ନିସଙ୍ଗ ଓ ଅସହାୟ ଅବସ୍ଥାରେ ଥିବା ବୃଦ୍ଧ ମହିଳାଙ୍କୁ ମାନବୀୟ ସହାୟତା ଯୋଗାଇଦେଲା ଓଡ଼ିଶା ମୋ ପରିବାର

0

ଭୁବନେଶ୍ୱର– ବାଃ ବାଃ ରେ ସନ୍ତାନ… ବାପା, ମା’ ଦୁଇଜଣଙ୍କୁ ବୟସର ଅପରାହ୍ନରେ ପର କରିଦେଲେ । ଧିକ୍ ସେହି ପୁଅଝିଅଙ୍କୁ ଯିଏ ବୁଝିପାରିଲେନି ମା’ର ଗର୍ଭରୁ ବଡ଼ ହେବା ପଛରେ ଥିବା ଦୁଃଖ ଏବଂ ଯନ୍ତ୍ରଣାକୁ ଓ ବାପର ଝାଳବୁହା ରୋଜଗାରରେ ପିଲାମାନଙ୍କୁ ବଡ଼ କରିଥିବା ପରିଶ୍ରମକୁ, କେତେ ଯେ ସେ କଷ୍ଟ ସହି ପିଲାମାନଙ୍କୁ ବଡ଼ କରିଥିବେ….କିନ୍ତୁ ସେହି ସନ୍ତାନ ଏବେ ତାଙ୍କୁ ରୋଗଗ୍ରସ୍ଥ ଅବସ୍ଥାରେ ରାସ୍ତା କଡ଼କୁ ଠେଲିଦେଲେ ଏବଂ ବାପାଙ୍କର ମୃତ୍ୟୁ ଖବର ଶୁଣି ମଧ୍ୟ ହସ୍ପିଟାଲକୁ ଆସିଲେନି । ଶେଷରେ ଓଡ଼ିଶା ମୋ ପରିବାର ସହାୟତାର ହାତ ବଢାଇଲା ଓ ମୃତ ଅର୍ଜୁନଙ୍କର ପାର୍ଥିବ ଶରୀର ତାଙ୍କ ଗ୍ରାମକୁ ପଠାଗଲା।
ଏହି ଦୁଃଖଦ ଘଟଣାଟି ଘଟିଛି, ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଅଞ୍ଚଳରେ, ଆମ୍ବଡିହ ଗ୍ରାମର ୫୫ ବର୍ଷିୟ ବାସିନ୍ଦା ଅର୍ଜୁନ ରାୟଙ୍କର ଦେହ ଅସୁସ୍ଥ ହେବାରୁ ତାଙ୍କ ପୁଅ ବାପା ମା’ ଦୁହିଁଙ୍କୁ ଘରୁ ବାହାର କରିଦେଲେ । ଅର୍ଜୁନଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡିଯିବାରୁ ତାଙ୍କ ପତ୍ନୀ ତାଙ୍କୁ ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ହସ୍ପିଟାଲକୁ ନେଇ ଆସିଥିଲେ । ସେଠାରେ କିଛି ସମୟ ପରେ ତାଙ୍କ ସ୍ଵାମୀ ଶେଷ ନିଃଶ୍ଵାସ ତ୍ୟାଗ କରିଥିଲେ । ଅର୍ଜୁନ ଙ୍କର ପତ୍ନୀ ତାଙ୍କ ସ୍ଵାମୀଙ୍କର ମୃତ୍ୟୁ ଖବର ଶୁଣି ବହୁତ ଭାଙ୍ଗି ପଡ଼ିଥିଲେ ଓ ନିଜକୁ ବହୁତ ଏକା ଓ ଅସହାୟ ଅନୁଭବ କରିଥିଲେ । ଠିକ୍ ଏହି ସମୟରେ ଓଡ଼ିଶା ମୋ ପରିବାର ହେଲ୍ପଡ଼େସ୍କ ସହଯୋଗୀ (ପଣ୍ଡିତ ରଘୁନାଥ ମୁର୍ମୁ ହସ୍ପିଟାଲ) ଆଶିଷ ରଣା ତାଙ୍କୁ ହସ୍ପିଟାଲ ପରିସରରେ ଅସହାୟ ଅବସ୍ଥାରେ ଦେଖି ସଙ୍ଗେସଙ୍ଗେ ତାଙ୍କ ଲୁହ ପୋଛି ପାଣି ପିଇବାକୁ ଦେଇଥିଲେ । ତାଙ୍କର ସମସ୍ୟା ପଚାରି ବୁଝିବା ପରେ ଆଶିଷ ତୁରନ୍ତ ହସ୍ପିଟାଲ କର୍ତ୍ତୁପକ୍ଷଙ୍କ ସାହାଯ୍ୟ ନେଇ ଏକ ଆମ୍ବୁଲାନ୍ସ ଯୋଗାଡ଼ କରିଥିଲେ ଏବଂ ମୃତକଙ୍କ ପତ୍ନୀଙ୍କୁ କିଛି ଖାଇବାକୁ ଦେଇ ଆମ୍ବୁଲାନ୍ସରେ ତାଙ୍କୁ ଏବଂ ପାର୍ଥିବଶରୀରକୁ ରାଇରଙ୍ଗପୁରସ୍ଥିତ ତାଙ୍କ ନିଜ ଗ୍ରାମକୁ ପଠାଇଥିଲେ ।
ଏଭଳି ଅସହାୟ ପରିସ୍ଥିତିରେ ନିଜ ପୁଅ ପରି ବୃଦ୍ଧାଙ୍କୁ ସାହାଯ୍ୟ କରିଥିବାରୁ ବୃଦ୍ଧା ଜଣକ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ଓଡ଼ିଶା ମୋ ପରିବାରକୁ ଅଶେଷ କୃତଜ୍ଞତା ଜଣାଇଥିଲେ ।

Leave A Reply

Your email address will not be published.