ଭୁବନେଶ୍ୱର:ତ୍ରିସ୍ତରୀୟ ପଂଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟ ଭୋଟିଂ ସରିଛି । ରାଜ୍ୟର ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ, ରିଗିଂ ଭଳି ବହୁ ସମସ୍ୟା ସାମ୍ନାକୁ ଆସିଛି । ଭୋଟିଂ ବେଳର ଅଧିକ ଗୁଣ୍ଡାଗର୍ଦ୍ଧି ସହ ହିଂସାକାଣ୍ଡ ଘଟିଥିବା ତିନୋଟି ଜିଲ୍ଲା ହେଉଛି; ମୁଖ୍ୟମନ୍ତ୍ରୀ ତଥା ଶାସକ ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ନିଜସ୍ୱ ଜିଲ୍ଲା ଗଂଜାମ, ବିଜେଡିର ରାଜ୍ୟ ସଂଗଠନ ସଂପାଦକ ବବି ଦାସଙ୍କ ଗୃହ ଜିଲ୍ଲା ଯାଜପୁର ଏବଂ ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ବ୍ୟୋମକେଶ ରାୟଙ୍କ ଗୃହ ଜିଲ୍ଲା ଭଦ୍ରକ । ଏଥି ସହ ଶାସକ ବିଜେଡିର ପ୍ରଭାବଶାଳୀ ମନ୍ତ୍ରୀ ଓ ନେତାଙ୍କ ନିଜସ୍ୱ ଜିଲ୍ଲାରେ ମଧ୍ୟ ବ୍ୟାପକ ହିଂସାକାଣ୍ଡ, ବୁଥ୍ ରିଗିଂ ଭଳି ଅଗଣତାନ୍ତ୍ରିକ ହୋଇଛି । ଅହିଂସା ଓ ଶାନ୍ତିର କଥା କହୁଥିବା ବିଜେଡି ନେତା ଓ ମନ୍ତ୍ରୀମାନେ ପ୍ରକୃତରେ ହିଂସା ଓ ଅଶାନ୍ତ ବାତାବରଣ ସୃଷ୍ଟିକାରୀ ବୋଲି ଗତ କାଲି ୩ୟ ପର୍ଯ୍ୟାୟ ପଂଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ପୁଣି ଥରେ ପ୍ରମାଣିତ ହୋଇଛି । ଚଳିତ ପଂଚାୟତରେ ଶାସକ ବିଜେଡି ତରଫରୁ ବ୍ୟାପକ ହିଂସାକାଣ୍ଡର ଆଶଙ୍କା କରି ଭାରତୀୟ ଜନତା ପାର୍ଟି ଅନେକ ଥର ରାଜ୍ୟ ନିର୍ବାଚନ କମିଶନ ଏବଂ ପୋଲିସ ଡିଜିଙ୍କ ନିକଟରେ ଅଭିଯୋଗ କରିବା ସତ୍ୱେ କୈାଣସି ସଫଳ ମିଳିଲା ନାହିଁ ବୋଲି ରାଜ୍ୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସାଧାରଣ ସଂପାଦକ ସଂଗଠନ ଶ୍ରୀ ଗୋଲକ ମହାପାତ୍ର କହିଛନ୍ତି ।
ଗଂଜାମ ଜିଲ୍ଲା ଚିକିଟିରେ ଘଟିଥିବା ହିଂସାକାଣ୍ଡର ମୁଖ୍ୟ ଆସାମୀମାନେ ଖୋଲାଖୋଲି ବାହାରେ ବୁଲୁଛନ୍ତି । ସେହିପରି ଗତ ୧୮ ତାରିଖ ଦିନ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ, ଗୋପିନାଥପୁର ପଂଚାୟତ, ହଳଦିଆ ଗ୍ରାମର ୧୦,୧.୧୨,୧୩ ବୁଥ୍ ରିଗିଂ ସମୟର ଖବର ପ୍ରସାରଣ କରୁଥିବା ମହିଳା ସାମ୍ବାଦିକା ତୃପ୍ତିଲତା ସାହୁଙ୍କୁ ଅଶ୍ଳୀଳଗାଳି ଏବଂ ମାଡ ମରିବା ଘଟଣାର ୩ ଦିନ ବିତିଯାଇଥିଲେ ସୁଦ୍ଧା ମୁଖ୍ୟ ଅଭିଯୁକ୍ତକୁ ଗିରଫ କରାଯାଇନାହିଁ ।