ଓଡ଼ଗାଁ, (ଶ୍ରୀକାନ୍ତ କୁମାର ମିଶ୍ର) : ରାଜ୍ୟ ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ଉନ୍ନୟନ ନିର୍ଦ୍ଦେଶକ ହେମନ୍ତ କୁମାର ପଣ୍ଡା ସୋମବାର ଦିନ ନୟାଗଡ଼ ଜିଲ୍ଲାର ଓଡ଼ଗାଁ ବ୍ଳକ ଗସ୍ତରେ ଆସି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ କୃଷକମାନଙ୍କ ଆୟବୃଦ୍ଧି ନିମନ୍ତେ ଉପଦେଶ ପ୍ରଦାନ କରିଥିଲେ । ନନ୍ଦିଘୋର ବେଢ଼ା ପୋଖରୀ ହୁଡ଼ାରେ ନରେଗା ଯୋଜନା ମାଧ୍ୟମରେ ନଡ଼ିଆ ଚାରା ରୋପଣ କାର୍ଯ୍ୟକ୍ରମ, ଡହଙ୍ଗି ଓ କୋମଣ୍ଡ ଗ୍ରାମଠାରେ ୫ ଗୋଟି କ୍ଷେତ ପୋଖରୀ ପରିଦର୍ଶନ କରିବା ସହ ଈଶ୍ୱର ଧଳେଇ, ଅଭାଗିନୀ ପ୍ରଧାନ ଓ ମିନତୀ ପ୍ରଧାନଙ୍କୁ କ୍ଷେତ ପୋଖରୀରୁ ଆୟବୃଦ୍ଧି ସମ୍ବନ୍ଧୀୟ ପଥପ୍ରଦର୍ଶନ କରିଥିଲେ । ବିଶେଷ କରି ଜଳସେଚନ ସୁବିଧା ଥିବା ହୁଡାମାନଙ୍କରେ ସଜନା, ଅମୃତଭଣ୍ଡା, ନଡ଼ିଆ, କଦଳୀ ଚାଷ ସମେତ ମାଛ, ପନିପରିବା ଓ ମିଳିତ ଭାବେ ବତକ ଚାଷ କରିବା ଦ୍ୱାରା କୃଷକମାନଙ୍କର ଆୟବୃଦ୍ଧି ହୋଇପାରିବ ବୋଲି କହିଥିଲେ । ପରିଶେଷରେ ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନାରେ ରୋହିବାଙ୍କ ପଞ୍ଚାୟତ ନରସିଂହପ୍ରସାଦଠାରେ ନିର୍ମିତ ଗାଧୁଆ ତୁଠ ଏବଂ ବସ୍ତ୍ର ପରିଧାନ ପ୍ରକୋଷ୍ଠ ପରିଦର୍ଶନ କରିଥିଲେ।ଅନ୍ୟପକ୍ଷେ ଜରାଜୀର୍ଣ୍ଣ ଅବସ୍ଥାରେ ପଡିଥିବା ବରାନୁକେତନ କେନ୍ଦ୍ର ବୁଲି ଦେଖିବା ସହ ଆଗାମୀ ଦିନରେ ଏହାର ପୁନରୁଦ୍ଧାର କରିବା ସହ ଉକ୍ତ ସ୍ଥାନଟିକୁ ବିଭାଗ ନାମରେ ହସ୍ତାନ୍ତର କରିବା ପ୍ରକ୍ରିୟା ଯଥାଶ୍ରୀଘ୍ର ଆରମ୍ଭ କରିବା ନିମନ୍ତେ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ଗସ୍ତ ସମୟରେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ସୁଧାକର ଶତପଥୀ, ବ୍ଲକ ମୃତ୍ତିକା ସଂରକ୍ଷଣ ସହକାରୀ ଯନ୍ତ୍ରୀ ମିହିର କୁମାର ପାତ୍ର ଓ ଅନ୍ୟାନ୍ୟ କର୍ମଚାରି ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.