ଟିଟୋ-ଧର୍ମେନ୍ଦ୍ର ଲିଙ୍କ୍‍ :କେନ୍ଦ୍ର ପେଟ୍ରୋଲିୟମ୍‍ ମନ୍ତ୍ରୀ ପଦରୁ ଧର୍ମେନ୍ଦ୍ର ଇସ୍ତଫା ଦିଅନ୍ତୁ: ପ୍ରତାପ ଦେବ

0

19-06-18-pratap.jpg - 42.13 kB

ଭୁବନେଶ୍ୱର,: ନିକଟରେ ଓଡ଼ିଶା ପୋଲିସ ସ୍ୱତନ୍ତ୍ର ଟାସ୍କ ଫୋର୍ସ କୁଖ୍ୟାତ ଗ୍ୟାଙ୍ଗଷ୍ଟର ଟିଟୋ ଓରଫ ସୟେଦ ଉସମାନ ଅଲ୍ଲୀକୁ ଗିରଫ କରିଛି । ଟିଟୋ ନାମରେ ହତ୍ୟା, ଅପହରଣ, ଲୁଣ୍ଠନ, ଦାଦାବଟି ଆଦାୟ ଭଳି ୪୫ରୁ ଅଧିକ ସଂଗୀନ ମାମଲା ରହିଛି । ତେବେ ଟିଟୋକୁ ଗିରଫ କରାଯିବା ପରେ ଅପରାଧ ଦୁନିଆର ଅନେକ ଅଡୁଆ ସୂତା  ଏବେ ଧୀରେ ଧୀରେ ଖୋଲିବାରେ ଲାଗିଛି । ଏହା ମଧ୍ୟରେ ଗୋଟିଏ ହେଉଛି ଟିଟୋ ନାମରେ ଥିବା ବେଆଇନ୍‍ ପେଟ୍ରୋଲ ଟାଙ୍କି । ଭାରତୀୟ ତୈଳ ନିଗମ (ଆଇଓସିଏଲ୍‍) ଦ୍ୱାରା ଟିଟୋକୁ ଏହି ପେଟ୍ରୋଲ ପମ୍ପ ଖୋଲିବା ପାଇଁ ଅନୁମତି ମିଳିଥିଲା । କେନ୍ଦ୍ର ତୈଳ ଓ ପ୍ରାକୃତିକ ଗ୍ୟାସ୍‍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଗ୍ୟାଙ୍ଗଷ୍ଟର ଟିଟୋ ମଧ୍ୟରେ ଲିଙ୍କ୍‍ ରହିଥିବା ଏଥିରୁ ସ୍ପଷ୍ଟ ହୋଇଛି ।

