କବିବର ରାଧାନାଥ ରାୟ ଥିଲେ ଜନମାନସର କବି:ଜୟନ୍ତୀରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି

0 1

ଭୁବନେଶ୍ୱର: ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ କବିବର ରାଧାନାଥ ରାୟଙ୍କ ୧୭୪ ତମ ଜୟନ୍ତି ଉତ୍ସବ ଭୁବନେଶ୍ୱର ପିଏମଜି ଛକସ୍ଥିତ ତାଙ୍କ ପ୍ରତିମୂର୍ତ୍ତିସ୍ଥଳୀରେ ଆଜି ପ୍ରତ୍ୟୁଷରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷା ଡଃ ମିନତୀ ବେହେରା, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଶାସନ ସଚିବ ଡଃ ସୁରେଶ ଚନ୍ଦ୍ର ଦଳାଇ, ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ, ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥୀ, ବିଜୁଜନତା ଦଳ ସାସ୍କୃତିକ ସମନ୍ୱୟ ସାମ୍ମୁଖ୍ୟ ପକ୍ଷରୁ ପ୍ରବୀର ମହାନ୍ତି, ସତ୍ୟ ଜେନା, ଜୟ ଓଡ଼ିଶା ସଙ୍ଗଠନ ଅଧ୍ୟକ୍ଷ ରୁଦ୍ର ନରାୟଣ ସାମନ୍ତରାୟ, ଅନ୍ୟ ସଭ୍ୟମାନେ, ଜ୍ୟୋତିପ୍ରଭା ସମ୍ପାଦକ ଆଶୁତୋଷ ସାମନ୍ତରାୟ, ଅଧ୍ୟାପକ ରମେଶ ଚନ୍ଦ୍ର ଅର୍ପଣ କରିଥିଲେ । ବକ୍ତାମାନେ ନିଜ ବକ୍ତବ୍ୟରେ ବାଲେଶ୍ୱର ଜିଲ୍ଲାର ସୋରୋ କେଦାରପୁରରେ ୧୮୪୮ ସେପେମ୍ବର ୨୮ ତାରିଖରେ ଜନ୍ମ ଗ୍ରହଣ କରି ୧୯୦୫ ଅପ୍ରେଲ୍ ମାସ ୧୬ ତାରିଖରେ ଇହଲୀଳା ସମ୍ବରଣ କରିଥିବା କବିବର ରାଧାନାଥ ରାୟ ଶିକ୍ଷକତାରୁ ସ୍କୁଲ୍ ସମୂହ ପରିଦର୍ଶକ ଦାୟିତ୍ୱ ନିର୍ବାହ କରିବା ମଧ୍ୟରେ ପ୍ରଥମେ ବଙ୍ଗଳା କବିତା ରଚନା କରିଥିଲେ ଓ ପରବର୍ତ୍ତୀ ଅବସ୍ଥାରେ ଓଡ଼ିଆ କାବ୍ୟ କବିତା ରଚନା କଲେ । ତାଙ୍କ କବିତାରେ ପାଶ୍ଚାତ୍ୟ ପ୍ରଭାବ ଥିଲେ ମଧ୍ୟ ତାଙ୍କ କାବ୍ୟ କବିତା ଜନମାନସକୁ ଗଭୀର ଭାବରେ ପ୍ରଭାବିତ କରୁଥିଲା । ଉତ୍କଳ ସାହିତ୍ୟ ସମାଜର ପ୍ରଥମ ଅଧିବେଶନରେ ସେ ସଭାପତିତ୍ୱ କରିଥିଲେ । ତାଙ୍କ କାଳଜୟୀ ରଚନାବଳୀରେ କବିବର ଓଡ଼ିଆ ସାହିତ୍ୟର ବାଣୀ ଭଣ୍ଡାରକୁ ସମୃଦ୍ଧ କରିଛନ୍ତି ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଓଡ଼ିଶା ରାଜଞ ମହିଳା ଆୟୋଗ ଅଧ୍ୟକ୍ଷା ଡଃ ମିନତୀ ବେହେରା ଓ ଜୟ ଓଡ଼ିଶା ଅଧ୍ୟକ୍ଷ ରୁଦ୍ର ନାରାୟଣ ସାମନ୍ତରାୟଙ୍କୁ କବିବର ରାଧାନାଥ ରାୟ ସ୍ମୃତି ସମ୍ମାନରେ ସମ୍ମାନିତ କରାଯାଇଥିଲା । ପରିଶେଷରେ ଅନୁଶାସନ ସଚିବ ଲକ୍ଷ୍ମୀଧର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.