ଜଗତସିଂହପୁର ଗସ୍ତରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ୮ଜଣିଆ ଟିମ୍‌

0

ସମ୍ବଳର ସଠିକ୍‌ ବିନିଯୋଗ, ଭିତ୍ତିଭୂମିର ଦୀର୍ଘସ୍ଥାୟିତ୍ୱ ଉପରେ ଗୁରୁତ୍ୱ

  •  ୨ଦିନରେ ୩୫ସ୍କୁଲ୍‌ର କାର୍ଯ୍ୟସମୀକ୍ଷା

  •  ଡିଜିଟାଲ ଭିତ୍ତିଭୂମି, ପରିମଳ ବ୍ୟବସ୍ଥା, ମଧ୍ୟାହ୍ନ ଭୋଜନର ମାନ ଯାଞ୍ଚ

  •  ସରକାରୀ ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ପାଇଁ ଜିଲ୍ଲାପାଳଙ୍କ ସହ ଆଲୋଚନା

ଭୁବନେଶ୍ୱର : ଓଡ଼ିଶାରେ ଶିକ୍ଷା ଭିତ୍ତିଭୂମିକୁ ସୁଦୃଢ଼ କରିବା ସହ ସରକାରୀ ବିଦ୍ୟାଳୟରେ ପଢ଼ìଥିବା ଛାତ୍ରଛାତ୍ରୀମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ଲାଗି ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି । ଏଥିପାଇଁ ସ୍କୁଲ୍‌ସ୍ତରରୁ ଆରମ୍ଭକରି ରାଜ୍ୟସ୍ତର ପର୍ଯ୍ୟନ୍ତ ଏକାଧିକ ଯୋଜନା କାର୍ଯ୍ୟକାରୀ ହେଉଛି । ଓଡ଼ିଶାର ହାଇସ୍କୁଲ୍‌ ରୂପାନ୍ତରଣ କାର୍ଯ୍ୟକ୍ରମ ବିଦ୍ୟାଳୟ ଶିକ୍ଷା ଭିତ୍ତିଭୂମିରେ ଅଭୂତପୂର୍ବ ପରିବର୍ତ୍ତନ ଆଣିଥିବାବେଳେ ରାଜ୍ୟ ସରକାରଙ୍କ ‘ଶିକ୍ଷଣ ପରିପୂରଣ କାର୍ଯ୍ୟକ୍ରମ’ କୋଭିଡ୍‌ ସମୟରେ ବାଧାପ୍ରାପ୍ତ ହୋଇଥିବା ଶିକ୍ଷାବ୍ୟବସ୍ଥାକୁ ପୁଣିଥରେ ସଜାଡ଼ିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି । ସ୍କୁଲ୍‌ଶିକ୍ଷାର ସର୍ବାଙ୍ଗୀନ ବିକାଶ ଲକ୍ଷ୍ୟରେ କାର୍ଯ୍ୟକାରୀ ହେଉଥିବା ଏହି କାର୍ଯ୍ୟକ୍ରମଗୁଡ଼ିକର ବ୍ୟାପକତାକୁ ଦୃଷ୍ଟିରେ ରଖି ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସ୍କୁଲ୍‌ ଏବଂ ଜିଲ୍ଲାସ୍ତରୀୟ ସମୀକ୍ଷାକୁ କଡ଼ାକଡ଼ି କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହିକ୍ରମରେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନସ୍ଥ ମୋଟ ୮ଟି ଟିମ୍‌ ଗୁରୁବାର ଏବଂ ଶୁକ୍ରବାର ଜଗତସିଂହପୁର ଜିଲ୍ଲା ଗସ୍ତକରି ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଛନ୍ତିି ।
ବିଭାଗ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ଯୋଜନାଗୁଡ଼ିକର ସଫଳ ରୂପାୟନ ସହ ଛାତ୍ରଛାତ୍ରୀମାନେ ଏହାଦ୍ୱାରା ଉପକୃତ ହୋଇପାରୁଛନ୍ତି କି ନାହିଁ ସେନେଇ ସ୍କୁଲ୍‌, ବ୍ଲକ୍‌ ଏବଂ ଜିଲ୍ଲା କର୍ତ୍ତୃପକ୍ଷଙ୍କ ସହ ବିଭାଗୀୟ ସଚିବ ଅଶ୍ୱଥି ଏସ୍‌. ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ଏହି ଅବସରରେ ସେ ଜଗତସିଂହପୁର ଜିଲ୍ଲାର ତାରପୁର ସରକାରୀ ଉଚ୍ଚ ବିଦ୍ୟାଳୟ, ତାରପୁର ପ୍ରାଥମିକ ବିଦ୍ୟାଳୟ, ମଣିଜଙ୍ଗା ସରକାରୀ ଉଚ୍ଚ ବିଦ୍ୟାଳୟ, ଜଡ଼ାତୀର ସରକାରୀ ପ୍ରାଥମିକ ବିଦ୍ୟାଳୟ, ଏରସମା ଉଚ୍ଚ ବିଦ୍ୟାଳୟ, ଜଗନ୍ନାଥପୁର ଉଚ୍ଚ ବିଦ୍ୟାଳୟ ଏବଂ ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଜଗନ୍ନାଥପୁର