ଗୋପାଳକୃଷ୍ଣଙ୍କ ୨୩୯ ତମ ଜୟନ୍ତୀ ପାଳନ ଉପଲକ୍ଷେ ଗୋପାଳକୃଷ୍ଣ ସ୍ମୃତିଚାରଣ ସମାରୋହ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳଖେମୁଣ୍ଡିର ଗୌରବ ଓଡ଼ିଶାର ଗର୍ବ ରୀତି ଶ୍ରେଷ୍ଠ ବିଶିଷ୍ଟ ଗୌଡ଼ିୟ ପରମ୍ପରାର ବରିଷ୍ଟ କବି କଳହଂସ ଗୋପାଳକୃଷ୍ଣ ପଟ୍ଟନାୟକ ତାଙ୍କର କୃତି ଗୋପାଳକୃଷ୍ଣ ପଦାବଳୀ ପାଇଁ ଯୁଗେ ଯୁଗେ କାଳଜୟୀ ହୋଇ ରହିଥିବେ।
ଗୋପାଳକୃଷ୍ଣ ସ୍ମୃତି କଳା ପରିଷଦ ଏବଂ ଜିଲ୍ଲା ସଂସ୍କୃତି ବିଭାଗ ମିଳିତ ଆନୁକୂଲ୍ୟରେ କବି କଳହଂସ ବସନ୍ତ କୋଳିକ ଭକ୍ତ କବି ଗୋପାଳକୃଷ୍ଣଙ୍କ ୨୩୯ ତମ ଜୟନ୍ତୀ ପାଳନ ଉପଲକ୍ଷେ ପାରଳାଖେମୁଣ୍ଡି ସ୍ଥିତ ଉତ୍କଳ ହିତୈଷିଣୀ ସଭା ଗୃହ ରେ ସ୍ମୃତିଚାରଣ ସମାବେଶ ଅନୁଷ୍ଠିତ ହୋଇଯାଇଛି।
ଅନୁଷ୍ଠାନର ସଭାପତି ହରିମୋହନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାରସ୍ୱତ ଓ ସଂସ୍କୃତିକ ସମାବେଶରେ ଅନୁଷ୍ଠାନର ମୁଖ୍ୟ ତଥା ଉପଦେଷ୍ଟା ଡକ୍ଟର ଭୁବନେଶ୍ୱର ପଟ୍ଟନାୟକ ସ୍ଵାଗତ ସମ୍ଭାଷଣ ଦେଇଥିବା ବେଳେ ପ୍ରମୋଦ ଚନ୍ଦ୍ର ପାଢ଼ୀ ପରିଚୟ ପ୍ରଦାନ କରିଥିଲେ।
ପ୍ରାରମ୍ଭରେ ଆକାଶବାଣୀ କଣ୍ଠଶିଳ୍ପୀ ବି. କମୋଳାଙ୍ଗୀ ଗୋପାଳକୃଷ୍ଣଙ୍କ ରଚିତ ସଂଗୀତକୁ ପ୍ରାରମ୍ଭିକ ସଙ୍ଗୀତ ଭାବେ ଗାନ କରିଥିଲେ। ଅନୁଷ୍ଠାନର ସମ୍ପାଦକ ତଥା ଓଡ଼ିଶା ସାହିତ୍ୟ ଏକାଡେମୀ ଜିଲ୍ଲା ସଦସ୍ୟ ବିଚିତ୍ରାନନ୍ଦ ବେବର୍ତ୍ତା ବାର୍ଷିକ ବିବରଣୀ ପାଠ କରିଥିଲେ।
ଅମ୍ଳାନ ପ୍ରତିଭାଧର ଗୋପାଳକୃଷ୍ଣଙ୍କ ନାମରେ ଚଳି ଆସୁଥିବା କରଣ ସାହି ବଦଳରେ ଗୋପାଳକୃଷ୍ଣ ସାହି ଭାବରେ ଗ୍ରହଣ କରି ପୋଷ୍ଟଲ ଯୋଗାଯୋଗ ରକ୍ଷା କରିବାପାଇଁ ନିବେଦନ କରାଯାଇଥିଲା।
ମୁଖ୍ୟ ଅତିଥି ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନା , ସ୍ବତନ୍ତ୍ର ଅତିଥି ଜିଲ୍ଲା ସଂସ୍କୃତି ଅଧିକାରିଣୀ ଅର୍ଚ୍ଚନା ମଙ୍ଗରାଜ , ମୁଖ୍ୟବକ୍ତା ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର , ସମ୍ମାନିତ ବକ୍ତା ଶ୍ୱେତା ପଟ୍ଟନାୟକ , ପଣ୍ଡିତ ନରସିଂହ ଗୌଡ଼ ପ୍ରମୁଖ ମଞ୍ଚାସୀନ ଥିଲେ।
ଏହି ଅବସରରେ ଗଜପତିର ବିଶିଷ୍ଟ ମୃଦଙ୍ଗ ବାଦକ କଣ୍ଠ ଶିଳ୍ପୀ ଗୁରାଣ୍ଡି ବାସିନ୍ଦା ଗଣପତି ରାଉତଙ୍କୁ ଉପଢୌକନ ମାନପତ୍ର ସହ ପୁରସ୍କାର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ପୂର୍ବରୁ ଅନୁଷ୍ଠିତ ପ୍ରତିଯୋଗିତାରେ ବିଜୟଲାଭ କରିଥିବା ଛାତ୍ରଛାତ୍ରୀଙ୍କୁ ମଞ୍ଚାସୀନ ଅତିଥି ମାନେ ପ୍ରମାଣ ପତ୍ର ଓ ପୁରସ୍କାର ପ୍ରଦାନ କରିଥିଲେ। ଶେଷରେ ଓଡ଼ିଶୀ , ସମ୍ବଲପୁରୀ ନୃତ୍ୟ ପରିବେଷଣ କରାଯାଇଥିଲା। ଅନୁଷ୍ଠାନର ସହଯୋଗୀ ସମ୍ପାଦକ ବ୍ରଜାନନ୍ଦ ପଟ୍ଟନାୟକ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିବା ବେଳେ ନିତ୍ୟାନନ୍ଦ ଚୌଧୁରୀ ,ବିଷ୍ଣୁ ଚରଣ ପଣ୍ଡା , ତ୍ରିପତି ପ୍ରସାଦ ପଣ୍ଡା , ମୂରଲୀଧର ପରିଚ୍ଛା ପ୍ରଭୃତି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Leave A Reply

Your email address will not be published.