ମେସର୍ସ ସୟେଦ ବ୍ରଦର୍ସ ନାମରେ କେନ୍ଦ୍ରାପଡ଼ା ଜିଲ୍ଲା ବଡ଼ହାଟ ଠାରେ ପେଟ୍ରୋଲ ପମ୍ପ ଖୋଲା ଯାଇଛି । ଟିଟୋ ଓ ଏହାର ପରିବାର ଲୋକଙ୍କ ନାମରେ ଏହି ସ୍ଥାନର ମାଲିକାନା ମଧ୍ୟ ରହିଛି । ଡିସେମ୍ବର ୨୦୧୫ରେ ଏହି ପେଟ୍ରୋଲ ପମ୍ପ ଆରମ୍ଭ ହୋଇଥିଲା । ଟିଟୋର ପନôୀ ବେନ୍‍ଜୀର ବିବିଙ୍କ ନାମରେ ଏହାର ମାଲିକାନା ମଧ୍ୟ ରହିଛି । ଏହାବାଦ୍‍ ୨୦୧୭ ମସିହାରେ ଆଇଓସିଏଲ୍‍ ଟିଟୋକୁ ଜଗତସିଂହପୁର ଜିଲ୍ଳା ପାରାଦୀପ ପୋର୍ଟ ଟ୍ରଷ୍ଟ ଠାରେ ଆଉ ଏକ ପେଟ୍ରୋଲ ପମ୍ପ ଖୋଲିବା ପାଇଁ ଅନୁମତି ଦେଇଥିଲା । ଏହାର ମାଲିକାନା ମଧ୍ୟ ଟିଟୋର ପନôୀ ବେନ୍‍ଜୀରଙ୍କ ନାମରେ ରହିଛି । ଓଡ଼ିଶାର ଆବାଳ ବୃଦ୍ଧ ବନିତା ଗ୍ୟାଙ୍ଗଷ୍ଟର ଟିଟୋର ଅପରାଧ ଦୁନିଆ ବିଷୟରେ ଜାଣିଥିବା ବେଳେ କେଉଁ ପରିସ୍ଥିତିରେ ଓ କିଭଳି ଭାବେ ଆଇସିଏଲ୍‍ ଟିଟୋକୁ ଦୁଇ ଦୁଇଟି ପେଟ୍ରୋଲ ପମ୍ପ ଖୋଲିବା ପାଇଁ ଅନୁମତି ଦେଲା ତାହା ଏବେ ସବୁଠାରୁ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହି ପରିପ୍ରେକ୍ଷୀରେ ଆଇଓସିଏଲ୍‍ ମଧ୍ୟ ଟିଟୋ ସଂପର୍କରେ ସବୁ ତଥ୍ୟ ପାଇଥିବା ବେଳେ ଓଡ଼ିଶା ମାଟିର କେନ୍ଦ୍ର ପେଟ୍ରୋଲିୟମ୍‍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜାଣିଶୁଣି ଗ୍ୟାଙ୍ଗଷ୍ଟର ଟିଟୋକୁ ପେଟ୍ରୋଲ ପମ୍ପ ଖୋଲିବା ପାଇଁ ଅନୁମତି ଦେଇଥିଲେ ।

ସେପଟେ, ଓଡ଼ିଶାରେ ପେଟ୍ରୋଲ ପମ୍ପ ଖୋଲୁଥିବା କମ୍ପାନୀଗୁଡିକରୁ ଆଦାୟ ହେଉଥିବା ସିଏସ୍‍ଆର୍‍ ଅର୍ଥ ସିଧାସଳଖ ଆଇଓସିଏଲ୍‍ ନିକଟକୁ ଯାଇଥାଏ, ଯାହା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରହିଛି । ୨୦୧୫ ମସିହାରେ ଟିଟୋର ପନôୀ ନାମରେ ଆବେଦନ ହୋଇଥିବା ପେଟ୍ରୋଲ ପମ୍ପକୁ ସ୍ୱୀକୃତି ଦେବା ପାଇଁ ମନ୍ତ୍ରୀ ଶ୍ରୀ ପ୍ରଧାନ ଆଇଓସିଏଲ୍‍ର ବାଟ ଓଗାଳି ନଥିଲେ,କିନ୍ତୁ ୨୦୧୭ ମସିହାରେ ଶ୍ରୀ ପ୍ରଧାନ ଗ୍ୟାଙ୍ଗଷ୍ଟର ଟିଟୋ ବିଷୟରେ ସବୁ କିଛି ଜାଣି ମଧ୍ୟ ଆଖି ବନ୍ଦ କରି ତାକୁ ପେଟ୍ରୋଲ ପମ୍ପ ଖୋଲିବା ପାଇଁ ଅନୁମତି ଦେଇଥିଲେ । ବେଆଇନ୍‍ ଭାବେ ଉଭୟ ବ୍ୟକ୍ତିଗତ ଓ ରାଜନୈତିକ ସ୍ୱାର୍ଥ ସାଧନ ପାଇଁ ମନ୍ତ୍ରୀ ଶ୍ରୀ ପ୍ରଧାନ ଟିଟୋ ପ୍ରତି ଏଭଳି କୋହଳ ମନୋଭାବ ପୋଷଣ କରିଥିଲେ । ଗତକାଲି ଖୋଦ୍‍ ଆଇଓସିଏଲ୍‍ କର୍ତ୍ତୃପକ୍ଷଙ୍କ ଜାରି ପ୍ରେସ୍‍ ବିବୃତିରେ ସ୍ପଷ୍ଟ ଭାବେ ଉଲ୍ଲେଖ ଥିଲା ଯେ କେନ୍ଦ୍ର ପେଟ୍ରୋଲିୟମ୍‍ ଓ ପ୍ରାକୃତିକ ଗ୍ୟାସ୍‍ ମନ୍ତ୍ରାଳୟର ଅବଗତି ନିମନ୍ତେ ଜଣାଇ ଦିଆଯାଉଛି ଯେ ଜଣେ ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ ବ୍ୟକ୍ତିକୁ ପେଟ୍ରୋଲ ପମ୍ପ ଖୋଲିବା ପାଇଁ ଅନୁମତି ପ୍ରଦାନ କରାଯାଇଛି । ତେବେ ଗତ ଏକ ଦଶନ୍ଧିରୁ ଅଧିକ ସମୟ ଧରି ଓଡ଼ିଶାର କୋଣ ଅନୁକୋଣରେ ଜଣେ ଦୁର୍ଦ୍ଧାନ୍ତ ଅପରାଧୀ ଭାବେ ପରିଚିତ ଗ୍ୟାଙ୍ଗଷ୍ଟର ଟିଟୋ ବିଷୟରେ ଆଇଓସିଏଲ୍‍ ଓ ଏହାର ନିର୍ମାତା ଧର୍ମେନ୍ଦ୍ର ପ୍ରଧାନ ନଜାଣିବା ଏକ ହାସ୍ୟାସ୍ପଦ ବିଷୟ ।

