ବଲାଙ୍ଗୀର(୦୪/୧୧): ଜାତୀୟସ୍ତରୀୟ ଲନ୍ ବଲ୍ସ ପ୍ରତିଯୋଗୀତାରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ଖେଳାଳିଙ୍କୁ ଜିଲ୍ଲା ପ୍ରସାଶନ ସମ୍ବର୍ଦ୍ଧିତ କରିଛି । ଜିଲ୍ଲାପାଳ ଶ୍ରୀ ଗୌରୱ ଶିୱାଜୀ ଇସଲୱାର, ଏବଂ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପବିତ୍ର ବେହେରାଙ୍କ ଦ୍ଵାରା ଖେଳାଳିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଜାତୀୟସ୍ତରରେ ବଲାଙ୍ଗୀର ଖେଳାଳିଙ୍କ ଏହି ସଫଳତା ଜିଲ୍ଲାର କ୍ରୀଡ଼ା ଇତିହାସରେ ଏକ ଗର୍ବର ଅଧ୍ୟାୟ ଯୋଡ଼ିଛି ବୋଲି ଜିଲ୍ଲାପାଳ ମତବ୍ୟକ୍ତ କରିଛନ୍ତି । ପ୍ରକାଶ ଯୋଗ୍ୟ, ବଲାଙ୍ଗୀର ଠାରେ ଅନୁଷ୍ଠିତ ଜାତୀୟସ୍ତରୀୟ ଲନ୍ ବଲ୍ସ ପ୍ରତିଯୋଗୀତାରେ ଓଡ଼ିଶାର ଖେଳାଳିମାନେ ଉଲ୍ଲେଖନୀୟ ସଫଳତା ହାସଲ କରି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି । ୧ମ ଅଣ୍ଡର-୧୮ ଓ ୬ଷ୍ଠ ଅଣ୍ଡର-୨୫ ଜାତୀୟ ଲନ୍ ବଲ୍ସ ଚାମ୍ପିୟନଶିପ୍ ୨୦୨୬-୨୭ରେ ଓଡ଼ିଶା ଦଳ ମୋଟ ୩ଟି ସ୍ୱର୍ଣ୍ଣ, ଗୋଟିଏ ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜ ପଦକ ହାସଲ କରି ଗୌରବମୟ ସଫଳତା ଅର୍ଜନ କରିଛି। ଏହି ସଫଳତାରେ ବଲାଙ୍ଗୀର ଜିଲ୍ଲାର ଖେଳାଳିମାନଙ୍କ ଅବଦାନ ବେଶ୍ ଉଲ୍ଲେଖନୀୟ । ବଲାଙ୍ଗୀରର ଖେଳାଳିମାନେ ୩ଟି ସ୍ୱର୍ଣ୍ଣ ଓ ଗୋଟିଏ ରୌପ୍ୟ ପଦକ ହାସଲ କରି ଜିଲ୍ଲାକୁ ଗର୍ବିତ କରିଛନ୍ତି। ଲନ୍ ବଲ୍ସ ପ୍ରତିଯୋଗୀତାର ଅଣ୍ଡର-୧୮ ବାଳିକା ବର୍ଗରେ ରୋଶନୀ ସାହୁ ସ୍ୱର୍ଣ୍ଣ ପଦକ ଏବଂ ବାଳକ ବର୍ଗରେ ସୁଜ୍ଞାନେନ୍ଦ୍ର ଷଡ଼ଙ୍ଗୀ ରୌପ୍ୟ ପଦକ ହାସଲ କରିଛନ୍ତି । ସେହିପରି ଭାବେ ଅଣ୍ଡର-୨୫ ବାଳିକା ବର୍ଗରେ ରାଜେଶ୍ୱରୀ ସେଠ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ବେଳେ ଅଣ୍ଡର-୨୫ ମିକ୍ସ ପେୟାର୍ସ ବର୍ଗରେ ପଦ୍ମାସିନୀ ପୁଟେଲ ଓ ସିଦ୍ଧାର୍ଥ ଆର୍ଯ୍ୟନ ସାହୁ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଏହିପରି ବଲାଙ୍ଗୀରର ଯୁବ ଖେଳାଳିମାନେ ଜାତୀୟ ମଞ୍ଚରେ ନିଜର ପ୍ରତିଭା, ଦକ୍ଷତା ଓ ପରିଶ୍ରମର ପରିଚୟ ଦେଇ ଜିଲ୍ଲାର ଗୌରବ ବୃଦ୍ଧି କରିଛନ୍ତି।
ଏହି ସଫଳତା ପଛରେ କୋଚ୍ ଶ୍ରୀ କୈଳାଶ ମାଝୀ ଓ ଶ୍ରୀ ଲକ୍ଷ୍ମୀକାନ୍ତ ପଟ୍ଟନାୟକଙ୍କ ନିରନ୍ତର ପ୍ରଶିକ୍ଷଣ, ପରିଶ୍ରମ ଓ ମାର୍ଗଦର୍ଶନର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଥିବାରୁ ସେମାନଙ୍କୁ ମଧ୍ୟ ଏହି ଅବସରରେ ସମ୍ମାନିତ କରାଯାଇଥିଲା।
ଏହି ଅବସରରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରାଜେନ୍ଦ୍ର ମାଝୀ, କ୍ରୀଡ଼ା ଛାତ୍ରାବାସ ଅଧିକ୍ଷକ ଶ୍ରୀ ପରାସର ବାଗ ଏବଂ ରାଜ୍ୟ ଲନ୍ ବଲ୍ସ ସଂଘ, ଓଡ଼ିଶାର ସମ୍ପାଦକ ଶ୍ରୀ ସୁମିତ ରଞ୍ଜନ ପୁରୋହିତ ଉପସ୍ଥିତ ରହି ସମସ୍ତଙ୍କୁ ଅଭିନନ୍ଦନ ଜଣାଇଥିଲେ। ଜିଲ୍ଲା ପ୍ରଶାସନ ପକ୍ଷରୁ ଖେଳାଳି ଓ ପ୍ରଶିକ୍ଷକମାନଙ୍କୁ ମିଳିଥିବା ଏହି ସମ୍ମାନ ଆଗାମୀ ଦିନରେ ଜିଲ୍ଲାର ଅନ୍ୟ ଯୁବ ଖେଳାଳିମାନଙ୍କୁ କ୍ରୀଡ଼ା କ୍ଷେତ୍ରରେ ଆଗକୁ ବଢ଼ିବା ପାଇଁ ନୂତନ ପ୍ରେରଣା ଯୋଗାଇବ।
Sign in
Sign in
Recover your password.
A password will be e-mailed to you.