ବିଶ୍ୱଶାନ୍ତି ଦିଗରେ ଇଣ୍ଟରନ୍ୟାସନାଲ କୋର୍ଟ ଅଫ ଜଷ୍ଟିସ (ଆଇସିଜେ)ର ଅବଦାନ

10

କିଟ୍‌ରେ ଅନ୍ତର୍ଜାତୀୟ ଆଇନ ସମ୍ମିଳନୀ

ଭୁବନେଶ୍ୱର, ୧୪ ।୧୧: କିଟ୍ ଲ’ ସ୍କୁଲ୍ ପକ୍ଷରୁ ଶନିବାର ‘ବିଶ୍ୱଶାନ୍ତି ପ୍ରତି ଇଣ୍ଟରନ୍ୟାସନାଲ କୋର୍ଟ ଅଫ ଜଷ୍ଟିସ (ଆଇସିଜେ)ର ଅବଦାନ’ ଶୀର୍ଷକ ଅନ୍ତର୍ଜାତୀୟ ଆଇନ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ଇଣ୍ଟରନ୍ୟାସନାଲ୍‍ କୋର୍ଟ ଅଫ୍‍ ଜଷ୍ଟିସ୍‍ (ଆଇସିଜେ)ର ପ୍ରେସିଡେଣ୍ଟ ଜଜ୍‍ ୟୁଜି ଇୱାସାୱା, ଜଜ୍‍ ଲିଓନାର୍ଡୋ ନେମର କାଲଡେରା ବ୍ରାଣ୍ଟ ଏବଂ ଜଜ୍‍ ବୋଗଦାନ-ଲୁସିଆନ୍ ଅରେସ୍କୁ ଯୋଗ ଦେଇଥିଲେ। ଏହି ଅବସରରେ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, କିଟ୍‍ ବିଶ୍ୱବିଦ୍ୟାଳୟର କୁଳାଧିପତି ଅଶୋକ କୁମାର ପରିଜା, କୁଳପତି ପ୍ରଫେସର ସରଣଜିତ ସିଂହ, ଏମେରିଟସ୍ ପ୍ରଫେସର ଏନ୍‌.ଏଲ୍‌. ମିତ୍ର, ଉପକୁଳପତି ପ୍ରଫେସର ରାଜୁ କେ.ଡି.ଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ।

ସମ୍ମିଳନୀର ମୁଖ୍ୟ ବିଷୟବସ୍ତୁ ଉପରେ ଆଲୋକପାତ କରି ନ୍ୟାୟମୂର୍ତ୍ତି ୟୁଜି ଇୱାସାୱା କହିଲେ, ବିଶ୍ୱଶାନ୍ତି ପ୍ରତି ଅନ୍ତର୍ଜାତୀୟ ନ୍ୟାୟାଳୟର ଅବଦାନର ମୂଳ ଆଧାର ହେଉଛି ବଳ ପ୍ରୟୋଗ ପରିବର୍ତ୍ତେ ଅନ୍ତର୍ଜାତୀୟ ଆଇନ ଅନୁସାରେ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଥିବା ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ। ମିଳିତ ଜାତିସଂଘ ଚାର୍ଟର ଅନୁଯାୟୀ ପ୍ରତିଷ୍ଠିତ ଆଇସିଜେ ଆଇନଗତ ବିବାଦର ସମାଧାନ ପାଇଁ ଏକ ସ୍ୱାଧୀନ ଓ ନିରପେକ୍ଷ ମଞ୍ଚ ପ୍ରଦାନ କରୁଛି। ନ୍ୟାୟ, ଆଲୋଚନା ଏବଂ ଅନ୍ତର୍ଜାତୀୟ ଆଇନଗତ ଦାୟିତ୍ୱ ପ୍ରତି ସମ୍ମାନକୁ ସୁଦୃଢ଼ କରି ଆଇସିଜେ ବିଭିନ୍ନ ରାଷ୍ଟ୍ର ମଧ୍ୟରେ ଶାନ୍ତିପୂର୍ଣ୍ଣ ସଂପର୍କକୁ ପ୍ରୋତ୍ସାହିତ କରିଥାଏ। ଆଇସିଜେର ରାୟକୁ ସମ୍ମାନ ଦେବା ଓ କାର୍ଯ୍ୟକାରୀ କରିବା ସଂପୃକ୍ତ ରାଷ୍ଟ୍ରଗୁଡ଼ିକର ଦାୟିତ୍ୱ ବୋଲି ସେ କହିଥିଲେ।