ରାଜନୀତିକୁ ଅପରାଧୀକରଣ କରିବାର ପ୍ରଥା ଓଡ଼ିଶାରେ ନଥିଲା । କିନ୍ତୁ ଧର୍ମେନ୍ଦ୍ର ପ୍ରଧାନ ଏଭଳି କାରନାମା କରି ଓଡ଼ିଶା ରାଜନୀତିରେ ଅପରାଧିକ ତତ୍ତ୍ୱଙ୍କୁ ସମର୍ଥନ କରି ବିହାର ଭଳି ଅପରାଧଯୁକ୍ତ ରାଜନୈତିକ ବ୍ୟବସ୍ଥା କରିବାକୁ ଚେଷ୍ଟା ଚଳାଇଛନ୍ତି । ଟିଟୋ ବିରୋଧରେ ୪୫ରୁ ଅଧିକ ସଂଗୀନ ଅପରାଧିକ ମାମଲା ରହିଥିବା ବେଳେ ଧଳ ସାମନ୍ତ ବ୍ରଦର୍ସଙ୍କ ବିରୋଧରେ ମଧ୍ୟ ୩୫ରୁ ଅଧିକ ମାମଲା ରହିଛି । ଗଞ୍ଜାମରେ କାଉନ୍‍ସିଲର ଲକ୍ଷ୍ମୀଦତ୍ତ ପ୍ରଧାନଙ୍କ ହତ୍ୟାକାଣ୍ଡ, ବିଜେପୁର ଉପ-ନିର୍ବାଚନ ସମୟରେ ବିଜେଡି କର୍ମୀଙ୍କ ହତ୍ୟା ଓ ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ଭାଇଙ୍କ ଉପରକୁ ମରଣାନ୍ତକ ଆକ୍ରମଣ କରିବା ଘଟଣାରେ ସଂପୃକ୍ତ ଅପରାଧୀ ମଧ୍ୟ ବିଜେପି ସହ ଜଡ଼ିତ ଥିବା ବିଜେଡି ମୁଖପାତ୍ର ତଥା ସାଂସଦ ପ୍ରତାପ କେଶରୀ ଦେବ କହିଛନ୍ତି । ଅପରାଧିକ ତତ୍ତ୍ୱଙ୍କୁ ପ୍ରୋତ୍ସାହନ ଯୋଗାଇଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସଂପୃକ୍ତି ସ୍ପଷ୍ଟ ହୋଇଛି । ଏଣୁ ନୈତିକତା ଦୃଷ୍ଟିରୁ କେନ୍ଦ୍ର ପେଟ୍ରୋଲିୟମ୍‍ ମନ୍ତ୍ରୀ ପଦରୁ ଶ୍ରୀ ପ୍ରଧାନ ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ଶ୍ରୀ ଦେବ ଦାବି କରିଛନ୍ତି ।

 

 

 

 

Leave A Reply

Your email address will not be published.