ପରିଦର୍ଶନ କରିବା ସହ ସ୍କୁଲ୍‌ ଭିତ୍ତିଭୂମିର ତଦାରଖ କରିଥିଲେ । ଶିକ୍ଷାଦାନ ପ୍ରକ୍ରିୟାକୁ ଅଧିକ ସହଜ ଓ ସୁବ୍ୟବସ୍ଥିତ କରିବା ପାଇଁ ସେ ଉଭୟ ଛାତ୍ରଛାତ୍ରୀ ଏବଂ ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ସହ ଆଲୋଚନା କରିଥିଲେ । ପ୍ରଧାନଶିକ୍ଷକମାନଙ୍କ ସହ ‘ଶିକ୍ଷଣ ପରିପୂରଣ କାର୍ଯ୍ୟକ୍ରମ’ର ଅଗ୍ରଗତି ସମ୍ପର୍କରେ ଆଲୋଚନା କରିବା ସହ ୫-‘ଟି’ ହାଇସ୍କୁଲ୍‌ ଟ୍ରାନ୍ସଫରମେଶନ କାର୍ଯ୍ୟକ୍ରମ ଅଧୀନରେ ସ୍କୁଲ୍‌ଗୁଡ଼ିକରେ ପ୍ରତିଷ୍ଠା ହୋଇଥିବା ସ୍ମାର୍ଟ କ୍ଲାସ୍‌ରୁମ୍‌, ଇ-ଲାଇବ୍ରେରୀ ଏବଂ ବିଜ୍ଞାନାଗାରର ସଠିକ୍‌ ଉପଯୋଗ ମାଧ୍ୟମରେ ଶିକ୍ଷାଦାନ ପଦ୍ଧତିକୁ ଅଧିକ ଉନ୍ନତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ମଧ୍ୟାହ୍ନ ଭୋଜନର ମାନ ଯାଞ୍ଚ କରିବା ସହ ପରିମଳ ବ୍ୟବସ୍ଥା ମଧ୍ୟ ବୁଲି ଦେଖିଥିଲେ । ଏରସମା ବ୍ଲକ୍‌ରେ ଥିବା ବ୍ଲକ୍‌ ରିସୋର୍ସ ସେଣ୍ଟରରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ନିମନ୍ତେ ଉପଲବ୍ଧ ସୁବିଧା ସୁଯୋଗର ସମୀକ୍ଷା କରିବା ସହ ବାତ୍ୟା ଆଶ୍ରୟସ୍ଥଳୀରେ ଚାଲିଥିବା ସ୍କୁଲ୍‌ର ତୁରନ୍ତ ମରାମତି ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ।
ଏହି ରାଜ୍ୟସ୍ତରୀୟ ଟିମ୍‌ ଶୁକ୍ରବାର ଜଗତସିଂହପୁର ଜିଲ୍ଲାପାଳଙ୍କୁ ଭେଟି ଜିଲ୍ଲାରେ ଥିବା ସରକାରୀ ସ୍କୁଲ୍‌ଗୁଡ଼ିକର କିଭଳି ସର୍ବାଙ୍ଗୀନ ବିକାଶ କରାଯାଇପାରିବ ସେନେଇ ଆଲୋଚନା କରିଥିଲେ । ଭିତ୍ତିଭୂମିର ଦୀର୍ଘସ୍ଥାୟିତ୍ୱ ଏବଂ ସମ୍ବଳର ସଠିକ୍‌ ବିନିଯୋଗ କରିବାକୁ ପରାମର୍ଶ ଦେଇଥିଲେ । ଇନ୍‌କ୍ଲìସିଭ୍‌ ଏଜୁକେଶନ ଏବଂ ଏଫ୍‌ଏଲ୍‌ଏନ୍‌ ର କାର୍ଯ୍ୟକାରିତା ନେଇ ଏହି ଟିମ୍‌ ଜିଲ୍ଲାପାଳଙ୍କ ସହ ଆଲୋଚନା କରିବା ସହ କୌଣସି ପିଲା ଯେପରି ଶିକ୍ଷାଲାଭରୁ ବଞ୍ଚିତ ନ ହୁଏ ତାହା ଉପରେ ଗୁରୁତ୍ୱାରୋପ କରିଥିଲେ ।
ଏହି ଦୁଇଦିନିଆ ଗସ୍ତରେ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ, ‘ମୋ ସ୍କୁଲ୍‌ ଅଭିଯାନ’ ମୁଖ୍ୟ ପରିଚାଳନା ଅଧିକାରୀଙ୍କ ସହ ବିଭାଗୀୟ ବରିଷ୍ଠ ଅଧିକାରୀ, ଜଗତସିଂହପୁର ଜିଲ୍ଲା ଶିକ୍ଷାଧିକାରୀ ଏବଂ ବ୍ଲକ୍‌ ଶିକ୍ଷାଧିକାରୀମାନେ ଯୋଗଦେଇଥିଲେ । ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ନେଇ ଗଠନ ହୋଇଥିବା ମୋଟ ୮ଟି ଟିମ୍‌ ଜିଲ୍ଲାର ୮ଟି ବ୍ଲକ୍‌ରେ ଥିବା ୩୫ରୁ ଅଧିକ ପ୍ରାଥମିକ ଏବଂ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିଥିଲେ ।
ଆଗାମୀଦିନରେ ରାଜ୍ୟରେ ସମସ୍ତ ଜିଲ୍ଲାରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏଭଳି ସମୀକ୍ଷା କାର୍ଯ୍ୟକ୍ରମକୁ ବ୍ୟାପକ କରିବାକୁ ନିଷ୍ପତ୍ତି ନିଆଯାଇଛି ।

Leave A Reply

Your email address will not be published.