ପୁଣି ଗତ କାଲି ଯାଜପୁର ଜିଲ୍ଲା ବିଂଝାରପୁର ବାଚ୍ଛୋଳ ଗ୍ରାମରେ କାର୍ଯ୍ୟରତ ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ସହିତ ଗଣତନ୍ତ୍ରକୁ ବିପଦ ମୁହାଁ କରିଛି । ଏହି ଘଟଣାରେ ୬-୭ ଜଣ ସଂପୃକ୍ତ ଥିବାର ଭିଡିଓ ଭାଇରାଲ ହୋଇଥିବାବେଳେ ଅଭିଯୁକ୍ତ ଭାବେ୪୨ ଜଣ ପୁରୁଷ ଓ ମହିଳାଙ୍କୁ ଗିରଫ କରାଯାଇ ମୁଖ୍ୟ ଆସାମୀମାନଙ୍କୁ ଖସାଇ ଦେବାର ବିରାଟ ଷଡଯନ୍ତ ରଚାଯାଇଛି । ପ୍ରତିହିଂସା ପରାୟଣ ହୋଇ ବିଜେଡିର ବରିଷ୍ଠ ନେତା ଦେବୀ ମିଶ୍ରଙ୍କ ଲୋକମାନେ କଟକ ଜିଲ୍ଲା ବଡମ୍ବା ବ୍ଲକରେ ବିଜେପି କାର୍ଯ୍ୟକର୍ତାଙ୍କ ଗାଡି, ଲୁଗା ଦୋକାନ ଆଦି ପୋଡି ଦେଇଛନ୍ତି । ସେହିପରି ବାଲେଶ୍ୱର ଜିଲ୍ଲା ନିଳଗିରୀରେ ସାମ୍ବାଦିକଙ୍କୁ ମାଡ ମାରିବା ସହ ସିମୁଳିଆରେ ବ୍ୟାଲେଟ ବକ୍ସକୁ ପୋଖରୀ ପାଣିରେ ଶାସକ ବିଜେଡି ନେତାମାନେ ଫୋପାଡି ଦେଇଛନ୍ତି । ପୋଲିସ ଉପସ୍ଥତିରେ ଭଦ୍ରକ ତିହିଡିରେ ବିଜେଡି ନେତ୍ରୀ ଯେଉଁ ଭଳି ଭାବେ ବୁଥ୍ ରିଗିଂ କରିଛନ୍ତି, ତାହା ଶାସକ ଦଳର ଅରାଜକତାକୁ ସ୍ପଷ୍ଟ କରିଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।
ଅପର ପକ୍ଷେ ହିଂସା ଓ ଅଶାନ୍ତ ବାତାବରଣ ସୃଷ୍ଟିକାରୀଙ୍କୁ ନିଜ ଦଳରେ ପ୍ରାଧାନ୍ୟ ଦେଇ ରାଜ୍ୟରେ ଅରାଜକତାକୁ ମୁଖ୍ୟମନ୍ତ୍ରୀ ପ୍ରୋତ୍ସାହିତ କରୁଛନ୍ତି । ରାଜ୍ୟରେ ନିର୍ବାଚନୀ ହିଂସା, ସାମ୍ବାଦିକ ଓ ସାଧାରଣ ଭୋଟରଙ୍କ ପ୍ରତି ହେଉଥିବା ଆକ୍ରମଣ ଘଟଣା ପ୍ରତି ଗୁରୁତ୍ୱ ଦେବା ସହ ମୁକ୍ତ, ଅବାଧ ଓ ନିରପେକ୍ଷ ନିର୍ବାଚନରେ ବାଧା ସୃଷ୍ଟି କରୁଥିବା ବ୍ୟକ୍ତି ବିଶେଷ ତଥା ନିର୍ବାଚନ ଦାୟିତ୍ୱରେ ଥିବା କର୍ମଚାରୀଙ୍କ ପ୍ରତି ତୁରନ୍ତ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶ୍ରୀ ମହାପାତ୍ର ଦାବୀ କରିଛନ୍ତି ।
ଆଗକୁ ଆଉ ୨ଟି ପର୍ଯ୍ୟାୟ ନିର୍ବାଚନ ଅଛି । ବିଜୁ ଜନତା ଦଳର କର୍ମୀମାନେ ଗୁଣ୍ଡାଗର୍ଦ୍ଧି ନକରି ଶାନ୍ତି ଶୃଙ୍ଖଳା ବଜାୟ ରଖନ୍ତୁ ନଚେତ୍ ସାଧାରଣ ଜନତା ଏହାର ଦୃଢ଼ ଜବାବ ଦେବେ । କରୋନା ମହାମାରୀ ହେଉ କିମ୍ବା ପଂଚାୟତ ନିର୍ବାଚନ ହେଉ; ସାମ୍ବାଦିକଙ୍କ ସୁରକ୍ଷା ପାଇଁ ବିଜେପି ସବୁବେଳେ ଚିନ୍ତା ପ୍ରକଟ କରି ଆସିଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।
ଏହି ଅବସରରେ ରାଜ୍ୟ ମୁଖପାତ୍ର ଠାକୁର ରଞ୍ଜିତ ଦାସ ଓ ସୋନାଲୀ ସାହୁ, ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜୟନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.
Next Post