଗ୍ୟ ଯେ ଏହି ଆଧୁନିକୀକରଣ କାର୍ଯ୍ୟ ପାଇଁ ୨ କୋଟି୧୫ଲକ୍ଷ ଟଙ୍କାର ବ୍ୟୟ ଅନୁମୋଦନ ହୋଇଛି ।

ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ପ୍ରଚେଷ୍ଟାରେ ଏହି ଅର୍ଥ ବ୍ୟୟ ମଞ୍ଜୁର ହୋଇଥିବା ଜଣାପଡ଼ିଛି । ଟ୍ରାଫିକ ସମସ୍ୟା ଦୂର କରିବା ପାଇଁ ନୂତନ ଭାବେ ଟ୍ରାଫିକ ନିର୍ମାଣ କରିବା ପାଇଁ ଜାତୀୟ ରାଜପଥ ବିଭାଗକୁ ଦାୟିତ୍ୱ ଦିଆଯାଇଛି । ନୟାଗଡ଼ ଦେଇ ଖୋର୍ଦ୍ଧା ବଲାଙ୍ଗୀର ଜାତୀୟ ରାଜପଥ ଯାଇଥିବା ବେଳେ ଏହାକୁ ତାଳଚେର ଗୋପାଳପୁର ରାଜ୍ୟ ରାଜପଥ ଅତ୍ରିକ୍ରମ କରିଛି । ଫଳରେ ନୟାଗଡ଼ ମୁଖ୍ୟ ଟ୍ରାଫିକ ଛକରେ ରହିଥିବା ପୂରତନ ଟ୍ରାଫିକ ପୋଷ୍ଟ ଦ୍ବାରା ଟ୍ରାଫିକ ନିୟନ୍ତ୍ରଣ କରିବା ସମ୍ଭବ ହେଉନାହିଁ । ଫଳରେ ଉକ୍ତ ସ୍ଥାନରେ ଗୋଲେଇ ଛକ ନିର୍ମାଣ କରାଯିବାକୁ ଯୋଜନା ହୋଇଛି । ଏହାର ସିଭିଲ କାମ ପାଇଁ ୧ କୋଟି ୪୪ ଲକ୍ଷ ଟଙ୍କାର ବ୍ୟୟ ବରାଦ ହୋଇଥିବା ବେଳେ ବିଦ୍ୟୁତ୍ ଓ ଅନ୍ୟାନ କାମ ପାଇଁ ୪୪ ଲକ୍ଷ ଟଙ୍କାର ବ୍ୟୟବରାଦ ହୋଇଛି । ଖଣ୍ଡପଡ଼ାରୁ ନୟାଗଡ଼ ଟ୍ରାଫିକକୁ ସଂଯୋଗ କରୁଥିବା ରାସ୍ତାକୁ ଦୁଇ ଭାଗରେ ବିଭକ୍ତ କରାଯାଇ ଗୋଟିଏ ଭାଗ ପୁରୁଣା ବସଷ୍ଟାଣ୍ଡ ଉପର ଦେଇ ଜାତୀୟ ରାଜପଥକୁ ସଂଯୋଗ କରିବ । ଏହାର ମଧ୍ୟ ସ୍ଥଳରେ ଏକ ଗୋଲାକୃତ୍ତ ପାର୍କ ନିର୍ମାଣ ହେବ। ଏହା ବାଦ ସୌନ୍ଦର୍ଯ୍ୟ କରଣ କାର୍ଯ୍ୟ ମଧ୍ୟ କରାଯିବ ବୋଲି ଜଣାଯାଇଛି । ନୟାଗଡ଼ ସହରରେ ବହୁ ବର୍ଷ ଧରି ଏହି ଟ୍ରାଫିକ ବ୍ୟବସ୍ଥା କରିବା ପାଇଁ ଦାବି ହୋଇ ଆସୁଥିଲା । ମାତ୍ର ପୁରୁଣା ବସଷ୍ଟାଣ୍ଡରେ ବସ ରହଣି କାରଣରୁ ସମସ୍ୟା ଦୂର କରିବାରେ ବାଧା ସୃଷ୍ଟି ହୋଇଥିଲା ।

Leave A Reply

Your email address will not be published.