ବେଲଗୁଣ୍ଠାରେ କଂଗ୍ରେସର “ଭୋଟ ବଞ୍ଚାଅ, ଦେଶ ବଞ୍ଚାଅ” ଅଭିଯାନ: CECଙ୍କ ଇସ୍ତଫା ଦାବି

10


​ବେଲଗୁଣ୍ଠା:୨୫/୧୦,-:(ଶିବରାମ ଚୌଧୁରୀ )-ନିର୍ବାଚନ କମିଶନଙ୍କ ପକ୍ଷରୁ କରାଯାଉଥିବା ଏସଆଇଆର ପ୍ରକ୍ରିୟା ଏବଂ ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ବିରୋଧରେ କଂଗ୍ରେସ ପକ୍ଷରୁ ଏକ ଦୀର୍ଘକାଳୀନ ଦେଶବ୍ୟାପୀ ଆନ୍ଦୋଳନ ଘୋଷଣା କରାଯାଇଛି। ଭୋଟର ତାଲିକାରୁ ବାଦ୍ ପଡ଼ିଥିବା ପ୍ରାୟ ୧୩.୩ କୋଟି ନାଗରିକଙ୍କ ଅଧିକାର ପାଇଁ ତୃଣମୂଳ ସ୍ତରରୁ ଏହି ପ୍ରଚେଷ୍ଟା ଆରମ୍ଭ କରାଯାଇଛି। ଏହି କ୍ରମରେ ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠାସ୍ଥିତ ‘ରେଡ୍ ହଟ୍ ରେଷ୍ଟୁରାଣ୍ଟ’ଠାରେ କଂଗ୍ରେସ ର “ଭୋଟ ବଞ୍ଚାଅ, ଦେଶ ବଞ୍ଚାଅ” କାର୍ଯ୍ୟକ୍ରମ ଏବଂ ଏକ ଗୁରୁତ୍ୱପୂର୍ଣ୍ଣ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ଗଞ୍ଜାମ ଜିଲ୍ଲା (ପଶ୍ଚିମ) କଂଗ୍ରେସ କମିଟି ସଭାପତି ଦଣ୍ଡପାଣି ପାତ୍ର ଅଧ୍ୟକ୍ଷତା କରିଥିଲେ।
​ରାଜ୍ୟ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସଙ୍କ ନିର୍ଦ୍ଦେଶକ୍ରମେ ଏହି କାର୍ଯ୍ୟକ୍ରମ ରାଜ୍ୟର ବିଭିନ୍ନ ଜିଲ୍ଲା ତଥା ବ୍ଲକ ସ୍ତରରେ ଆରମ୍ଭ ହୋଇଛି, ଯାହାକି ଅକ୍ଟୋବର ୧ ରୁ ନଭେମ୍ବର ୨୬ ପର୍ଯ୍ୟନ୍ତ କ୍ରମାଗତ ଭାବେ ଲାଗି ରହିବ। ଏହି କାର୍ଯ୍ୟକ୍ରମ ଜରିଆରେ କଂଗ୍ରେସ କର୍ମୀମାନେ ଅଧିକାରରୁ ବଞ୍ଚିତ ହୋଇଥିବା ଭୋଟରଙ୍କ ନିକଟରେ ପହଞ୍ଚିବା ସହ ଜନସାଧାରଣଙ୍କୁ ସଚେତନ କରିବେ ବୋଲି ସୂଚନା ଦିଆଯାଇଛି।
​ମୁଖ୍ୟ ଅତିଥି ତଥା ସ୍ୱତନ୍ତ୍ର ପ୍ରଭାରୀ ଭାବେ ଯୋଗଦେଇ ରାଜ୍ୟ କଂଗ୍ରେସ କମିଟି ସାଧାରଣ ସମ୍ପାଦକ ସତ୍ୟବ୍ରତ ନାୟକ ପ୍ରେସ ବିବୃତିରେ କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସିଇସିଙ୍କୁ ଅପବ୍ୟବହାର କରି ଭାରତୀୟ ଜନତା ପାର୍ଟି (ବିଜେପି) କ୍ଷମତାସୀନ ହୋଇଛି, ଯାହାକୁ ସେ “ଭୋଟ ଚୋରୀ” ର