ନ୍ୟାୟମୂର୍ତ୍ତି ଲିଓନାର୍ଡୋ ନେମର କାଲଡେରା ବ୍ରାଣ୍ଟ ‘ଅନ୍ତର୍ଜାତୀୟ ଆଇନର ଉଦୀୟମାନ ଦିଗ, ମାନବାଧିକାର, ପରିବେଶ ସୁରକ୍ଷା ଓ ବୈଶ୍ୱିକ ଦାୟିତ୍ୱବୋଧ’ ଉପରେ ଆଲୋକପାତ କରିଥିଲେ। ସେ କହିଲେ, ଅନ୍ତର୍ଜାତୀୟ ଆଇନର ପରିବର୍ତ୍ତିତ ଭୂମିକା ଏବେ କେବଳ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ସୁନିଶ୍ଚିତ କରିବାରେ ସୀମିତ ନାହିଁ। ବରଂ ବହୁପକ୍ଷୀୟ ସହଯୋଗ, ମାନବାଧିକାର, ପରିବେଶ ସୁରକ୍ଷା ଓ ବୈଶ୍ୱିକ ଦାୟିତ୍ୱବୋଧକୁ ମଧ୍ୟ ଏହା ଗୁରୁତ୍ୱ ଦେଉଛି। ଏହି ପରିବର୍ତ୍ତନରେ ଅନ୍ତର୍ଜାତୀୟ ନ୍ୟାୟାଳୟ ଏକ ଗୁରୁତ୍ୱପୂର୍ଣ୍ଣ ଅନୁଷ୍ଠାନ ଭାବେ ଉଭା ହୋଇ ଅନ୍ତର୍ଜାତୀୟ ଆଇନ ବ୍ୟବସ୍ଥାର ସୁରକ୍ଷାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି ବୋଲି ସେ କହିଥିଲେ।

ନ୍ୟାୟମୂର୍ତ୍ତି ବୋଗଦାନ-ଲୁସିଆନ୍ ଅରେସ୍କୁ ସମୁଦ୍ର ଜଳସ୍ତର ବୃଦ୍ଧି ଯୋଗୁଁ ସୃଷ୍ଟି ହେଉଥିବା ଆହ୍ୱାନ ଉପରେ ଆଲୋକପାତ କରି କହିଲେ, ସମୁଦ୍ର ଜଳସ୍ତର ବୃଦ୍ଧି ଯୋଗୁଁ ଭାରତର ଦୀର୍ଘ ଉପକୂଳ ବିଶେଷଭାବେ ପ୍ରଭାବିତ ହେବାର ଆଶଙ୍କା ରହିଛି। ଏହା ଉପକୂଳବର୍ତ୍ତୀ ସହର, ଦ୍ୱୀପାଞ୍ଚଳ ଏବଂ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଜୀବିକା ପ୍ରତି ବିପଦ ସୃଷ୍ଟି କରୁଛି। ମୁମ୍ବାଇ, କୋଲକାତା, ଚେନ୍ନାଇ ଓ ବିଶାଖାପାଟଣା ଭଳି ସହରରେ ଉପକୂଳ ବନ୍ୟା, ଭୂକ୍ଷୟ ଓ ଜନବିସ୍ଥାପନର ଆଶଙ୍କା ବଢ଼ୁଥିବାବେଳେ ଲକ୍ଷଦ୍ୱୀପ ଏବଂ ଆଣ୍ଡାମାନ-ନିକୋବର ଦ୍ୱୀପପୁଞ୍ଜ ମଧ୍ୟ ଗୁରୁତର ପରିବେଶଗତ ଆହ୍ୱାନର ସମ୍ମୁଖୀନ ହେଉଛନ୍ତି। ଅନ୍ତର୍ଜାତୀୟ ଆଇନ ଆୟୋଗ ଏବଂ ଅନ୍ତର୍ଜାତୀୟ ନ୍ୟାୟାଳୟ ସାମୁଦ୍ରିକ ସୀମାର ସୁରକ୍ଷା, ରାଷ୍ଟ୍ରର ସାର୍ବଭୌମତ୍ୱ ଓ ନିରନ୍ତର ଅସ୍ତିତ୍ୱ ସହ ପ୍ରଭାବିତ ଜନସାଧାରଣଙ୍କ ମାନବାଧିକାର ସୁରକ୍ଷା ଉପରେ ଗୁରୁତ୍ୱ ଦେଉଛନ୍ତି। ଏହାର ମୁକାବିଲା ପାଇଁ ଭାରତ ନିମନ୍ତେ ଅନ୍ତର୍ଜାତୀୟ ସହଯୋଗ, ଜଳବାୟୁ ନ୍ୟାୟ ଓ ଆଇନଗତ ସୁରକ୍ଷା ଅତ୍ୟନ୍ତ ଆବଶ୍ୟକ ବୋଲି ସେ କହିଥିଲେ।

