ଜଗତସିଂହପୁର/ସୁମନ୍ତ କୁମାର ଦାସ: ନାଉଗାଁ ବ୍ଲକ ଜାମୁଗାଁ ପଞ୍ଚାୟତର ରଘୁନାଥପୁର ଗ୍ରାମରେ ଏକ ନିଆରା ପରମ୍ପରା କ୍ରମରେ ତିନି ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କୁ ଗ୍ରାମକୁ ଫେରିଥିବାରୁ ଗ୍ରାମର ଯୁବକ ତରଫରୁ ଆନ୍ତର୍ଜାତୀୟ ଯୁବ ଦିବସରେ ଆଜି ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି l ରାଜ୍ୟର ବିଭିନ୍ନ ସ୍ଥାନରେ ସରକାରୀ ଚାକିରୀ କରୁଥିବା ଅବସରପ୍ରାପ୍ତ ଶିକ୍ଷକ ଶ୍ରୀ ବଳରାମ ଲେଙ୍କା, ପ୍ରାଧ୍ୟାପକ ଶ୍ରୀ ଭୋଳାନାଥ ଦାସ ଓ କୃଷି ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ଭୃଙ୍ଗରାଜ ପଟ୍ଟନାୟକ ସେବା ନିବୃତ୍ତ ହୋଇ ଗ୍ରାମକୁ ଫେରିଥିବାରୁ ନିକଟସ୍ଥ କଣ୍ଟୁଣିଆ ହାଟଠାରୁ ଏକ ସୁସଜ୍ଜିତ ଶୋଭାଯାତ୍ରାରେ ଆତସବାଜୀ,ବାଜା ଓ କବି ଶ୍ରୀ ସଚ୍ଚି ରାଉତରାୟଙ୍କର”ଛୋଟ ମୋର ଗାଁଟି” ଗୀତାର ତାଳେ ତାଳେ ଗ୍ରାମର ଯୁବକମାନେ ଶୋଭାଯାତ୍ରାରେ ସେମାନଙ୍କୁ ପାଛୋଟି ଆଣିଥିଲେ।ଏହା ପରେ ଗ୍ରାମର ମା କୁତାମଚଣ୍ଡୀଙ୍କ ମନ୍ଦିର ପ୍ରାଙ୍ଗଣରେ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଥିଲା। ପାରାଦୀପ ବନ୍ଦରର ପୂର୍ବତନ ଟ୍ରଷ୍ଟି ଶ୍ରୀ ପ୍ରତାପ ମିଶ୍ରଙ୍କ ସଭାପତିତ୍ଵରେ ଆୟୋଜିତ ଉକ୍ତ ସମ୍ବର୍ଦ୍ଧନା ସଭାରେ ପୂର୍ବତନ ସରପଞ୍ଚ ଶ୍ରୀ ଲଲାଟେନ୍ଦୁ ପରିଡ଼ା,କ୍ଷେତ୍ରମୋହନ ରାଉତ ଓ ରମାନାଥ ନାୟକ ଅତିଥି ଭାବରେ ଯୋଗଦେଇଥିଲେ।ଏହି ଅବସରରେ ଗ୍ରାମର ବୟସ୍କ ବ୍ୟକ୍ତି ଓ ମୁରବୀମାନଙ୍କୁ ମଧ୍ୟ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।ଗ୍ରାମର ଉନ୍ନତି ପାଇଁ କାମକରିବାକୁ ଅବସରପ୍ରାପ୍ତ କର୍ମଚାରୀମାନେ ନିଜର ଇଛା ବ୍ୟକ୍ତ କରିବାପରେ ସମସ୍ତେ ଏକହୋଇ ଏଦିଗରେ କାମ କରିବା ପାଇଁ ଶପଥ ନେଇଥିଲେ।ଶେଷରେ ସମସ୍ତେ ସାମୁହିକ ଭୋଜିରେ ସାମିଲ ହୋଇଥିଲେ। ରବିନ୍ଦ୍ର କୁମାର ଦାସଙ୍କ ନେତୃତ୍ୱରେ ସର୍ବଶ୍ରୀ ବିଜୟ ଲେଙ୍କା,ଦେବାଶିଷ ଦାସ,ସ୍ଵାଗତ ଦାସ,କାଳନ୍ଦୀ ସାହୁ,ବିଧାନ ଦାସ, ଅଭୟ ଲେଙ୍କା,ପ୍ରକାଶ ଦାସ,ଆଲୋକ ଦାସ,ଲକ୍ଷ୍ମୀଧର ନାୟକ ଓ ମା କୁତାମଚଣ୍ଡୀ ଯୁବ ପରିଷଦର କାର୍ଯ୍ୟକର୍ତ୍ତାମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
Sign in
Sign in
Recover your password.
A password will be e-mailed to you.