ଜନଜାତି କଳା, ସଂସ୍କୃତି ଓ ପରମ୍ପରାର ସୁରକ୍ଷା ପାଇଁ କିଟ୍‍-କିସ୍‍ ଓ ରାଷ୍ଟ୍ରୀୟ ଆଧୁନିକ କଳା ସଂଗ୍ରହାଳୟ ମଧ୍ୟରେ ବୁଝାମଣା

0 2

ନୂଆଦିଲ୍ଲୀ/ ଭୁବନେଶ୍ୱର : କିଟ୍‍-କିସ୍‍ ଓ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟ ଅଧୀନରେ ଥିବା ରାଷ୍ଟ୍ରୀୟ ଆଧୁନିକ କଳା ସଂଗ୍ରହାଳୟ (ଏନଜିଏମଏ) ମଧ୍ୟରେ ନୂଆଦିଲ୍ଲୀଠାରେ ସୋମବାର ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଯାଇଛି। ରାଜ୍ୟସଭା ସାଂସଦ ତଥା ଶିକ୍ଷା, ମହିଳା, ଶିଶୁ ଏବଂ ଯୁବ ଓ କ୍ରୀଡ଼ା ସଂପର୍କିତ ସଂସଦୀୟ ସ୍ଥାୟୀ କମିଟିର ଅଧ୍ୟକ୍ଷ ଡ. ବିନୟ ସହସ୍ରବୁଦ୍ଧେ, ଭାରତୀୟ ସାଂସ୍କୃତିକ ସଂପର୍କ ପରିଷଦର ମହାନିର୍ଦ୍ଦେଶକ ଦୀନେଶ କୁମାର ପଟ୍ଟନାୟକ ଓ କିସ୍ରୀ ପରାମର୍ଶଦାତା ଡ. ସୁରଜ କୁମାରଙ୍କ ଉପସ୍ଥିତିରେ ଏହି ବୁଝାମଣାପତ୍ରରେ କିଟ୍‍-କିସ୍‍ ପକ୍ଷରୁ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସ୍ୱାକ୍ଷର କରିଥିବା ବେଳେ ଏନଜିଏମଏ ପକ୍ଷରୁ ଏହାର ମହାନିର୍ଦ୍ଦେଶକ ଅଦ୍ୱୈତ ଗଡ଼ନାୟକ ସ୍ୱାକ୍ଷର କରିଥିଲେ। ଏହି ଅବସରରେ ଶ୍ରୀ ସାମନ୍ତ କହିଲେ, କିଟ୍‍-କିସ୍‍ ଇତିହାସରେ ଏ ପ୍ରକାର ବୁଝାମଣା ପ୍ରଥମ। ଆଜିର କଳ୍ପନା ଆସନ୍ତା କାଲିର ଉଦ୍ଭାବନ। କଳା ହେଉଛି ଏକ କଳ୍ପନା , ଯାହା ପ୍ରେରଣା ଦ୍ୱାରା ବାସ୍ତବରେ ପରିଣତ ହୋଇଥାଏ ବୋଲି ଶ୍ରୀ ସାମନ୍ତ କହିଥିଲେ। ଏହି ବୁଝାମଣା ପତ୍ର ଅନୁସାରେ କିଟ୍‍-କିସ୍‍ ଓ ଏନଜିଏମଏ ମିଳିତ ଭାବେ ଜନଜାତି କଳା, ସଂସ୍କୃତି, ହସ୍ତକଳା ଆଦିର ସୁରକ୍ଷା, ସଂରକ୍ଷଣ ଓ ପ୍ରୋତ୍ସାହନ ଦିଗରେ କାର୍ଯ୍ୟ କରିବେ। ଏଥିପାଇଁ ଉଭୟ ଅନୁଷ୍ଠାନ ମିଳିତ ଭାବେ ଗବେଷଣା, ଅଭିଲେଖ ପ୍ରସ୍ତୁତି, ସମସାମୟିକ ଜନଜାତି କଳାର ପ୍ରଦର୍ଶନୀ, ଆଲୋଚନାଚକ୍ର, ସମ୍ମିଳନୀ ଆଦି ଆୟୋଜନ କରିବେ। ଏହି ବୁଝାମଣା ହେଉଛି ଯୁବ ଜନଜାତି କଳାକାରଙ୍କ ମଧ୍ୟରେ ଜନଜାତି କଳା, ହସ୍ତକଳା ଓ ପରମ୍ପରାକୁ ପୁନର୍ଜୀବିତ କରିବା ଦିଗରେ ଏକ ପୟାସ। ଏହା ଛଡ଼ା ଉଭୟ ଅନୁଷ୍ଠାନ ଲୁପ୍ତ ଜନଜାତି-ସଂଗୀତ, ନୃତ୍ୟ, ନାଟକ, ସାହିତ୍ୟ, ଲଳିତ କଳା ଆଦିକୁ ପ୍ରୋତ୍ସାହନ, ପ୍ରସାର ଓ ପ୍ରଚାର କରିବେ। ଜନଜାତି କଳା ଇତିହାସ କ୍ଷେତ୍ରରେ ଉଚ୍ଚତର ଶିକ୍ଷା ଓ ଗବେଷଣା ପାଇଁ କିଟ୍‍-କିସକୁ ଏନଜିଏମଏ ସମସ୍ତ ବୈଷୟିକ ସହାୟତା ଯୋଗାଇ ଦେବ।

Leave A Reply

Your email address will not be published.