ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏକ୍ସନ୍ ଏଡ୍ ଏବଂ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ଜିଲ୍ଲାରେ ପ୍ରଥମ ଜିଲ୍ଲାସ୍ତରୀୟ ବାଲ୍ୟବିବାହ ପ୍ରତିରୋଧ ମଞ୍ଚର ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡା ବାଲ୍ୟବିବାହକୁ ରୋକିବା ପାଇଁ ଏହା ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ ବୋଲି କହିଥିଲେ ଓ ଯେଉଁ ମାନେ ନିଜର ବାଲ୍ୟବିବାହକୁ ରୋକି ପାରିଛନ୍ତି ସେମାନଙ୍କୁ ନେଇ ଏହି ମଞ୍ଚ ଗଠିତ ହୋଇଥିବାରୁ ସେ ଖୁସି ପ୍ରକାଶ କରିଥିଲେ।
ବାଲ୍ୟବିବାହ ମୁକ୍ତ ଜିଲ୍ଲା ଆମ ସମସ୍ତଙ୍କର ମୁଖ୍ୟ ଲକ୍ଷ୍ୟ ଓ ଏଥିପାଇଁ ପ୍ରତ୍ୟେକଟି କ୍ଷେତ୍ରରେ ମୁଁ ସମସ୍ତଙ୍କ ସହିତ ଅଛି କହି ଉତ୍ସାହିତ କରିଥିଲେ। ଯେଉଁ ଝିଅ ମାନେ ନିଜକୁ ବାଲ୍ୟବିବାହରୁ ବଞ୍ଚାଇ ଏହି ମଞ୍ଚରେ ସାମିଲ ହୋଇଛନ୍ତି ସେମାନଙ୍କୁ ସମ୍ମାନୀତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସଂଗ୍ରାମ ଶେଖର ପଣ୍ଡା ବାଲ୍ୟବିବାହକୁ ରୋକିବା ଏବଂ ଶିଶୁ ସୁରକ୍ଷାରେ ସଂପୃକ୍ତ ଥିବା ସରକାରୀ ଓ ବେସରକାରୀ ଅନୁଷ୍ଠାନର କର୍ମକର୍ତ୍ତାଙ୍କୁ ଆସନ୍ତା ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥିଙ୍କ ଠାରୁ ପୁରସ୍କୃତ କରିବା ପାଇଁ ପ୍ରସ୍ତାବ ରଖିଥିଲେ।
ଏହି ଅବସରରେ ଜିଲ୍ଲାପାଳ ବାଲ୍ୟବିବାହକୁ ନା କହିଥିବା ଓ ବାଲ୍ୟବିବାହକୁ ରୋକିବା କ୍ଷେତ୍ରରେ ସହଯୋଗ କରୁଥିବା କିଶୋରୀ ବାଳିକା ମାନଙ୍କୁ ସମ୍ମାନ ପତ୍ର ଦେଇ ସମ୍ମାନିତ କରିଥିଲେ। ଏଥିସହିତ “ବାଲ୍ୟବିବାହକୁ ନା କହିବା” ପ୍ଲାକାର୍ଡ ଜିଲ୍ଲାପାଳ ଏବଂ ଉପସ୍ଥିତ ସମସ୍ତ ସଭ୍ୟଙ୍କ ଦ୍ଵାରା ପ୍ରଦର୍ଶନ କରାଯାଇଥିଲା।
ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଶ୍ରୀମତୀ ମିନତୀ ଦେଇ , ଜିଲ୍ଲା ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରମୋଦ କୁମାର ରାଉଳ , ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ଅରୁଣ କୁମାର ତ୍ରିପାଠୀ , ସମସ୍ତ ପଞ୍ଚାୟତ ସମିତିର ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ସହିତ କିଶୋରୀ ବାଳିକା ଉପସ୍ଥିତ ରହି ବାଲ୍ୟବିବାହ ପ୍ରତିରୋଧ ମଞ୍ଚ ମାଧ୍ୟମରେ ଜିଲ୍ଲାକୁ କିପରି ବାଲ୍ୟବିବାହ ମୁକ୍ତ ଜିଲ୍ଲା ଘୋଷଣା କରାଯିବ ସେଥିପାଇଁ ସମସ୍ତେ ଅଙ୍ଗୀକାର ବର୍ଦ୍ଧ ବୋଲି ପ୍ରକାଶ କରିଥିଲେ।
ଏହି କାର୍ଯ୍ୟକ୍ରମକୁ ଏକ୍ସନ୍ ଏଡ୍ ର ଜିଲ୍ଲା ପ୍ରତିନିଧି ଶ୍ରୀ ବିକାଶ କୁମାର ମେହେର ଓ ୟୁ ଏନ୍ ଏଫ୍ ପି ଏ ର ଜିଲ୍ଲା ପ୍ରତିନିଧି ସୁଶ୍ରୀ ସଂଯୁକ୍ତା ତ୍ରିପାଠୀ ପରିଚାଳନା କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post