କିଟ୍ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଶରଣଜିତ ସିଂହ ସ୍ୱାଗତ ଭାଷଣ ଦେଇଥିବାବେଳେ ପ୍ରଫେସର ଏନ୍‌.ଏଲ୍‌. ମିତ୍ର ବିଷୟବସ୍ତୁ ଉପରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। କୁଳାଧିପତି ଅଶୋକ କୁମାର ପରିଜା ଆଲୋଚନା ଅଧିବେଶନର ଶୁଭାରମ୍ଭ କରିଥିଲେ। ଏହି ଅଧିବେଶନରେ ବିଚାରପତିମାନଙ୍କ ସହ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଏବଂ ଛାତ୍ରଛାତ୍ରୀଙ୍କ ସହ ଭାବ ବିନିମୟ ହୋଇଥିଲା। ଶ୍ରୀ ପରିଜା ଓ ପ୍ରଫେସର ରୋହିଣୀ ସେନ୍ ଏହି ଅଧିବେଶନରେ ଅଧ୍ୟକ୍ଷତା କରିଥିଲେ। ଶେଷରେ କିଟ୍‌ର ଉପକୁଳପତି ପ୍ରଫେସର ରାଜୁ କେ.ଡି. ଧନ୍ୟବାଦ ଅର୍ପଣ କରିଥିଲେ।

ଏହି ଅବସରରେ ଦ୍ୱିତୀୟ କିଟ୍‍ ଅନ୍ତର୍ଜାତୀୟ ମୁଟ୍ କୋର୍ଟ ପ୍ରତିଯୋଗିତା-୨୦୨୬ର ବିଜେତାଙ୍କୁ ପୁରସ୍କୃତ କରାଯାଇଥିଲା। ପ୍ରତିଯୋଗିତାରେ ମୋଟ ୩ ଲକ୍ଷ ୯୦ ହଜାର ଟଙ୍କାର ନଗଦ ପୁରସ୍କାର ରାଶି ପ୍ରଦାନ କରାଯାଇଥିବା ବେଳେ ପୁଣେସ୍ଥିତ ସିମ୍ବାୟୋସିସ୍ ଇଣ୍ଟରନ୍ୟାସନାଲ୍ ବିଜେତା ହୋଇ ୨ ଲକ୍ଷ ଟଙ୍କାର ପୁରସ୍କାର ହାସଲ କରିଥିଲା।ମହାରାଷ୍ଟ୍ର ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ, ଛତ୍ରପତି ସମ୍ଭାଜୀନଗର ଉପବିଜେତା ହୋଇ ୧ ଲକ୍ଷ ଟଙ୍କା ପୁରସ୍କାର ଲାଭ କରିଥିଲା। ସେହିପରି ପାଟନାସ୍ଥିତ ଚାଣକ୍ୟ ଜାତୀୟ ଆଇନ୍‍ ବିଶ୍ୱବିଦ୍ୟାଳୟର ଛାତ୍ର ନିରାଲ ରାଘବ ଶ୍ରେଷ୍ଠ ଗବେଷକ, ଦିଲ୍ଲୀସ୍ଥିତ ଗୁରୁ ଗୋବିନ୍ଦ ସିଂହ ଇନ୍ଦ୍ରପ୍ରସ୍ଥ ବିଶ୍ୱବିଦ୍ୟାଳୟର ବୃନ୍ଦା ତନୱାର ଶ୍ରେଷ୍ଠ ବକ୍ତା ଏବଂ ସିମ୍ବାୟୋସିସ୍ ଦଳ ଶ୍ରେଷ୍ଠ ମେମୋରିଆଲ୍ ପୁରସ୍କାର ହାସଲ କରିଥିଲେ। ପ୍ରତ୍ୟେକଙ୍କୁ ବ୍ୟକ୍ତିଗତ ପୁରସ୍କାର ବାବଦରେ ୩୦ ହଜାର ଟଙ୍କା ଲେଖାଏଁ ନଗଦ ରାଶି ପ୍ରଦାନ କରାଯାଇଥିଲା।

Leave A Reply

Your email address will not be published.