ଭୁବନେଶ୍ୱର : ଦେଶର ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାରୁ ଅନେକ ସଂଗ୍ରାମୀ ଝାସ ଦେଇଛନ୍ତି । ଅନେକ ସହୀଦ ମଧ୍ୟ ହୋଇଛନ୍ତି । ଏହି ସଂଗ୍ରାମୀମାନଙ୍କ ତ୍ୟାଗରୁ ଆମ ମାତୃଭୂମୀର ସମ୍ମାନ ରହିଛି । ଏମାନେ ବିଶ୍ୱ ଇତିହାସରେ ନିଜର ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି । ତେବେ ଏମାନଙ୍କର ତ୍ୟାଗ ଓ ବଳିଦାନର ଗାଥା ଆମ ଆଗାମୀ ପିଢ଼ି ବିଶେଷ କରି ଶିଶୁ ମାନଙ୍କ ପାଖରେ ପହଂଚାଇବା ଉଦେ୍ଧଶ୍ୟ ନେଇ ‘ଓଡ଼ିଶାର ପଚାଶ ସ୍ୱାଧୀନତା ସଂଗ୍ରାମୀ’ (ଶିଶୁ ସାହିତ୍ୟ) ପୁସ୍ତକଟି ପ୍ରକାଶ ପାଇଛି ।
ଏନ୍ଆଇଟି, ରାଉରକେଲାର ପୂର୍ବତନ ଡିନ୍ ତଥା ପ୍ରଫେସର ଶିବ ଚରଣ ନାୟକଙ୍କ ଦ୍ୱାରା ଲିଖିତ ଏହି ପୁସ୍ତକଟିକୁ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର କୁଳପତି ପ୍ରଫେସର ଅଶୋକ କୁମାର ମହାପାତ୍ର ବୁଧବାର ୭୩ତମ ସାଧାରଣତନ୍ତ୍ର ଦିବସରେ ଉନ୍ମୋଚିତ କରିଛନ୍ତି ।
ସୋଆ କ୍ୟାମ୍ପସ୍ ୨ରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଯୋଗ ଦେଇ ପ୍ରଫେସର ମହାପାତ୍ର କହିଥିଲେ ଯେ ଆଗାମୀ ପିଢ଼ି ଜୟୀ ରାଜଗୁରୁ, ବକ୍ସି ଜଗବନ୍ଧୁ ଏବଂ ବାଜି ରାଉତଙ୍କ ଭଳି ସଂଗ୍ରାମୀମାନଙ୍କ ସମ୍ପର୍କରେ ଜ୍ଞାନ ଆହରଣ କରିବା ଉଚିତ୍ । ଏଭଳି ପୁସ୍ତକ ଦ୍ୱାରା ଓଡ଼ିଶାର ସ୍ୱାଧୀନତା ସଂଗ୍ରାମୀମାନଙ୍କ ବିଷୟରେ ଅଧିକ ବିଶ୍ଳେଷଣ ହୋଇପାରିବ । ଏହି ପୁସ୍ତକ ପାଇଁ ପ୍ରଫେସର ନାୟକଙ୍କୁ ସେ ଧନ୍ୟବାଦ ଦେଇଥିଲେ । ଏହି ଅବସରରେ ସମ୍ମାନୀତ ଅତିଥି ଭାବେ ବିଶିଷ୍ଟ ଲେଖକ ତଥା ଶିଶୁ ସାହିତ୍ୟିକ ଦାଶ ବେନହୁର (ପ୍ରଫେସର ଜିତେନ୍ଦ୍ର ନାଥ ଦାଶ) ଯୋଗ ଦେଇ ଲେଖକଙ୍କୁ ଅନେକ ପ୍ରଶଂସା କରିବା ସହ ଓଡ଼ିଶାର ସ୍ୱାଧୀନତା ସଂଗ୍ରାମୀମାନଙ୍କର ତ୍ୟାଗବନ୍ତ ଜୀବନର ମହାନ ଦସ୍ତାବିଜ୍ ସମ୍ପର୍କରେ ଏହି ପୁସ୍ତକରେ ଉଲ୍ଲେଖ କରାଯାଇଥିବା କହିଥିଲେ ।
ଆଠ ବର୍ଷରୁ ଅଠର ବର୍ଷର ପିଲାମାନଙ୍କ ପାଇଁ ଏହା ଏକ ଉପାଦେୟ ପୁସ୍ତକ । ତେଣୁ ଓଡ଼ିଶା ଏବଂ ଓଡ଼ିଶା ବାହାରେ ରହୁଥିବା ପ୍ରତ୍ୟେକ ଅଭିଭାବକ ମାନଙ୍କ ପାଖରେ ଏହି ପୁସ୍ତକ ପହଂଚିବା ଆବଶ୍ୟକ ବୋଲି ଦାସ ବେନହୁର ମତବ୍ୟକ୍ତ କରିଥିଲେ ।
ଏହି ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ କଟକ ସ୍ଥିତ ଆଇଏମ୍ଆଇଟିର ଅଧ୍ୟକ୍ଷ ପ୍ରଫେସର ପ୍ରଭାତ କୁମାର ପାଢ଼ୀ ଅଧ୍ୟକ୍ଷତା କରିଥିବା ବେଳେ ସୋଆ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଓ ଇନଷ୍ଟିଟ୍ୟୁଟ ଅଫ୍ ଏଗି୍ରକଲ୍ଚରାଲ୍ ସାଇନ୍ସେସ୍ର ପ୍ରଫେସର ସରୋଜ ମହାନ୍ତି ପୁସ୍ତକଟିର ସମୀକ୍ଷା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଇନଷ୍ଟିଟ୍ୟୁସନ୍ ଅଫ୍ ଇଞ୍ଜିନିୟର୍ସର ପାଷ୍ଟ ପ୍ରେସିଡେଂଟ ଇଞ୍ଜିନିୟର ଅଶୋକ ବାସା, ପୂର୍ବତନ ଅତିରିକ୍ତ ସଚିବ ଶ୍ରୀ ରୁଦ୍ରପ୍ରସନ୍ନ ଦ୍ୱିବେଦୀ, ଲେଖକ ପ୍ରଫେସର ନାୟକଙ୍କ ପତ୍ନୀ ତଥା ବିଶିଷ୍ଟ ସ୍ତ୍ରୀରୋଗ ବିଶେଷଜ୍ଞ ଡାକ୍ତର ମନୋରମା ନାୟକ, ପୂର୍ବତନ ପ୍ରଶାସନିକ ଅଧିକାରୀ ଶ୍ରୀ ମିହିର ଦ୍ୱିବେଦୀ ପ୍ରମୁଖ ଉପସ୍ଥିତ ଥିଲେ । ଉତ୍କଳ ଚାମ୍ବର ଅଫ୍ କମର୍ସର ସଭାପତି ଇଞ୍ଜିନିୟର ବ୍ରହ୍ମାନନ୍ଦ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।
Sign in
Sign in
Recover your password.
A password will be e-mailed to you.