ଗଜପତି ଜିଲ୍ଲା ଗସ୍ତରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ : ମୋହନା ତହସିଲର ରାଜସ୍ବ ବିଭାଗ କାର୍ଯ୍ୟ ସମେତ ଅନ୍ୟାନ୍ୟ କାର୍ଯ୍ୟର ସମୀକ୍ଷା

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀଯୁକ୍ତ ସତ୍ୟବ୍ରତ ସାହୁ , ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ , ଓଡ଼ିଶା ସରକାରଙ୍କ ସମେତ ନିର୍ଦ୍ଦେଶକ, ଭୂମି ଅଭିଲେଖ ଓ ସର୍ବେକ୍ଷଣ ଅଧିକାରୀ , ଓଡିଶା ଦକ୍ଷିଣାଞ୍ଚଳ ରାଜସ୍ବ ଜିଲ୍ଲାର ପରିଦର୍ଶନରେ ଆସି ଗଜପତି ଜିଲ୍ଲା ମୋହନା ତହସିଲ କାର୍ଯ୍ୟାଳୟ ଠାରେ ପହଞ୍ଚି ରାଜସ୍ବ ବିଭାଗ ସଂକ୍ରାନ୍ତୀୟ ପର୍ଯ୍ୟବେକ୍ଷଣ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମର ତଦାରଖ କରିଥିଲେ।
ସେଠାରେ ସେ ସ୍ଥାନୀୟ ତହସିଲଦାର , ଅତିରିକ୍ତ ତହସିଲଦାର , ରାଜସ୍ବ ସହାୟକ ତଥା ରାଜସ୍ବ ବିଭାଗୀୟ କ୍ଷେତ୍ରୀୟ କର୍ମଚାରୀ ମାନଙ୍କ ସହ ଆଲୋଚନା କରିଥିଲେ।
ଅତିରିକ୍ତ ମୁଖ୍ୟ ଶାସନ ସଚିବ ତହସିଲଦାର , ମୋହନା ଏବଂ ରାଜସ୍ବ ସହାୟକ ମାନଙ୍କୁ କୌଣସି ରାଜସ୍ବ ରେକର୍ଡର ଅନ୍ତିମ ଅନୁମୋଦନ ପୂର୍ବରୁ ଆବଶ୍ୟକ ବିଧିବଦ୍ଧ ପ୍ରଣାଳୀ ଅବଲମ୍ବନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ତତ୍ ସହିତ ଜମି ଜମା ସମନ୍ଧୀୟ ସମସ୍ତ କାର୍ଯ୍ୟକଳାପ ଓଡ଼ିଶା ଲୋକ ସେବା ଅଧିକାର ଅଧିନିୟମ , ୨୦୧୨ ଦ୍ଵାରା ନିର୍ଦ୍ଧାରିତ ଏକ ନିର୍ଦ୍ଦିଷ୍ଟ ସମୟ ଅବଧି ମଧ୍ୟରେ ଶେଷ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏଥି ସହିତ ଅଭିଲେଖ ସଂରକ୍ଷକ ତଥା ରାଜସ୍ବ ସହାୟକ ସମୀର କୁମାର ଭୁକ୍ତା , ରାଜସ୍ବ ରେକର୍ଡ଼ ଗୁଡିକର ସଠିକ ନିର୍ଦ୍ଧାରଣରେ ଖିଲାପ କରିଥିବାରୁ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଥିଲେ।
ସ୍ଥାନୀୟ ଖଣିଜ ସମ୍ବଳ ଗୁଡିକ କାର୍ଯ୍ୟକ୍ଷମ ହୋଇ ପାରୁନଥିବାରୁ ଅସନ୍ତୋଷ ପ୍ରକାଶ କରି ଅତିରିକ୍ତ ମୁଖ୍ୟ ଶାସନ ସଚିବ ସ୍ଥାନୀୟ ତହସିଲଦାର ମୋହନା ଓ ସମ୍ପୃକ୍ତ ଅଧିକାରୀ ମାନଙ୍କୁ ସମସ୍ତ ପ୍ରକାରର କାର୍ଯ୍ୟକ୍ରମକୁ ତ୍ୱରାନିତ କରିବା ସହ ସମସ୍ତ ଉପଲବ୍ଧ ସମ୍ବଳ ମାନଙ୍କର ଉପଯୁକ୍ତ ବ୍ୟବହାର ପାଇଁ ଯୁଦ୍ଧ କାଳୀନ ଭିତ୍ତିରେ କାର୍ଯ୍ୟ ଶେଷ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ସ୍ଥାନୀୟ ଖଣିଜ ସମ୍ବଳ ଗୁଡିକ ନିଲାମ ହେବା ସତ୍ତ୍ବେ କାର୍ଯ୍ୟକ୍ଷମ କରାଯିବା ପ୍ରକ୍ରିୟାରେ ଖିଲାପ ଯୋଗୁଁ ଶ୍ରୀ ରାଜୁ ଶବର , ସମ୍ପୃକ୍ତ ରାଜସ୍ବ ସହାୟକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ଦ୍ଦେଶ ଦେଇଥିଲେ।
ଏହା ବ୍ୟତୀତ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ), ଗଜପତିଙ୍କୁ ଏ ସଂକ୍ରାନ୍ତରେ ତଦନ୍ତ କରି ତଥ୍ୟ ପ୍ରଦାନ କରିବା ପାଇଁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ।

Leave A Reply

Your email address will not be published.