ଦେବଗଡ଼ ରୁ ଅବନୀ କାନ୍ତ ମିଶ୍ର: ଜିଲ୍ଲା ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ ସ୍ଥାନୀୟ ଜିଲ୍ଲା ମତ୍ସ୍ୟ ବିଭାଗ କାର୍ଯ୍ୟାଳୟ ପରିସରରେ ଆଜି ବିଶ୍ୱ ମତ୍ସ୍ୟ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲା ମତ୍ସ୍ୟ ଅଧିକାରୀ ନରୋତ୍ତମ ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଦେବଗଡ଼ ଜିଲ୍ଲାପାଳ ସୁଧାଂଶୁ ମୋହନ ସାମଲ ଓ ଅତିଥି ଭାବେ ଜିଲ୍ଲା ପ୍ରାଣୀ ସମ୍ପଦ ଅଧିକାରୀ ଡ଼ଃ ନିମାଇଁ ଚରଣ ପଟ୍ଟନାୟକ ମଂଚାସୀନ ରହି ଏହି ଦିବସ ପାଳନର ତାତ୍ପର୍ୟ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ଜିଲ୍ଲାରେ ମତ୍ସ୍ୟ ବିଭାଗ ପକ୍ଷରୁ ୧୪୩୫ ହେକ୍ଟର ଜଳାଶୟରେ ଜିଲ୍ଲାର ୪୨୫୦ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କ ଦ୍ୱାରା ମତ୍ସ୍ୟ ଉତ୍ପାଦନ କରାଯାଉଥିବା ବେଳେ ଜିଲ୍ଲାରେ ଥିବା ରେଙ୍ଗାଲି ଓ ଗୋହିରା ନଦୀବନ୍ଧର ୧୬,୬୮୬ ହେକ୍ଟର ପରିମିତ ସ୍ଥାନରେ ୪ଟି ପ୍ରାଥମିକ ମତ୍ସ୍ୟ ସମବାୟ ସମିତି ମାଧ୍ୟମରେ ୩ ହଜାର ମତ୍ସ୍ୟଜୀବୀ ରୋଜଗାରକ୍ଷମ ହୋଇପାରିଛନ୍ତି।
ଅନ୍ୟ ପକ୍ଷରେ ଜିଲ୍ଲାରେ ବାର୍ଷିକ ୧୦ ହଜାର ମେଟ୍ରିକ ଟନ ମତ୍ସ୍ୟର ଆବଶ୍ୟକତା ରହୁଥିବା ବେଳେ ଜିଲ୍ଲାରେ ୮ ହଜାର ମେଟ୍ରିକ ଟନ ଉତ୍ପାଦନ ହୋଇପାରୁଛି। ସେଥିମଧ୍ୟରୁ ଜିଲାରୁ ଉତ୍ପାଦିତ ମାଛ ମଧ୍ୟରୁ ୧ ହଜାର ମେଟ୍ରିକ ଟନ ଅନ୍ୟ ଜିଲ୍ଲାକୁ ରପ୍ତାନି ହେଉଥିବା ବେଳେ ୩ ହଜାର ମେଟ୍ରିକ ଟନ ମାଛ ଅନ୍ୟ ଜିଲ୍ଲା କିମ୍ବା ରାଜ୍ୟରୁ ଆମଦାନୀ କରାଯାଇ ଜିଲ୍ଲାର ଆବଶ୍ୟକତାକୁ ପୂରୁଣ କରାଯାଉଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି। ସେହିପରି କୁଣ୍ଡ ମାଧ୍ୟମରେ ମାଛ ଚାଷ ପାଇଁ ଜିଲ୍ଲାରେ ବିଭାଗ ପକ୍ଷରୁ ଚାଷୀଙ୍କୁ ପ୍ରୋତ୍ସାହିତ ପାଇଁ ବିଭାଗ ପକ୍ଷରୁ ଏସଏଚଜି ମାନଙ୍କୁ ସହାୟତା ଯୋଗାଇ ଦିଆଯାଉଥିବା ସୂଚନା ମିଳିଛି। ବିଶ୍ୱ ମତ୍ସ୍ୟ ଦିବସ ଅବସରରେ ମତ୍ସ୍ୟଜୀବୀଙ୍କୁ ପ୍ରୋତ୍ସାହନ ଲକ୍ଷ୍ୟରେ ଦୁଇଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସବସିଡି ରାଶି ପ୍ରଦାନ କରାଯାଇଥିବା ବେଳେ ୬ ଜଣ ମତ୍ସ୍ୟଜୀବୀ ପରିବାର ସଦସ୍ୟର ପିଲାଙ୍କୁ ଉଚ୍ଚ ଶିକ୍ଷା ପାଇଁ ଛାତ୍ର ବୃତ୍ତି ବିଭାଗ ପକ୍ଷରୁ ପ୍ରଦାନ କରାଯାଇଥିଲା।
Sign in
Sign in
Recover your password.
A password will be e-mailed to you.