-
ସରକାରୀ ଅଧିକାରୀଙ୍କୁ ଆକ୍ରମଣ କରିବାକୁ ପଛାଉ ନାହିଁ ବିଜେପି
-
ମିଛ ଅପହରଣ ମାମଲା ରୁଜୁ କରି ଧରାପଡିଲେ ବିଜେପି କର୍ମୀ
-
ସିଇଓ ଓ ଇସିଆଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଜେଡିର ଦାବି
-
ଚାରି ବିଜେପି ନେତାଙ୍କୁ ତୁରନ୍ତ ପଦମପୁର ଛାଡିବାକୁ ନିର୍ଦ୍ଦେଶ ଦିଆଯାଉ
ଭୁବନେଶ୍ୱର, : ଓଡିଶା ଏକ ଶାନ୍ତିପ୍ରିୟ ରାଜ୍ୟ ଏବଂ ଓଡିଶାର ସଂସ୍କୃତି ସର୍ବଦା ଶାନ୍ତିପୂର୍ଣ୍ଣ ରହିଆସିଛି । ତେବେ ବିଜେପି ନିର୍ବାଚନୀ ତଥା ରାଜନୈତିକ ହିଂସା ଘଟାଇ ଓଡ଼ିଶାକୁ ଉତ୍ତରପ୍ରଦେଶ କିମ୍ବା ବିହାରରେ ପରିଣତ କରିବାକୁ ଚେଷ୍ଟା କରୁଛି ଯାହା ଓଡିଶାର ସଂସ୍କୃତି ନୁହେଁ ବୋଲି କହିଛନ୍ତି ବିଜେଡି ସାଂସଦ ଡକ୍ଟର ସସ୍ମିତ ପାତ୍ର ।
ଆଜି ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଡକ୍ଟର ପାତ୍ର କହିଛନ୍ତି ଯେ ଗତ ୨୪ ଘଣ୍ଟା ମଧ୍ୟରେ ପଦମପୁର ଉପ-ନିର୍ବାଚନରେ ବିଜେପିର ଆଇନ୍ ବିରୋଧି ଆଚରଣ ଓଡିଶାବାସୀଙ୍କ ନିକଟରେ ସେମାନଙ୍କର ଅସଲ ମୁଖା ଖୋଲି ଦେଇଛି ।
ଗତକାଲି ସକାଳେ ପଦମପୁରର ତିନୋଟି ସ୍ଥାନରେ ଆଇଟି ଚଢାଉ ବେଳେ ସେହି ସ୍ଥାନରେ କୌଣସି ବିଜେଡି କର୍ମୀ କିମ୍ବା ନେତାଙ୍କୁ ଦେଖିବାକୁ ମିଳିନଥିଲା । କିନ୍ତୁ ଗତକାଲି ସନ୍ଧ୍ୟାରେ ଯେତେବେଳେ ପଦମପୁରର ଏକ କପଡା ଦୋକାନରେ ଜିଏସ୍ଟି ଚଢାଉ କରାଯାଇଥିଲା, ଠାକୁର ରଣଜିତ ଦାସ, ପିଙ୍କି ପ୍ରଧାନ ଏବଂ କାଳନ୍ଦି ସାମଲ ନାମକ ତିନିଜଣ ବିଜେପି କର୍ମୀ ଜିଏସ୍ଟି ଅଧିକାରୀଙ୍କୁ ଗାଳିଗୁଲଜ କରିବା ସହ ସେମାନଙ୍କୁ ସରକାରୀ କାର୍ଯ୍ୟ ପାଳନ କରିବାରେ ବାଧା ସୃଷ୍ଟି କରିଥିଲେ । ଯେତେବେଳେ ଜିଏସ୍ଟି ଟିମ୍ ଦୋକାନ ପରିସରରୁ ବାହାରକୁ ଯାଉଥିଲେ, ବିଜେପି ନେତାମାନେ ଜଣେ ମହିଳା ସରକାରୀ ଅଧିକାରୀଙ୍କ ପଛରେ ଦୌଡ଼ି ଆସି ସରକାରୀ ଗାଡି ଭାଙ୍ଗିବା ସହିତ ତାଙ୍କୁ ଆକ୍ରମଣ ଓ ଶାରୀରିକ ନିର୍ଯାତନା ଦେଇଥିଲେ ।
