ମହିଳା ସ୍ନାତକ ମହାବିଦ୍ୟାଳୟରେ ଆର୍ନ୍ତଜାତୀୟ ମହିଳା ଦିବସ ପାଳନ : ସମାଜରେ ନାରୀ ଯେତେ ଶିକ୍ଷିତା ହେବ, ସମାଜର ଉନ୍ନତି ସେତିକି ହେବ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହାବିଦ୍ୟାଳୟ ପରିସରରେ ଏନ୍.ଏସ୍.ଏସ୍. ବିଭାଗ ତରଫରୁ ଆର୍ନ୍ତଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି।
ମହାବିଦ୍ୟାଳୟର ଅଧ୍ୟକ୍ଷା ଡ.ରୀନା ସାହୁଙ୍କ ତତ୍ତ୍ଵାବଧାନରେ ଏହି କାର୍ଯ୍ୟକ୍ରମରେ ଓଡିଶା ଜୀବିକା ମିଶନ୍‌ର ଜିଲ୍ଲା ପ୍ରୋଗ୍ରାମ୍ ମ୍ୟାନେଜର୍ ଶ୍ରୀମତୀ ପ୍ରିୟମ୍ବଦା ବିଷୋୟୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏକ ସାରଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ ।
ସାମ୍ପ୍ରତିକ କାଳରେ ନାରୀ କିଭଳି ସଶକ୍ତିକରଣ ହେବା ସହ ପରିସ୍ଥିତିର ମୁକାବିଲା ପାଇଁ ସଚେତନ ହେବା ଆବଶ୍ୟକ ସେହି ସମ୍ପର୍କରେ ବିଭିନ୍ନ ଉଦାହରଣ ଦେଇ ବର୍ଣ୍ଣନା କରିଥିଲେ। ନାରୀମାନେ ହିଁ ନାରୀମାନଙ୍କ ପାଇଁ ନିର୍ଯ୍ୟାତନାର କାରଣ ବୋଲି ମୁଖ୍ୟ ଅତିଥି ତାଙ୍କ ବକ୍ତବ୍ୟରେ କହିଥିଲେ। ଏଥି ସହିତ ଛାତ୍ରୀମାନେ ସମାଜରେ ମିଳୁଥିବା ସ୍ଵାଧୀନତାକୁ ଶାଳୀନତାର ସହ ନେବା ଉଚିତ ବୋଲି ମଧ୍ୟ ଉପଦେଶ ଦେଇଥିଲେ।
ମହାବିଦ୍ୟାଳୟର ଅଧ୍ୟକ୍ଷା ଡ.ରୀନା ସାହୁ ଆର୍ନ୍ତଜାତୀୟ ମହିଳା ଦିବସର ଇତିହାସ ଓ ଭାରତୀୟ ନାରୀ ମାନଙ୍କର ଅବଦାନ ସଂପର୍କରେ ଉଦ୍‌ବୋଧନ ଦେଇଥିଲେ। ଅଧ୍ୟକ୍ଷା “ରେବତୀ’ ଗଳ୍ପର ଉଦାହରଣ ଦେଇ “ନାରୀ ଶିକ୍ଷିତା ହେଲେ ସମାଜର ଅବନ୍ନତି ହେବ” ଏହି ବିଶ୍ବାସ ଉପରେ ଯେଉଁ ଅନ୍ଧବିଶ୍ବାସ ତଥା କୁସଂସ୍କାର ଥିଲା ତା ଉପରେ ଆଲୋକପାତ କରିଥିଲେ । ଏଣୁ ସମାଜରେ ନାରୀ ଯେତେ ଶିକ୍ଷିତା ହେବ, ସମାଜର ଉନ୍ନତି ସେତିକି ହେବ ବୋଲି ଛାତ୍ରୀମାନଙ୍କୁ ଅବଗତ କରାଇଥିଲେ।
ଶେଷରେ ଏନ୍.ଏସ୍.ଏସ୍. ପ୍ରୋଗ୍ରାମ୍ ଅଫିସର୍ ଡ. ଭାରତୀ ପାଣିଗ୍ରାହୀ ୨୦୨୨ ବର୍ଷର ଆର୍ନ୍ତଜାତୀୟ ମହିଳା ଦିବସର ବିଷୟବସ୍ତୁ “ଲିଙ୍ଗଗତ ସମାନତା ଆଗାମୀ ଭବିଷ୍ୟତ ପାଇଁ” ସଂପର୍କରେ ନିଜର ବକ୍ତବ୍ୟ ରଖିବା ସହ ଅତିଥିମାନଙ୍କୁ ସଭାଶେଷରେ ଧନ୍ୟବାଦ ପ୍ରଦାନ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମସ୍ତ ଅଧ୍ୟାପିକା ଓ କର୍ମଚାରୀ ବୃନ୍ଦ ଉପସ୍ଥିତ ରହି ସହଯୋଗ ପ୍ରଦାନ କରିଥିଲେ।

Leave A Reply

Your email address will not be published.