କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଜୟନ୍ତୀ ଉତ୍ସବର: ଭଞ୍ଜ କଳା କେନ୍ଦ୍ରର କଳାକାରଙ୍କ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ

0

ରାଉରକେଲା; ଗୋପବନ୍ଧୁ ସାଂସ୍କୃତିକ ସମିତି ଆନୁକୁଲ୍ୟରେ ରାଜଗାଙ୍ଗପୁର ଓସିଏଲ ପ୍ରେକ୍ଷାଳୟଠାରେ ଅଗଷ୍ଟ ୩ ତାରିଖରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଜୟନ୍ତୀ ଉତ୍ସବ ପାଳନ ଅବସରରେ ରାଉରକେଲା ଭଞ୍ଜ କଳା କେନ୍ଦ୍ରର କଳାକାରମାନେ ମନମୁଗ୍ଧକର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଏହି ଭବ୍ୟ ସମାରୋହକୁ ଓସିଏଲର ନିର୍ବାହୀ ନିର୍ଦ୍ଦେଶକ, ଶ୍ରୀ ସୁନୀଲ ଗୁପ୍ତା ଉଦଘାଟନ କରିଥିଲେ। ଉତ୍ସବରେ ସଂଗମ ମହିଳା ମଣ୍ଡଳର ଅଧ୍ୟକ୍ଷା, ଶ୍ରୀମତୀ ସୁନିତା ଗୁପ୍ତା ସମ୍ମାନିତା ଅତିଥି ରୂପେ ଯୋଗଦେଇଥିଲେ। ଅତିଥି ମାନେ କବି ସମ୍ରାଟଙ୍କ ପଟ୍ଟଚିତ୍ରରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ଏବଂ ପ୍ରଦୀପ ପ୍ରଜ୍ଜ୍ଵଳନ କରି ଉତ୍ସବର ଶୁଭ ଉଦଘାଟନ କରିଥିଲେ । ଉତ୍ସବରେ ଓସିଏଲର ବହୁ ବରିଷ୍ଠ ଅଧିକାରୀ ସପରିବାର ଉପସ୍ଥିତ ଥିଲେ। 

   ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ପରିବେଷଣ ସହିତ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା। ଭଞ୍ଜ କଳା କେନ୍ଦ୍ରର କଳାକାରମାନଙ୍କ ଦ୍ଵାରା ପରିବେଷିତ ଚିତ୍ତାକର୍ଷକ ଓଡିଶୀ ନୃତ୍ୟ ନାଟିକା ‘ବିନ୍ଧ୍ୟବାସିନୀ’ ଉପସ୍ଥିତ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ନୃତ୍ୟଶିଳ୍ପୀଙ୍କ ଭାବ, ଛନ୍ଦ ଓ ଲୟରେ ଦେବୀ ଦୂର୍ଗାଙ୍କ ଭିନ୍ନଭିନ୍ନ ରୂପ ପ୍ରତିଫଳିତ ହୋଇଥିଲା ଯାହା ଉପସ୍ଥିତ ଦର୍ଶକଙ୍କ ମନକୁ ବେଶ ଛୁଇଁଥିଲା।  ପରେପରେ ବିଶିଷ୍ଟ କଣ୍ଠଶିଳ୍ପୀ ଓ ସଙ୍ଗୀତଗୁରୁ ଶ୍ରୀମତୀ ବୀଣାପାଣି ରଥ ଏବଂ ଶ୍ରୀମତୀ ବାସବଦତ୍ତା ମହାନ୍ତି ନିଜର ସୁଲଳିତ କଣ୍ଠରେ ମନଛୁଆଁ ଓଡିଆ ସଙ୍ଗୀତ ପରିବେଷଣ କରିଥିଲେ ଯାହା ସମସ୍ତଙ୍କ ମନଭରି ଉପଭୋଗ କରିଥିଲେ। ଏହାପରେ ଭଞ୍ଜ କଳା କେନ୍ଦ୍ରର କଳାକାରଙ୍କ ଦ୍ଵାରା ପ୍ରସ୍ତୁତ ଲୋକ ନୃତ୍ୟ ଡାଲଖାଇ ଓ ରଙ୍ଗବତି ସମଗ୍ର ପରିବେଶରେ ରୋମାଞ୍ଚ ଆଣିଦେଇଥିଲା । 

ଶ୍ରୀ ଦୁର୍ଗେଶ ମିଶ୍ର ସ୍ଵାଗତ ଅଭିଭାଷଣ ପ୍ରସ୍ତୁତ କରିଥିବାବେଳେ ଶ୍ରୀ ସୁଧୀର ରଞ୍ଜନ ମହାନ୍ତି ଧନ୍ୟବାଦ ଜ୍ଞାପନ କରିଥିଲେ।   

ସୂଚନାଯୋଗ୍ୟ ଯେ, ଭଞ୍ଜ ସାଂସ୍କୃତିକ ନ୍ୟାସର ଶାଖା ତଥା ଓଡିଶାର କଳା ଓ ସଂସ୍କୃତିର ଅନ୍ୟତମ ପ୍ରାଣକେନ୍ଦ୍ର ଓ ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଭଞ୍ଜ କଳା କେନ୍ଦ୍ର ଓଡିଶୀ ନୃତ୍ୟ, ସଙ୍ଗୀତ, ଲୋକନୃତ୍ୟ, ଶାସ୍ତ୍ରୀୟ ସଙ୍ଗୀତର ପ୍ରଚାର ପ୍ରସାର କ୍ଷେତ୍ରରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସୁଛି ଏବଂ ଅନୁଷ୍ଠାନରେ ସମ୍ପ୍ରତି ୩ ଶହରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ନୃତ୍ୟ ସଙ୍ଗୀତ ଶିକ୍ଷାଲାଭ କରୁଛନ୍ତି। ଗତ ବର୍ଷ ଏହି ସର୍ବପୁରାତନ  ଅନୁଷ୍ଠାନ ଏହାର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଳନ କରିଥିଲା। ଭଞ୍ଜ କଳା କେନ୍ଦ୍ର ଆନୁକୁଲ୍ୟରେ ଆୟୋଜିତ ବେଦବ୍ୟାସ ସଙ୍ଗୀତ ନୃତ୍ୟୋତ୍ସବ ଜାତୀୟ ଓ ରାଜ୍ୟର ସଂସ୍କୃତି ଓ ପର୍ଯ୍ୟଟନ କ୍ୟାଲେଣ୍ଡରରେ ସ୍ଥାନ ପାଇବା ସହିତ ଏକ ଆନ୍ତର୍ଜାତୀୟ ଉତ୍ସବର ମାନ୍ୟତା ଲାଭ କରିଛି ଏବଂ ଏଥିରେ ଦେଶବିଦେଶର ଲବ୍ଧପ୍ରତିଷ୍ଠ କଳାକାରମାନେ ନିଜର ନୃତ୍ୟଚାତୁରୀ ପରିବେଷଣ କରିଛନ୍ତି। 

Leave A Reply

Your email address will not be published.