ପୁଣି ଆସାମ-ମିଜୋରାମ ସୀମାରେ ଉତ୍ତେଜନା

0
photo from web

ଖୁଲିଚରା(ଏଜେନ୍ସି) : ସୀମା ବିବାଦକୁ ନେଇ ଆସାମ ଏବଂ ମିଜୋରାମ ପୋଲିସ ମଧ୍ୟରେ ହୋଇଥିବା ସଂଘର୍ଷର ଏକ ମାସ ପରେ ଗତ ମାସର ହିଂସା ସ୍ଥଳ ଠାରୁ ୧୨ କିମି ଦୂର ଅନ୍ୟ ଏକ ସୀମାନ୍ତବର୍ତ୍ତୀ ଖୁଲିଚରାଠାରେ ଗୁରୁବାର ଠାରୁ ସଦ୍ୟ ଉତ୍ତେଜନା ଲାଗି ରହିଛି।ଆସାମ ଦ୍ୱାରା ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା ଅଧୀନରେ ଏକ ରାସ୍ତା ନିର୍ମାଣକୁ ମିଜୋରାମର କର୍ତ୍ତୃପକ୍ଷ ଆପତ୍ତି କରିବା ପରେ ଏହି ଉତ୍ତେଜନା ଆରମ୍ଭ ହୋଇଥିଲା।
ଆସାମ ଅଭିଯୋଗ କରିଛି ଯେ ରାଜ୍ୟ ସୀମାର ଅପର ପାର୍ଶ୍ୱରୁ ସ୍ଥାନୀୟ ଲୋକ ଏହି ସମସ୍ୟା ସୃଷ୍ଟି କରିଛନ୍ତି। ଆସାମ ପୋଲିସର ସୂଚନାନୁସାରେ, ଦକ୍ଷିଣ ଆସାମର କାଚର ଜିଲ୍ଲା ଢ଼ୋଲାଈ ସବଡିଭିଜନ ଅନ୍ତର୍ଗତ ଆନ୍ତଃରାଜ୍ୟ ସୀମାରେ ଥିବା ଖୁଲିଚରା ଗ୍ରାମରେ ରାସ୍ତା ନିର୍ମାଣ କରୁଥିବା ମିଜୋରାମ ପକ୍ଷରୁ କିଛି ସଶସ୍ତ୍ର ବ୍ୟକ୍ତି ଅଟକାଇବାକୁ ଚେଷ୍ଟା କରିଥିଲେ।
ଖୁଲାଚାରା ଲାଲାପୁର ଠାରୁ ପ୍ରାୟ ୧୨ କିଲୋମିଟର ଦୂର, ଯେଉଁଠାରେ ଗତ ମାସର ସଂଘର୍ଷରେ ଆସାମର ୬ ଜଣ ପୋଲିସ କର୍ମଚାରୀ ମୃତ୍ୟୁବରଣ କରିଥିଲେ ଏବଂ ୪୫ ଜଣାରୁ ଅଧିକ ଆହତ ହୋଇଥିଲେ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ନେତୃତ୍ୱରେ ଆଲୋଚନା ପରେ ଶେଷରେ ଏକ ଚୁକ୍ତି ହୋଇଥିଲା |
ଯଦିଓ ବର୍ତ୍ତମାନ ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ବନ୍ଦ ହୋଇସାରିଛି, ତେବେ ଉତ୍ତେଜନାକୁ ଦୃଷ୍ଟିରେ ରଖି ଉକ୍ତ ଅଂଚଳରେ ଉଭୟ ରାଜ୍ୟର ପୋଲିସ ଛାଉଣୀ କରି ରହିଛନ୍ତି | ଦୁଇ ରାଜ୍ୟର ଶୀର୍ଷ ସ୍ତରରେ ଆଲୋଚନା ଆରମ୍ଭ ହୋଇଛି |ଉଭୟ ଆସାମ ଏବଂ ମିଜୋରାମର ସଶସ୍ତ୍ର ପୋଲିସ ବାହିନୀ ମଧ୍ୟରେ ବିବାଦକୁ ଏଡାଇବା ପାଇଁ ଏହି ଅଞ୍ଚଳରେ କେନ୍ଦ୍ରୀୟ ବାହିନୀ ମଧ୍ୟ ନିୟୋଜିତ କରାଯାଇଛି।
ଅନ୍ୟପକ୍ଷରେ ମିଜୋରାମ ଦାବି କରିଛନ୍ତି ଯେ ଆସାମ ସେମାନଙ୍କ ଅଞ୍ଚଳରେ ରାସ୍ତା ନିର୍ମାଣ କରୁଛି। ସେମାନେ ମିଜୋରାମ ଅଞ୍ଚଳରେ ପ୍ରବେଶ କରି କାମ କରୁଥିବାରୁ ଆମେ ଏହାକୁ ବିରୋଧ କରିବାକୁ ପଡୁଥିଲୁ ବୋଲି ମିଜୋରାମ ପକ୍ଷରୁ କୁହାଯାଇଛି |

Leave A Reply

Your email address will not be published.