ପଦମପୁରରେ ବିଜେପିର ହିଂସା ଏଠାରେ ଶେଷ ହୋଇନାହିଁ । ଗତକାଲି ସନ୍ଧ୍ୟାରେ ପଦମପୁରର ଗୋଥ୍ରୁଗୁଡା ପଞ୍ଚାୟତର ସାଲଡିହି ଗ୍ରାମରେ ବିଜେପି ନେତା ଓ କର୍ମୀମାନେ ଟଙ୍କା ବାଣ୍ଟୁଥିବା ବେଳେ ଗ୍ରାମବାସୀ ସେମାନଙ୍କୁ ଧରିବାକୁ ଚେଷ୍ଟା କରିଥିଲେ । ସେମାନେ ପଳାଇ ଯାଇଥିଲେ ଏବଂ ସେମାନଙ୍କର ବେଆଇନ କାର୍ଯ୍ୟକଳାପକୁ ଲୁଚାଇବା ଉଦ୍ଦେଶ୍ୟରେ ସେମାନେ ବିଜେପି ନେତା ଦିଲ୍ଲୀପ ସେନାପତିଙ୍କ ମିଥ୍ୟା ଅପହରଣ ମାମଲା ଦାୟର କରିଥିଲେ । ଏହାପରେ ବିଜେପି ନେତା ଦିଲ୍ଲୀପ ସେନାପତି ପୋଲିସ ଷ୍ଟେସନରେ ସ୍ୱୀକାର କରିଛନ୍ତି ଯେ ଏଫ୍ଆଇଆର ମିଥ୍ୟା ଏବଂ ତାଙ୍କୁ କେହି ଅପହରଣ କରିନଥିଲେ ।
ଗତକାଲି ବିଳମ୍ବିତ ରାତିରେ ଝାରବନ୍ଧରେ ଜଣେ ବିଜେଡି କର୍ମୀଙ୍କୁ ଏକ ଗାଁରେ ବିଜେପି କର୍ମୀମାନେ ବାନ୍ଧି ରଖିଥିଲେ ଯାହାଙ୍କୁ ପରେ ପୋଲିସ ଉଦ୍ଧାର କରିଥିଲା । ସୋମବାର ରାତି ୨ଟାରେ ବିଜେପି ବିଧାୟିକା କୁସୁମ ଟେଟେଙ୍କ ସହ ୧୦୦ ଜଣ ବିଜେପି କର୍ମୀ ଜିଏସ୍ଟି ଚଢାଉ ଚାଲିଥିବା ବ୍ୟବସାୟୀ ଗୋବର୍ଦ୍ଧନ ଅଗ୍ରୱାଲଙ୍କ ଘରେ ପଶିଥିଲେ ଏବଂ ପ୍ରଶାସନିକ ତଥା ଆଇନଗତ ପ୍ରକ୍ରିୟାରେ ବାଧା ସୃଷ୍ଟି କରିଥିଲେ । ଏଥି ସହିତ ଆହୁରି ଅନେକ ଘଟଣା ବିଜେପିର ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟିକାରୀ କାର୍ଯ୍ୟକୁ ଦର୍ଶାଉଛି ।
“ଆମେ ଦାବି କରୁଛୁ ଯେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଏବଂ ଜାତୀୟ ନିର୍ବାଚନ କମିଶନ ଏ କ୍ଷେତ୍ରରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ । ଯାହା ଫଳରେ ବିଜେପିର ଏଭଳି ଅନୈତିକ ଆଚରଣ ଓ ଗୁଣ୍ଡାଗର୍ଦ୍ଦି ବନ୍ଦ ହୋଇଯିବ ଏବଂ ପଦମପୁରର ଲୋକମାନେ ଏହି ଉପନିର୍ବାଚନରେ ମୁକ୍ତ ଏବଂ ନିରପେକ୍ଷ ଭାବେ ମତଦାନ କରିପାରିବେ । ଏଥିସହ ଆମେ ଦାବି କରୁଛୁ ଯେ ଏହି ଚାରି ଜଣ ବିଜେପି ନେତା ଠାକୁର ରଣଜିତ ଦାସ, ପିଙ୍କି ପ୍ରଧାନ, କାଳନ୍ଦି ସାମଲ ଏବଂ ବିଧାୟିକା କୁସୁମ ଟେଟେଙ୍କୁ ପଦମପୁର ଉପ-ନିର୍ବାଚନ ପ୍ରଚାର କାର୍ଯ୍ୟରୁ ବାରଣ କରାଯାଉ ଏବଂ ଉପନିର୍ବାଚନ ହେଉଥିବା ପଦମପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ତୁରନ୍ତ ଛାଡିବାକୁ ନିର୍ଦ୍ଦେଶ ଦିଆଯାଉ” ବୋଲି ଡକ୍ଟର ପାତ୍ର କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ବିଜେଡି ପ୍ରବକ୍ତା ଗୌତମବୁଦ୍ଧ ଦାସ ଓ ଇପ୍ସିତା ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।