ଟାଙ୍ଗରପାଲି ବ୍ଲକ ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଅଗ୍ରଗତି ଅନୁଧ୍ୟାନ କଲେ ସୁନ୍ଦରଗଡ଼ ଜିଲ୍ଲାପାଳ

0

ସୁନ୍ଦରଗଡ଼,(ବସନ୍ତ କୁମାର ଜେନା): ସୁନ୍ଦରଗଡ଼ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି ଟାଙ୍ଗରପାଲି ବ୍ଲକ୍ ଗସ୍ତରେ ଆସି ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମର ଅଗ୍ରଗତି ସମୀକ୍ଷା କରିଛନ୍ତି। ‘୫ଟି’ ଅଧୀନରେ ରୂପାନ୍ତରିତ ହୋଇଥିବା ସରକାରୀ ହାଇସ୍କୁଲ, ବାଲା ମଡେଲ ଢାଞ୍ଚାରେ ନିର୍ମାଣ ହୋଇଥିବା ଅଙ୍ଗନବାଡ଼ି କେନ୍ଦ୍ର ସହିତ ଏସଏଚଜି ମା’ମାନଙ୍କ ଜୀବିକା ସୁନିଶ୍ଚିତ ପାଇଁ କରାଯାଇଥିବା ବିଭିନ୍ନ ପ୍ରକଳ୍ପ ଆଦି ବୁଲି ଦେଖିଥିଲେ ଜିଲ୍ଲାପାଳ।

ରାଜ୍ୟ ସରକାରଙ୍କ ୫ଟି ଅଭିଯାନ ଅଧୀନରେ ସରକାରୀ ହାଇସ୍କୁଲଗୁଡ଼ିକର ରୂପାନ୍ତରଣ କରାଯାଉଛି। ତେଣୁ ଜିଲ୍ଲାପାଳ ଟାଙ୍ଗରପାଲି ବ୍ଲକର ରୂପାନ୍ତରିତ ଉଜ୍ଜ୍ୱଳପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଏବଂ ବନ୍ଧପାଲିସ୍ଥିତ ପଞ୍ଚାୟତ ସମିତି ସରକାରୀ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିଥିଲେ। ସେଠାରେ ସେ ସ୍ମାର୍ଟ କ୍ଲାସରୁମ, ଆଧୁନିକ ବିଜ୍ଞାନାଗାର, ଲାଇବ୍ରେରି ଏବଂ କମ୍ପ୍ୟୁଟର ଲ୍ୟାବ ଆଦି ବୁଲି ଦେଖିଥିଲେ। ଏହି ଆଧୁନିକ ବ୍ୟବସ୍ଥା ଛାତ୍ରଛାତ୍ରୀମାନଙ୍କ ପାଠପଢ଼ାରେ କିପରି ବିଶେଷ ସହାୟକ ହେଉଛି ସେ ବିଷୟରେ ଜିଲ୍ଲାପାଳ ଶିକ୍ଷକ ଶିକ୍ଷୟିତ୍ରୀଙ୍କଠାରୁ ପଚାରି ବୁଝିଥିଲେ।

ଏହି ଅବସରରେ ଜିଲ୍ଲାପାଳ କିରିପସିରା ଏବଂ ଚକ୍ରାମାଳଠାରେ ବାଲାମଡେଲ ଢାଞ୍ଚାରେ ନିର୍ମାଣ ହୋଇଥିବା ଅଙ୍ଗନବାଡ଼ି କେନ୍ଦ୍ର ବୁଲି ଦେଖିଥିଲେ। ଅଙ୍ଗନବାଡ଼ି କେନ୍ଦ୍ରର ପରିଚ୍ଛନ୍ନତା ସହ ପିଲାମାନଙ୍କ ପୋଷଣ ଉପରେ ବିଶେଷ ଧ୍ୟାନ ଦେବାକୁ ଜିଲ୍ଲାପାଳ ଅଙ୍ଗନବାଡ଼ି କର୍ମୀମାନଙ୍କୁ ପରାମର୍ଶ ଦେଇଥିଲେ।

ଟାଙ୍ଗରପାଲି ବ୍ଲକର ଫୁଲଢୁଡ଼ି ଗାଁରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଛତୁ ଚାଷ ସହିତ ଜୈବିକ ଖତ ପ୍ରସ୍ତୁତ କରୁଛନ୍ତି। ଜିଲ୍ଲାପାଳ ଏହା ଦେଖିବା ସହ ଚାଷ ପ୍ରଣାଳୀ, ବଜାର ସଂଯୋଗ ଏବଂ ଜୀବିକା ସମ୍ପର୍କରେ ଏସଏଚଜି ମା’ମାନଙ୍କୁ ସିଧାସଳଖ ପଚାରି ବୁଝିଥିଲେ।

ଏହାପରେ ଜିଲ୍ଲାପାଳ ରଙ୍ଗିଆମୁଣ୍ଡାଠାରେ ମୁଖ୍ୟମନ୍ତ୍ରୀଙ୍କ କୃଷି ଉଦ୍ୟୋଗୀ ଯୋଜନା ଅଧୀନରେ ନିର୍ମିତ ବିହନ ପ୍ରକ୍ରିୟାକରଣ କେନ୍ଦ୍ର ବୁଲି ଦେଖିଥିଲେ। ଏହାର କାର୍ଯ୍ୟକ୍ଷମ ବିଷୟରେ ସେ ହିତାଧିକାରୀଙ୍କ ସହ କଥା ହୋଇଥିଲେ।

ଏହାସହ ଜିଲ୍ଲାପାଳ ଉଜ୍ଜ୍ୱଳପୁରଠାରେ ନିର୍ମାଣାଧୀନ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଏବଂ ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ କେନ୍ଦ୍ର ସହିତ ଯୋଗିମାଳଠାରେ ହକି ଟର୍ଫ ପଡ଼ିଆର ଅଗ୍ରଗତି କାର୍ଯ୍ୟ ଅନୁଧ୍ୟାନ କରିଥିଲେ। ଏହାର ନିର୍ମାଣ କାର୍ଯ୍ୟ ଶୀଘ୍ର ଶେଷ କରିବାକୁ ଜିଲ୍ଲାପାଳ ସ୍ଥାନୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଏହି ଗସ୍ତ ବେଳେ ଜିଲ୍ଲାପାଳଙ୍କ ସହିତ ସୁନ୍ଦରଗଡ଼ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ମନୋଜ ସତ୍ୟବାନ ମହାଜନ, ସୁନ୍ଦରଗଡ଼ ଡିଏଫଓ ପ୍ରଦୀପ ମିରାସେ, ଜିଲ୍ଲା ମୁଖ୍ୟ ଶିକ୍ଷା ଅଧିକାରୀ ଅମୁଲ୍ୟ ପ୍ରଧାନ, ଓରମାସ ର ଡେପୁଟି ସିଇଓ କେଶବ ଝା, ଟାଙ୍ଗରପାଲି ବିଡିଓ ଐଶ୍ୱର୍ଯ୍ୟା ଭୂୟାଁ ପ୍ରମୁଖ ଯୋଗ ଦେଇଥିଲେ l

Leave A Reply

Your email address will not be published.