ସାରଳା ମନ୍ଦିର ଓ ଆଦିକବି ସାରଳା ଦାସଙ୍କ ଉପରେ ପୁସ୍ତକ – ଶ୍ରୀ ଚଣ୍ଡୀ ସାରଳା ମାଦଳା ଉନ୍ମୋଚିତ

0 2

ମନ୍ଦିର ମୁଖ୍ୟ ପୂଜକ ରଞ୍ଜନ କୁମାର ପଣ୍ଡାଙ୍କ ଦ୍ୱାରା ଲିଖିତ ପୁସ୍ତକ ପଦ୍ମଶ୍ରୀ ପଣ୍ଡିତ ଡକ୍ଟର ଅନ୍ତର୍ୟ୍ୟାମୀ ମିଶ୍ରଙ୍କ ଦ୍ବାରା ଉନ୍ମୋଚିତ

ଝଙ୍କଡ଼ ସାରଳା: ଓଡ଼ିଶାର ଜଗତସିଂହପୁର ଜିଲ୍ଲାରେ ଅବସ୍ଥିତ ସାରଳା ମନ୍ଦିରର ଇତିହାସ ଓ ସଂସ୍କୃତି ଏବଂ ପଞ୍ଚଦଶ ଶତାବ୍ଦୀର କବି ତଥା ଓଡ଼ିଆ ମହାଭାରତର ରଚୟିତା ଆଦିକବି ସାରଳା ଦାସଙ୍କ ଜୀବନୀ ଉପରେ ରଚିତ ଓଡ଼ିଆ ପୁସ୍ତକ’ଶ୍ରୀ ଚଣ୍ଡୀ ସାରଳା ମାଦଳା’, ବିଶିଷ୍ଟ ଓଡ଼ିଆ ଭାଷା ଗବେଷକ ପଦ୍ମଶ୍ରୀ ପଣ୍ଡିତ ଅନ୍ତର୍ୟ୍ୟାମୀ ମିଶ୍ର ଉନ୍ମୋଚନ କରିଛନ୍ତି। ଏହି ଅବସରରେ ଓଡ଼ିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ପ୍ରମଥ ପଟ୍ଟନାୟକ, ବିଶିଷ୍ଟ ଲେଖକ ଗୌରହରି ଦାସ ଓ ଫକୀର ମୋହନ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଶୁକଦେବ ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।
ସାରଳା ମନ୍ଦିରର ମୁଖ୍ୟ ପୂଜକ ତଥା ଜଗତସିଂହପୁରର ବିଶିଷ୍ଟ ଆଇନଜୀବୀ ରଞ୍ଜନ କୁମାର ପଣ୍ଡାଙ୍କ ଦ୍ୱାରା ଲିଖିତ ଏହି ପୁସ୍ତକରେ 18ଟି ଅଧ୍ୟାୟ ଓ 343 ପୃଷ୍ଠା ରହିଛି। ଏଥିରେ ଶକ୍ତିପୂଜା ପରମ୍ପରା, ଦେବୀ ସାରଳାଙ୍କ ମୂର୍ତ୍ତିର ବୈଶିଷ୍ଟ୍ୟ, ବୌଦ୍ଧ ଧର୍ମ ସହ ଏହାର ସମ୍ପର୍କ, କବି ସାରଳା ଦାସଙ୍କ ଜୀବନ ଓ ବଂଶ, ସାରଳା ମନ୍ଦିର ସହ ତାଙ୍କର ସମ୍ପର୍କ ଆଦି ବିଭିନ୍ନ ପ୍ରସଙ୍ଗ ସ୍ଥାନ ପାଇଛି।
ଉନ୍ମୋଚନ ଉତ୍ସବରେ ଯୋଗଦେଇ ଡକ୍ଟର ଅନ୍ତର୍ୟ୍ୟାମୀ ମିଶ୍ର ପୁସ୍ତକଟି ସାରଳା ମନ୍ଦିର ଓ କବି ସାରଳା ଦାସଙ୍କ ଇତିହାସ ଓ ସଂସ୍କୃତିର ଏକ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ବୋଲି ମନ୍ତବ୍ୟ ଦେଇଥିଲେ। ଏହି ପୁସ୍ତକରେ ସାରଳା ମନ୍ଦିର ସମ୍ପର୍କରେ ଅନେକ ଅଜଣା ତଥ୍ୟ ପାଠକମାନଙ୍କୁ ଅବଗତ କରାଇବା ସହ ଏହା ମନ୍ଦିର ଓ କବିଙ୍କ ସହ ଜଡ଼ିତ ଅନେକ ଅପ୍ରମାଣିତ ତତ୍ତ୍ବର ସମାଧାନ କରିବାରେ ସହାୟକ ହେବ ବୋଲି ସେ ଆଶାବ୍ୟକ୍ତ କରିଥିଲେ।
