କିଟ୍‍କୁ ସ୍ପୋର୍ଟଷ୍ଟାର ଏସେସ୍‍ ପୁରସ୍କାର ୨୦୨୨

0

କ୍ରୀଡ଼ା ପ୍ରୋତ୍ସାହନ କ୍ଷେତ୍ରରେ ଦେଶର ଶ୍ରେଷ୍ଠ ଅନୁଷ୍ଠାନ

ଭୁବନେଶ୍ୱର: କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ସକାଶେ କିଟ୍‍ ବିଶ୍ୱବିଦ୍ୟାଳୟକୁ ସମ୍ମାନଜନକ ସ୍ପୋର୍ଟଷ୍ଟାର ଏସେସ୍‍ ପୁରସ୍କାର ୨୦୨୨ ପ୍ରଦାନ କରାଯାଇଛି। କ୍ରୀଡ଼ା ଓ କ୍ରୀଡ଼ାବିତ୍‍ଙ୍କୁ ପ୍ରୋତ୍ସାହନ ଯୋଗାଇ ଦେଇଆସୁଥିବା ଦେଶର ଏକମାତ୍ର ବିଶ୍ୱବିଦ୍ୟାଳୟ ଭାବେ କିଟ୍‍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଶନିବାର ମୁମ୍ବାଇଠାରେ ସ୍ପୋର୍ଟଷ୍ଟାର ପକ୍ଷରୁ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କିଟ୍‍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। କାର୍ଯ୍ୟକ୍ରମରେ ଭାରତୀୟ ପ୍ରାକ୍ତନ କ୍ରିକେଟ ତାରକା ସୁନିଲ ଗାଭାସ୍କରଙ୍କ ସମେତ ବହୁ କ୍ରୀଡ଼ାବିତ୍‍, କୋଚ୍‍ ଓ ପ୍ରାକ୍ତନ କ୍ରୀଡ଼ାବିତ୍‍ ପ୍ରମୁଖ ଉପସ୍ଥିତ ଥିଲେ। ୨୦୦୪ ମସିହାରୁ କିଟ୍‍ ଓ କିସ୍‍ କ୍ରୀଡ଼ାର ବିକାଶ, କ୍ରୀଡ଼ାବିତ୍‍ଙ୍କୁ ଉତ୍ସାହ ଓ ପ୍ରୋତ୍ସାହନ ଯୋଗାଇ ଦେଇ ଆସୁଛି। କିଟ୍‍ ଓ କିସ୍‍ରେ ଉନ୍ନତ ଓ ଅନ୍ତର୍ଜାତୀୟମାନର କ୍ରୀଡ଼ା ଭିତ୍ତିଭୂମି ଜରିଆରେ ଉଭୟ ଅନୁଷ୍ଠାନରୁ ୫ ହଜାରରୁ ଊଦ୍ଧ୍ୱର୍ ଆଞ୍ଚଳିକ, ଜିଲ୍ଲାସ୍ତରୀୟ, ରାଜ୍ୟସ୍ତରୀୟ, ଜାତୀୟ ଓ ଅନ୍ତର୍ଜାତୀୟ କ୍ରୀଡ଼ାବିତ୍‍ ସୃଷ୍ଟି ହୋଇ ପାରିଛନ୍ତି। ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ନେତୃତ୍ୱରେ କିଟ୍‍ ଓ କିସ୍‍ ତୃଣମୂଳସ୍ତରରୁ କ୍ରୀଡ଼ାର ବିକାଶ କରିବା ସହ ଅଲିମ୍ପିକ୍‍ ପାଇଁ ମଧ୍ୟ କ୍ରୀଡ଼ାବିତ୍‍ଙ୍କୁ ସାମିଲ କରିପାରିଛି। କ୍ରୀଡ଼ା କ୍ଷେତ୍ରରେ ଏଭଳି ଉଲ୍ଲେଖନୀୟ ପଦକ୍ଷେପ ପାଇଁ କିଟ୍‍ ବିଶ୍ୱବିଦ୍ୟାଳୟ ସ୍ପୋର୍ଟଷ୍ଟାର ଏସେସ୍‍ ପୁରସ୍କାର ବିଚାରକମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। କିଟ୍‍ ପକ୍ଷରୁ ପ୍ରତିଷ୍ଠାତା ଶ୍ରୀ ସାମନ୍ତଙ୍କ ଅନୁପସ୍ଥିତିରେ କିଟ୍‍ର କ୍ରୀଡ଼ା ମହାନିର୍ଦ୍ଦେଶକ ଡ. ଗଗନେନ୍ଦୁ ଦାଶ ଓ ଅନ୍ତର୍ଜାତୀୟ ବ୍ୟାପାର ବିଭାଗ ନିର୍ଦ୍ଦେଶକ ଡ. ବରୁଣ ସୁତ୍ର ଏହି ପୁରସ୍କାର ଗ୍ରହଣ କରିଥିଲେ। ଏଥିରେ ଖୁସି ବ୍ୟକ୍ତ କରିବା ସହ ଶ୍ରୀ ସାମନ୍ତ ସ୍ପୋର୍ଟସଷ୍ଟାରକୁ ନିଜର କୃତଜ୍ଞତା ଜଣାଇଛନ୍ତି।

Leave A Reply

Your email address will not be published.