ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଉତ୍କଳ ହିତୈଷିଣୀ ସମାଜ ସଭାଗୃହ ଠାରେ ରବିବାର ଦିନ ବ୍ରହ୍ମପୁର ସ୍ଥିତ “କଳିଙ୍ଗ ସାହିତ୍ୟ ସମାଜ”ର ନିବେଦକରେ କଳିଙ୍ଗ ସାହିତ୍ୟ ସମାଜ ଓ ଉତ୍କଳ ହିତୈଷିଣୀ ସମାଜର ମିଳିତ ଆନୁକୂଲ୍ୟରେ ଓଡ଼ିଆ ଭାଷା , ସାହିତ୍ୟ ଓ ସଂସ୍କୃତିର ଗବେଷକ ବିଶିଷ୍ଠ ସାହିତ୍ୟିକ , ଗବେଷକ ଓ ପ୍ରାଜ୍ଞ ସମାଲୋଚକ ଡ଼ଃ ବେଣୀମାଧବ ପାଢ଼ୀଙ୍କ ସ୍ମାରକୀ ବକ୍ତୃତାମାଳା ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଓଡିଶା ସାହିତ୍ୟ ଏକାଡେମୀର ସଦସ୍ୟ ତଥା କଳିଙ୍ଗ ସାହିତ୍ୟ ସମାଜର ସଭାପତି ଡ.ସିଦ୍ଧାର୍ଥ ଶଙ୍କର ପାଢ଼ୀଙ୍କ ସଭାପତିତ୍ୱରେ ପାରଳାର ଉପାନ୍ତ ପ୍ରହରୀ ତଥା ଗବେଷକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଉଦଘାଟକ ଭାବେ ଯୋଗଦେଇ ଡ଼ଃ ବେଣୀମାଧବ ପାଢ଼ୀଙ୍କ ଶିକ୍ଷକ ଓ ଅଧ୍ୟାପକ ଜୀବନ ସହ ତାଙ୍କ ଗବେଷଣାର ମୌଳିକ ବିଶେଷତା ଉପରେ ଆଲୋଚନା କରିଥିଲେ।
ନୂଆଦିଲ୍ଲୀ ସ୍ଥିତ ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟର ଚେୟାର ପ୍ରଫେସର ଉଦୟନାଥ ସାହୁ ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ଡ଼ଃ ବେଣୀମାଧବ ପାଢ଼ୀଙ୍କ ସାରସ୍ୱତ କୃତି ସମ୍ପର୍କରେ ଆଲୋଚନା କରି ତାଙ୍କର ଜୀବନବୃତ୍ତର ବିବିଧତା , ଭାଷା , ସାହିତ୍ୟ , ସଂସ୍କୃତି , ଗବେଷଣା ଓ ସମାଲୋଚନା ଉତ୍କର୍ଷତାର ବିଭିନ୍ନ ଦିଗ ସମ୍ପର୍କରେ କହି ପୂର୍ବ ଭାରତୀୟ ମହାଭାରତ ଓ ଭାଗବତ , ଏକ ତୁଳନାତ୍ମକ ଅଧ୍ୟୟନ ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଦକ୍ଷିଣାଞ୍ଚଳର ସର୍ବ ପୁରାତନ ସାହିତ୍ୟାନୁଷ୍ଠାନ କଳିଙ୍ଗ ସାହିତ୍ୟ ସମାଜର ଉପସଭାପତି ଡ.ବନମାଳୀ ପାଣିଗ୍ରାହୀ , ଶାନ୍ତି ନିକେତନ ବିଶ୍ବଭାରତୀ ବିଶ୍ୱବିଦ୍ୟାଳୟର ଓଡ଼ିଆ ବିଭାଗ ସହକାରୀ ପ୍ରଫେସର ଡ.ଶରତ କୁମାର ଜେନା , ଡ.ଲମ୍ବୋଦର ପାଣିଗ୍ରାହୀ , ଡ.ହୃଷିକେଶ ପଣ୍ଡା , ଡ. କୃଷ୍ଣ ପ୍ରସାଦ ମହାପାତ୍ର ଏବଂ ଗଜପତି ଜିଲ୍ଲାର ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟ ଶିକ୍ଷାବିତ ଶ୍ରୀ ବିଚିତ୍ରାନନ୍ଦ ବେବର୍ତ୍ତା ପ୍ରମୁଖ ମଞ୍ଚାସିନ ଅତିଥି ଭାବେ ଯୋଗଦେଇ ଡ଼ଃ ବେଣୀମାଧବ ପାଢ଼ୀଙ୍କ କର୍ମମୟ ଜୀବନ ଓ ସାରସ୍ୱତ କୃତି ସମ୍ପର୍କରେ ଆଲୋଚନା କରିଥିଲେ।
ଏହି ଅବସରରେ “ବେଣୀମାଧବ ଗ୍ରନ୍ଥାବଳୀ ” ଦ୍ଵିତୀୟ ସଂସ୍କରଣ ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚନ ହୋଇଥିଲା ବେଳେ ନୂଆଦିଲ୍ଲୀ ଜେଏନୟୁର ଚେୟାର ପ୍ରଫେସର ଉଦୟ ନାଥ ସାହୁଙ୍କୁ “ଡ.ବେଣୀମାଧବ ପାଢ଼ୀ ସମ୍ମାନ ” ପ୍ରଦାନ କରାଯାଇଥିଲା।
କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅଧ୍ୟାପିକା ଡ.କଲ୍ୟାଣୀ ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଶ୍ରୀମତୀ ବି. କୋମଳାଙ୍ଗି ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ ଏବଂ ଅଧ୍ୟାପକ ଡ.ଅଜୟ କୁମାର ତ୍ରିପାଠୀ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ସମସ୍ତ କାର୍ଯ୍ୟକ୍ରମକୁ ଶ୍ରୀ ଶରତ ସାହୁ , ବିଷ୍ଣୁ ଚରଣ ପଣ୍ଡା , ମୁରଲୀଧର ପରିଚ୍ଛା ତ୍ରିପତି ପ୍ରସାଦ ପଣ୍ଡା ପ୍ରମୁଖ ପରିଚାଳନା ଓ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.