ସରକାର ବାଣ୍ଟୁଛନ୍ତି ସ୍ୱାସ୍ଥ୍ୟ କାର୍ଡ : ହେଲେ ରାସ୍ତା ନଥିବାରୁ ଅସୁସ୍ଥଙ୍କ ଗାଁରେ ପହଂଚି ପାରୁନି ଆମ୍ବୁଲାନ୍ସ

0

ଧନ୍ୟବାଦ କିନ୍ତୁ ୧୦୮ ଆମ୍ବୁଲାନ୍‌ସ ଚାଳକ ଓ କର୍ମଚାରୀଙ୍କୁ , ଷ୍ଟ୍ରେଚର୍‌ରେ ଆସନ୍ନପ୍ରସବାଙ୍କୁ ବୋହି ନେଲେ ୨.୫ କିମି

ଦେବଗଡ଼ରୁ ଅବନୀ କାନ୍ତ ମିଶ୍ର : ରାଜ୍ୟ ସରକାରଙ୍କ ପକ୍ଷରୁ ସଂପ୍ରତି ପ୍ରତି ଜିଲ୍ଲାରେ ଲୋକଙ୍କୁ ଉତ୍ତମ ତଥା ଉଚ୍ଚତର ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ଭଳି ମହତ ଉଦ୍ଦେଶ୍ୟ ରଖି ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ବଣ୍ଟନ କରାଯାଉଛି। ସ୍ୱାସ୍ଥ୍ୟର ଭିତ୍ତିଭୂମି ସଜାଡ଼ିବାରେ ବ୍ୟବସ୍ଥା କରାଯାଉଛି। ହେଲେ ଆଉ ଗୋଟିଏ ଦିଗ ପ୍ରତି ଧ୍ୟାନ ଦେଇପାରୁନି ସରକାରଙ୍କ ଆଉ ଗୋଟେ ବିଭାଗ | ଲୋକଙ୍କ ଗାଁକୁ ଭଲ ରାସ୍ତା ଖଣ୍ଡେ ନଥିବା କାରଣରୁ ଏବେ ବି ଲୋକେ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚିବାକୁ ସଂଘର୍ଷ କରୁଛନ୍ତି। ଆମ୍ବୁଲାନ୍‌ସ ଥିଲେ ମଧ୍ୟ ରାସ୍ତା ସୁବିଧା ନଥିବାରୁ ଗାଡ଼ି ରୋଗୀଙ୍କ ଘର ନିକଟରେ ପହଞ୍ଚି ପାରୁନି। ଫଳରେ ଘର ପାଖରୁ ଆମ୍ବୁଲାନ୍‌ସ ପର୍ଯ୍ୟନ୍ତ ରୋଗୀଙ୍କୁ ଖଟିଆ, ଭାର କିମ୍ବା ଷ୍ଟ୍ରେଚରରେ ବୋହିବାକୁ ପଡ଼ୁଛି। ପୁଣି ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଦେବଗଡ ଜିଲ୍ଲା ରିଆମାଳ ଥାନା ଅନ୍ତର୍ଗତ ଦୁଧିଆନାଳୀ ପଞ୍ଚାୟତରେ।
ଏହି ପଞ୍ଚାୟତର ବାଙ୍କଧରସ୍ଥିତ ମୁଣ୍ଡା ସାହିରେ ଜଣେ ଗର୍ଭବତୀ ମହିଳା ଗର୍ଭ ଯନ୍ତ୍ରଣା ଅନୁଭବ କରିବାରୁ ଆମ୍ବୁଲାନ୍‌ସକୁ ଫୋନ କରିଥିଲେ। ସନ୍ଧ୍ୟା ୭ ଟା ୫ ମିନିଟ ସମୟରେ ଖବର ପାଇ ୧୦୮ ଆମ୍ବୁଲାନ୍‌ସ ଚାଳକ ଓ କର୍ମଚାରୀମାନେ ଆସି ଉକ୍ତ ଗ୍ରାମଠାରୁ ଅଢେଇ କିମି ଦୂରରେ ପହଞ୍ଚିଥିଲେ। ଖରାପ ରାସ୍ତା ଯୋଗୁଁ ଗାଡ଼ି ଆଗକୁ ଯାଇ ପାରି ନଥିଲା। ଉକ୍ତ ଅଞ୍ଚଳଟି ଦୁର୍ଗମ ହୋଇଥିବାରୁ ସେଠାରେ ଟେଲିଫୋନ୍‌ର ସୁବିଧା ମଧ୍ୟ ନାହିଁ। ଫଳରେ ୧୦୮ର କର୍ମଚାରୀ କଂଟ୍ରୋଲ ରୁମ ସହିତ ଯୋଗାଯୋଗ କରି ପାରି ନ ଥିଲେ। ପରେ ଉକ୍ତ ଗାଡ଼ିର ଚାଳକ ଏବଂ ଫାର୍ମାସିଷ୍ଟ ଗ୍ରାମବାସୀଙ୍କ ସହାୟତାରେ ଅନ୍ଧାର ରାତିରେ ଟର୍ଚ୍ଚ ଲାଇଟ୍‌ ସହାୟତାରେ ୨.୫ କିମି ବାଟ ଚାଲି ଚାଲି ‌ମହିଳାଙ୍କ ଘରେ ପହଞ୍ଚିଥିଲେ। ସେଠାରୁ ଷ୍ଟ୍ରେଚର୍‌ରେ ତାଙ୍କୁ ବୋହି ଆମ୍ବୁଲାନ୍‌ସ ପର୍ଯ୍ୟନ୍ତ ଆଣିଥିଲେ। ପରେ ସେଠାରୁ ରାତି ପ୍ରାୟ ୯ ଟା ୫୪ରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ଗର୍ଭବତୀ ଜଣଙ୍କ ହେଲେ ସେହି ଗ୍ରାମର ସିଲାମାଟି ବିଲୁଙ୍ଗ (୩୪)। ଫୋନ ପାଇ ଅତି କମ ସମୟ ମଧ୍ୟରେ ଆମ୍ବୁଲାନ୍‌ସ କର୍ମଚାରୀମାନେ ଗମନା ଗମନର ଅସୁବିଧା ସତ୍ୱେ ମହିଳାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚାଇଥିବାରୁ ଗ୍ରାମବାସୀ ସେମାନଙ୍କୁ ପ୍ରଶଂସା କରିଛନ୍ତି।

Leave A Reply

Your email address will not be published.