ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପବିତ୍ର ରଥଯାତ୍ରା ଶୁଭ ଅବସରରେ ମହିଳା ସ୍ନାତକ ମହାବିଦ୍ୟାଳୟର ନୂତନ କୋଠା ନିର୍ମାଣ ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ ଫରେଷ୍ଟ ଗେଟ ନିକଟସ୍ଥ ହାତୀବାଡି , ଗୋପିନାଥପୁର ଠାରେ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ସାଂସଦ ଶ୍ରୀ ଚନ୍ଦ୍ରଶେଖର ସାହୁ ମୁଖ୍ୟଅତିଥି ଭାବରେ ଉପସ୍ଥିତ ରହି ପ୍ରଥମେ ଶୁଭଶୀଳା ସ୍ଥାପନ କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଭାପତି ଶ୍ରୀ ଜି.ତିରୁପତି ରାଓ , ପାରଳା ବିଧାୟକ ଶ୍ରୀ କେ.ନାରାୟଣ ରାଓ , ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା , ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ଜୟରାମ ଶତପଥୀ , ଅତିରିକ୍ତ ଜିଲ୍ଲାପାଳ ତଥା ମହାବିଦ୍ୟାଳୟର ପରିଚାଳନା କମିଟି ସଭାପତି ଶ୍ରୀ ସଂଗ୍ରାମ ଶେଖର ପଣ୍ଡା , ପାରଳା ପୌରାଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ ଏବଂ ଉଚ୍ଚଶିକ୍ଷା ବିଭାଗ ବ୍ରହ୍ମପୁରର ଆଞ୍ଚଳିକ ନିର୍ଦ୍ଦେଶକ ଶ୍ରୀ ଲକ୍ଷ୍ମୀକାନ୍ତ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।
ଏହି ସମସ୍ତ କାର୍ଯ୍ୟକ୍ରମ ମହାବିଦ୍ୟାଳୟର ଅଧ୍ୟକ୍ଷା ତଥା ପରିଚାଳନା କମିଟି ସମ୍ପାଦିକା ଡ଼. ରିନା ସାହୁଙ୍କ ତତ୍ତ୍ଵବଧାନରେ ପରିଚାଳିତ ହୋଇଥିଲା।
ଏହି ଶୁଭ ଅବସରରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା , କର୍ମଚାରୀ ଛାତ୍ରୀଗଣ ଓ ସହରର ବୁଦ୍ଧିଜୀବୀ ମାନେ ଉପସ୍ଥିତ ଥିଲେ।
ଏକ ନୂତନ ଭିତ୍ତିଭୂମି ପାଇବାର ପରିତୃପ୍ତିରେ ମହାବିଦ୍ୟାଳୟର ଛାତ୍ରୀ ମାନଙ୍କ ମଧ୍ୟରେ ଆନନ୍ଦ ଓ ଉତ୍ସାହର ଲହରୀ ଖେଳିଯାଇଛି।