ଭୁବନେଶ୍ବର: ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ‘ସମାଜ ଓ ସଂସ୍କୃତି’ର ସପ୍ତଦଶ ବାର୍ଷିକ ଉତ୍ସବ ଅବସରରେ ଏକ ସ୍ବତନ୍ତ୍ର ସଙ୍ଗୀତ ସନ୍ଧ୍ୟା ‘ଏଇ ଆମରି ଗାଁ’ ଆସନ୍ତା ୧୩ ତାରିଖ ସୋମବାର ସନ୍ଧ୍ୟା ୬ଟା ୧୫ରେ ରବୀନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ହେବ। ଗାଁ ପରିବେଶ, ଗାଁ ଜୀବନ ଓ ଗାଁ ଅନୁଭୂତିକୁ ନେଇ ବିଭିନ୍ନ ସମୟରେ ପ୍ରସ୍ତୁତ ହୋଇଥିବା ଲୋକପ୍ରିୟ ଓଡ଼ିଆ ଗୀତଗୁଡ଼ିକୁ ଏଥିରେ ପରିବେଷଣ କରାଯିବ। ଲୋକପ୍ରିୟ କଣ୍ଠଶିଳ୍ପୀ ବିଭୁକିଶୋର, ସୌରଭ ନାୟକ, ଦେବାଶିଷ ମହାପାତ୍ର, କରୁଣାକର, ଗିରିଜା ଦାଶ, ଶୈଳଭାମା, ଛନ୍ଦା ମିଶ୍ର ଓ ତନୁଶ୍ରୀ ପ୍ରମୁଖ ସଙ୍ଗୀତ ପରିବେଷଣ କରିବେ। ମୃତ୍ୟୁଞ୍ଜୟ ରଥ କାର୍ଯ୍ୟକ୍ରମକୁ ସଂଯୋଜନା କରିବେ। କାର୍ଯ୍ୟକ୍ରମରେ ଶ୍ରୋତାମାନଙ୍କୁ ଗ୍ରାମ୍ୟ ପରିବେଶର ଅନୁଭବ ଦେବା ପାଇଁ ମଞ୍ଚ ଓ ପ୍ରେକ୍ଷାଳୟ ପରିସରକୁ ଗ୍ରାମ୍ୟ ଜୀବନର ଛାପ ଦେଇ ସଜାଯିବ। ଗତ ୧୦ ବର୍ଷ ଧରି ସମାଜ ଓ ସଂସ୍କୃତି ପକ୍ଷରୁ ଏହିପରି କାର୍ଯ୍ୟକ୍ରମ ସଫଳତାର ସହ ଆୟୋଜନ କରାଯାଉଛି। ଗାଁକୁ ନେଇ ସୃଷ୍ଟି ହୋଇଥିବା ଅଭୁଲା ଗୀତ ମାଧ୍ୟମରେ ସହରବାସୀଙ୍କ ମନରେ ଗ୍ରାମ୍ୟ ସଂସ୍କୃତି ଓ ପରମ୍ପରାକୁ ଉଜ୍ଜୀବିତ କରିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ବୋଲି ଅନୁଷ୍ଠାନର ସଭାପତି ନିଶିକାନ୍ତ ମିଶ୍ର କହିଛନ୍ତି। ଏହି ଅବସରରେ ଏଥିରେ ଚାରି ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରାଯିବ। କବି ରକ୍ଷକ ନାୟକଙ୍କୁ ‘ଈଶ୍ବର ଚନ୍ଦ୍ର ସ୍ମୃତି ସମ୍ମାନ’, କଣ୍ଠଶିଳ୍ପୀ ବିଭୁକିଶୋର, ଚିକିତ୍ସକ ଡାକ୍ତର ହରିଶ ଚୌଧୁରୀ ଓ ଉଦ୍ୟୋଗପତି ଶୁଭମ୍ ପ୍ରଧାନଙ୍କୁ ‘ଚନ୍ଦ୍ର ମାଧବ ମିଶ୍ର ସ୍ମୃତି ସମ୍ମାନ’ ପ୍ରଦାନ କରାଯିବ। ଉତ୍ସବରେ ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଓ ସମ୍ମାନିତ ଅତିଥି ଭାବେ ପୂର୍ବତନ ବିଧାୟକ ସରୋଜ ସାମଲ ଯୋଗ ଦେବେ। କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ସାହିତ୍ୟ ଓ ସଙ୍ଗୀତପ୍ରେମୀ ଯୋଗ ଦେବାକୁ ସଭାପତି ଶ୍ରୀ ମିଶ୍ର ଅନୁରୋଧ କରିଛନ୍ତି |
Sign in
Sign in
Recover your password.
A password will be e-mailed to you.