ଆଖ୍ୟା ଦେଇଛନ୍ତି। ଏହି ବେଆଇନ କାମକୁ ସିଇସି ଜ୍ଞାନେଶ କୁମାର ସବୁ ଜାଣିଶୁଣି ବିଜେପିକୁ ସହଯୋଗ କରୁଛନ୍ତି ବୋଲି ଶ୍ରୀ ନାୟକ ଅଭିଯୋଗ କରିଥିଲେ। ସାଧାରଣ ଲୋକେ ଦର ବୃଦ୍ଧି, ମହଙ୍ଗା ମାଡ଼ ଓ ଟଙ୍କା ଦୁର୍ବଳ ହେବା ଭଳି ସମସ୍ୟାରେ ଘାଣ୍ଟି ହେଉଥିବା ବେଳେ ଏବଂ ଜନମତ ବିଜେପି ବିରୋଧରେ ଥିଲେ ମଧ୍ୟ ବେଆଇନ ଭାବେ ବିଜେପି ବାରମ୍ବାର ନିର୍ବାଚନ ଜିତୁଛି ବୋଲି ସେ ପ୍ରକାଶ କରିଛନ୍ତି।​ସିଇସି ନିଯୁକ୍ତି ଆଇନକୁ ବଦଳାଇ ସିଇସିଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇପାରିବ ନାହିଁ ଭଳି ନିୟମ ଆଣି ବିଜେପି କଳେବଳେ କୌଶଳରେ ନିର୍ବାଚନ ଜିତିବା ପାଇଁ ଚାଲ୍ କରୁଛି ବୋଲି ଶ୍ରୀ ନାୟକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି। ସିଇସି ନିଜ ପଦବୀରୁ ଇସ୍ତଫା ନ ଦେବା ପର୍ଯ୍ୟନ୍ତ କଂଗ୍ରେସ ଦଳ ପକ୍ଷରୁ ଏହି ପ୍ରତିବାଦ ଓ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ନିରନ୍ତର ଭାବେ ଜାରି ରହିବ ବୋଲି ସେ ଦୃଢ଼ ଚେତାବନୀ ଦେଇଛନ୍ତି।​ଏହି ସାମ୍ବାଦିକ ସମ୍ମିଳନୀରେ ସୋରଡ଼ା ନିର୍ବାଚନ ମଣ୍ଡଳୀ କଂଗ୍ରେସ ବିଧାୟକ ପ୍ରାର୍ଥୀ ହରି କୃଷ୍ଣ ରଥ, ଗଞ୍ଜାମ (ପଶ୍ଚିମ) ଜିଲ୍ଲା ଉପସଭାପତି ବ୍ରଜେନ୍ଦ୍ର ବିନ୍ଧାଣିରା, ବରିଷ୍ଠ କଂଗ୍ରେସ ନେତା ତ୍ରିପତୀ ପାତ୍ର, ବେଗୁନିପଡ଼ା ବ୍ଲକ ସଭାପତି କ୍ରୀଷ୍ଣଚନ୍ଦ୍ର ଗିରି ପ୍ରମୁଖ ମଞ୍ଚାସୀନ ଥିଲେ। ଏତଦ୍‌ବ୍ୟତୀତ ଭଞ୍ଜନଗର ସଭାପତି ବଳରାମ ଗୌଡ଼, ଯୁଧିଷ୍ଠିର ଗୌଡ଼, ଏକ୍ଜିକ୍ୟୁଟିଭ୍ ବଡି ସଦସ୍ୟ ଅନୀଲ କୁମାର ମଳିକ, ତୋଫାନ ଜେନା, ପୂର୍ବତନ ସଭାପତି ଆଦିକନ୍ଦ ନାୟକ, ଯୁବ କଂଗ୍ରେସ ନେତା ସନ୍ତୋଷ କୁମାର ସାହୁ, ପଶ୍ଚିମ ସାଧାରଣ ସମ୍ପାଦକ ଧୋବା ବିଶ୍ୱାଳ, ରବୀନ୍ଦ୍ର ସାହୁ, ଦୀନବନ୍ଧୁ ଖଣ୍ଡୁଆଳଙ୍କ ସମେତ ବହୁ ସଂଖ୍ୟକ ଦଳୀୟ କର୍ମୀ ଉପସ୍ଥିତ ରହିଥିଲେ।

Leave A Reply

Your email address will not be published.