ଭୁବନେଶ୍ୱର, ୨୧/୦୨: ଛାତ୍ରଛାତ୍ରୀମାନେ ବୃତିଗତ ଦୁନିଆରେ ଓ ପ୍ରତିଯୋଗିତାମୂଳକ ପରିବେଶରେ ନିଜ ସ୍ଥିତିକୁ ସୁଦୃଢ଼ କରିବାର ମନ୍ତ୍ର ଦେବାର ଉଦ୍ଦେଶ୍ୟ ନେଇ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଦୁଇଜଣ ପୁରାତନ ଛାତ୍ର ଦୁଇଟି ପୁସ୍ତକ ରଚନା କରିଛନ୍ତି ।
ସୋଆର ପୁରାତନ ଛାତ୍ର ଅରବିନ୍ଦ ଦାସ “କର୍ପୋରେଟ ବ୍ରହ୍ମାସ୍ତ୍ର” ନାମକ ପୁସ୍ତକ ଲେଖିଛନ୍ତି ଯାହା ଏଲିନ୍ ପବ୍ଲିସ୍ର୍ସଙ୍କ ଦ୍ୱାରା ଏହାର ପ୍ରକାଶିତ ହୋଇଛି । ଏହି ପୁସ୍ତକରେ ବିଶ୍ୱବିଦ୍ୟାଳୟ ତଥା ବିଭିନ୍ନ ଶିକ୍ଷାନୁଷ୍ଠାନରୁ ଶିକ୍ଷା ସମାପ୍ତ କରି ବାହାରୁଥିବା ଛାତ୍ରଛାତ୍ରୀମାନେ କିଭଳି ନିଜକୁ ଦକ୍ଷ କରିପାରିବେ ଏବଂ ସମୟ ସହିତ ତାଳ ଦେଇ ଚାଲି ଭିଡ଼ ଭିତରେ କିଭଳି ନିଜକୁ ଛିଡ଼ା କରାଇପାରିବେ ସେ ସମ୍ପର୍କରେ ତଥ୍ୟ ରହିଛି ।
ସେହିପରି ଅନ୍ୟ ଜଣେ ପୁରାତନ ଛାତ୍ର ପରାଗ ରାୟ “ୟୁ-ଦ କ୍ୟାରିୟର କ୍ରିଏଟର୍ ଭି ୨.୦” ନାମକ ପୁସ୍ତକ ଲେଖିଛନ୍ତି । କୌଣସି ବିରୋଧାତ୍ମକ ଚିନ୍ତା କିମ୍ବା ମାନସିକ ଉଦ୍ବିଳନର ବଶବର୍ତୀ ନ ହୋଇ କିଭଳି ନିଜର ବୃତିଗତ କ୍ୟାରିୟର ଗଠନ କରିହେବ ସେ ସମ୍ପର୍କରେ ପୁସ୍ତକରେ ଉଲ୍ଲେଖ ରହିଛି ।
ଏହି ଦୁଇ ପୁସ୍ତକର ରଚୟିତା ସୋଆ ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର)ର ପୁରାତନ ଛାତ୍ର । ଏମାନଙ୍କ ମଧ୍ୟରୁ ଶ୍ରୀ ଦାସ ଇଲେକ୍ଟ୍ରିକାଲ୍ ଆଣ୍ଡ ଇଲେକ୍ଟ୍ରୋନିକ୍ସ ଇଞ୍ଜିନିୟରିଂରେ ବିଟେକ୍ କରିଥିବା ବେଳେ ଶ୍ରୀ ରାୟ ମେକାନିକାଲ୍ ଇଞ୍ଜିନିୟରିଂରେ ବିଟେକ୍ କରିଛନ୍ତି ।
ଶ୍ରୀ ଦାସ କହିଛନ୍ତି ମୋ ପୁସ୍ତକଟି ବିଶେଷ ଭାବେ କଲେଜ ଛାତ୍ରଛାତ୍ରୀ ଏବଂ କାର୍ଯ୍ୟରତ ବ୍ୟକ୍ତିମାନଙ୍କର ମାନସିକତାକୁ ସୁଦୃଢ଼ କରିବା ପାଇଁ ଉଦ୍ଦିଷ୍ଟ । ମୁଁ ଜଣେ ସଫ୍ଟ ସ୍କିଲ୍ ଟ୍ରେନର ଏବଂ ମୋଟିଭେସ୍ନାଲ୍ ସ୍ପିକର୍ । ଯୁବବର୍ଗଙ୍କ କ୍ଷେତ୍ରରେ ପରିବର୍ତନ ଆଣିବା ମୋର ଲକ୍ଷ୍ୟ ବୋଲି ସେ କହିଛନ୍ତି ।
ଏହି ପୁସ୍ତକଟି ବୃତିଗତ କ୍ଷେତ୍ରରେ ଉତ୍କର୍ଷ ଆଣିବା ଦିଗରେ ସହାୟକ ହେବ । ଏକବିଂଶ ଶତାବ୍ଦୀ ନିମନ୍ତେ ୨୧ଟି ବୃତିଗତ ଦକ୍ଷତା ସମ୍ପର୍କରେ ଏହି ପୁସ୍ତକରେ ଉଲ୍ଲେଖ ଅଛି ।
ସେହିପରି ଶ୍ରୀ ରାୟ ଯିଏ କି ସୂଚନା ଓ ପ୍ରଯୁକ୍ତି ଶିଳ୍ପ କ୍ଷେତ୍ରରେ ସେଲ୍ସ ଆଣ୍ଡ ମାର୍କେଟିଂ ପ୍ରଫେସ୍ନାଲ୍ ଭାବେ କାର୍ଯ୍ୟରତ ଅଛନ୍ତି ସେ ନିଜ ପୁସ୍ତକରେ ଛାତ୍ରଛାତ୍ରୀ ଓ ଯେଉଁମାନେ କାର୍ଯ୍ୟରତ ସେମାନଙ୍କ କ୍ୟାରିୟର କ୍ଷେତ୍ରରେ ୫ ସ୍ତରୀୟ ପ୍ରୟୋଗ ସମ୍ପର୍କରେ ଆଲୋକପାତ କରିଛନ୍ତି ।
ନିକଟରେ ଉଭୟ ଶ୍ରୀ ଦାସ ଓ ଶ୍ରୀ ରାୟ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କୁ ଭେଟି ପୁସ୍ତକ ଦୁଇଟି ପ୍ରଦାନ କରିଛନ୍ତି । ପ୍ରଫେସର (ଡକ୍ଟର) ନାୟକ ଦୁଇ ଜଣଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କର ଉଜ୍ୱଳ ଭବିଷ୍ୟତ ନେଇ କାମନା କରିଛନ୍ତି ।
Sign in
Sign in
Recover your password.
A password will be e-mailed to you.
Next Post