ପୁସ୍ତକର ମୁଖବନ୍ଧ ଲେଖିଥିବା ବିଶିଷ୍ଟ ଓଡ଼ିଆ ଲେଖକ ତଥା ଓଡ଼ିଆ ଦୈନିକ ‘ସମୟ’ର ସମ୍ପାଦକ ସାତକଡି ହୋତା କହିଛନ୍ତି ଯେ, ମନ୍ଦିରର ମୁଖ୍ୟ ପୂଜକ ଭାବେ ଏହି ବିଷୟ ସହିତ ଲେଖକଙ୍କ ଭାବଗତ ସମ୍ପର୍କ ମନ୍ଦିରର ଘଟଣାବହୁଳ ଇତିହାସ ଓ ସଂସ୍କୃତି ସମ୍ପର୍କରେ ଯତ୍ନର ସହ ଉପସ୍ଥାପିତ ତଥ୍ୟରୁ ପ୍ରତିଫଳିତ ହୋଇଛି।
ପୁସ୍ତକର ପୃଷ୍ଟଭୂମୀ ବର୍ଣ୍ଣଣା କରି ଲେଖକ ରଞ୍ଜନ କୁମାର ପଣ୍ଡା ସାରଳା କହିଛନ୍ତି ଯଏ ସାରଳା ମନ୍ଦିର ଓ ଆଦିକବି ସାରଳା ଦାସଙ୍କ ଉପରେ କୌଣସି ପ୍ରାମାଣିକ ଓ ଗବେଷଣା ଭିତ୍ତିକ ସନ୍ଦର୍ଭର ଅଭାବ ମନ୍ଦିର ଉପରେ ଏକ ୱେବସାଇଟ୍ ନିର୍ମାଣବେଳେ ସେ ଅନୁଭବ କରିଥିଲେ। ସେଥରୁ ଏହି ପୁସ୍ତକର ପରିକଳ୍ପନା ହୋଇଛି। ଅନେକ ପ୍ରତ୍ୟକ୍ଷ ପ୍ରାଥମିକ ଉତ୍ସ ଏବଂ ଏହି ବିଷୟ ଉପରେ 200ରୁ ଅଧିକ ପୁସ୍ତକକୁ ଅନୁଧ୍ୟାନ କରି ଗବେଷଣା ଲବ୍ଧ ତଥ୍ୟକୁ ପୁସ୍ତକେର ଉପସ୍ଥାପନ କରାଯାଇଛି। ଏହି ପୁସ୍ତକଟି ଆହୁରି ଅନେକଙ୍କୁ ଏହି ବିଷୟରେ ଅଧିକ ଗବେଷଣା କରିବା ପାଇଁ ପ୍ରେରଣା ଦେବ ବୋଲି ସେ ବିଶ୍ୱାସ ପ୍ରକଟ କରିଛନ୍ତି।
“ଶ୍ରୀ ଚଣ୍ଡୀ ସାରଳା ମାଦଳା” ଶାକ୍ତ ପରମ୍ପରା, ସାରଳା ମନ୍ଦିର ଓ ଓଡ଼ିଆ ମହାଭାରତ ଲେଖକ ସାରଳା ଦାସଙ୍କ ଇତିହାସ ଓ ସଂସ୍କୃତିର ସଂରକ୍ଷଣକ୍ଷେତ୍ରରେ ଏକ ଉଲ୍ଲେଖନୀୟ ମାଇଲଖୁଣ୍ଟ। ଏହି ପୁସ୍ତକ ଓଡ଼ିଶା ଓ ଭାରତୀୟ ସାହିତ୍ୟରେ ଶକ୍ତିପୂଜାର ବିଦ୍ୱାନ, ଗବେଷକ, ଉତ୍ସାହୀମାନଙ୍କ ପାଇଁ ଏକ ମୂଲ୍ୟବାନ ସମ୍ବଳ ଭାବେ ସହାୟକ ହେବ। ବିସ୍ତୃତ ଡକ୍ୟୁମେଣ୍ଟେସନ୍, ଘଟଣାକ୍ରମ ଅନୁଶୀଳନ ଏବଂ ପ୍ରାଥମିକ ଉତ୍ସର ବ୍ୟବହାର ଏହି ପୁସ୍ତକକୁ ମନ୍ଦିରର ଇତିହାସ ଏବଂ କିମ୍ବଦନ୍ତୀ କବି ସାରଳା ଦାସଙ୍କ ସହ ଏହାର ସମ୍ପର୍କ ବିଷୟରେ ଆଗ୍ରହୀ ଯେକୌଣସି ବ୍ୟକ୍ତିଙ୍କ ପାଇଁ ଏକ ଅନନ୍ୟ ଉପାଦାନ।
ଝଙ୍କଡ଼ ସାହିତ୍ୟ ସଂସଦର ସମ୍ପାଦକ ଗୋଲକ ବିହାରୀ ପଲାଇଙ୍କ ସମେତ ଜଳସମ୍ପଦ ବିଭାଗର ଯନ୍ତ୍ରୀ ଭକ୍ତରଞ୍ଜନ ମହାନ୍ତି, ସାରଳା ମନ୍ଦିରର କାର୍ୟ୍ୟନିର୍ବାହୀ ଅଧିକାରୀ ସୂର୍ୟ୍ୟରଞ୍ଜନ ପରିଜା ପ୍ରମୁଖ ଏହି କାର୍ୟ୍ୟକ୍ରମରେ ଯୋଗ ଦେଇଥିଲେ।

Leave A Reply

Your email address will not be published.