ସମ୍ବଲପୁର ଟାଉନ ପୋଲିସକୁ ସଫଳତା : ୯ ଗ୍ରାମ ବ୍ରାଉନ ସୁଗାର ଜବତ, ୫ ଗିରଫ ।

0 2

ସମ୍ବଲପୁର/ରମାକାନ୍ତ ବିଶ୍ବାଳ:  ସମ୍ବଲପୁର ସହର ରୁ ବିପୁଳ ପରିମାଣର ଧଳା ଜହର (ବ୍ରାଉନ୍ ସୁଗାର)  ଜବତ ହୋଇଛି I ଗତ ଏପ୍ରିଲ ୭ ତାରିଖରେ ଟାଉନ ଥାନା ପୋଲିସ ୭.୬ ଗ୍ରାମ ବ୍ରାଉନ ସୁଗର ସହିତ ୩ ଜଣଙ୍କୁ ଗିରଫ କରିଥିଲା । ଜୁନ ୭ ତାରିଖରେ ରେଙ୍ଗାଲି ପୋଲିସ ଓ ସ୍ବତନ୍ତ୍ର ସ୍କାଡ ରମ୍ପେଲା ଠାରେ ଏକ କାରରୁ ୬୨ ଗ୍ରାମ ବ୍ରାଉନ ସୁଗର, ୫ ଲକ୍ଷରୁ ଅଧିକ ଟଙ୍କା, ୪ଟି ମୋବାଇଲ ଫୋନ ଓ ଏକ କାର ଜବତ କରି ୩ ଜଣଙ୍କୁ ଗିରଫ କରିଥିଲା । ତେବେ କ୍ରମାଗତ ଭାବେ ବ୍ରାଉନ୍ ସୁଗାର ଜବତ ହେବା ଘଟଣା ସହରବାସୀଙ୍କୁ ଚିନ୍ତାରେ ପକାଇ ଦେଇଛି। ଗତକାଲି ଟାଉନ୍ ଥାନା ଅନ୍ତର୍ଗତ ପୋଷ୍ଟ ଅଫିସ୍ ନିକଟରେ ଧଳା ଜହର (ବ୍ରାଉନ୍‌ ସୁଗାର) ବିକ୍ରି ଚାଲିଥିବା ନେଇ ସୂଚନା ମିଳିବା ପରେ ପୋଲିସ୍ ସେଠାରେ ଚଢ଼ଉ କରିଥିଲା। ଉକ୍ତ ସ୍ଥାନରୁ ପୋଲିସ୍ ୨ ଜଣ ସ୍ଥାନୀୟ ଯୁବକଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ନିକଟରୁ ୨.୫ ଗ୍ରାମ୍ ଓଜନର ବ୍ରାଉନ୍ ସୁଗାର ଜବତ ହୋଇଥିଲା। ୧୦ଟି ପୁଡ଼ିଆରେ ୦.୨୫ ଗ୍ରାମ୍ ଲେଖାଏ ବ୍ରାଉନ୍ ସୁଗାର ରଖାଯାଇ ବିକ୍ରି କରିବାକୁ ଉଦ୍ୟମ ହୋଇଥିବା ଜଣାପଡ଼ିଥିଲା। ଏହି ଘଟଣାରେ ଟାଉନ୍ ଥାନା ପୋଲିସ୍ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରିବା ସହ ଛାନ୍‌ଭିନ୍ ଆରମ୍ଭ କରିଥିଲା। ଉକ୍ତ ବ୍ରାଉନ ସୁଗାର ଝାରସୁଗୁଡ଼ାରୁ ଆସିଥିବା ନେଇ ଜଣାପଡ଼ିବା ପରେ ଟାଉନ୍ ଥାନାଧିକାରୀ ପ୍ରକାଶ କର୍ଣ୍ଣଙ୍କ ନେତୃତ୍ବରେ ଏକ ଟିମ୍ ଗଠନ କରାଯାଇଥିଲା । ଉକ୍ତ ଟିମ୍ ଝାରସୁଗୁଡ଼ା ସହରରେ ଯାଇ ବିଭିନ୍ନ ସ୍ଥାନରେ ଚଢ଼ଉ କରିବା ପରେ ସେଠାରୁ ପୁଲିସ୍ ବିକ୍ରି ଉଦ୍ଦେଶ୍ୟରେ ରଖାଯାଇଥିବା ସାଢ଼େ ୬ ଗ୍ରାମ ଓଜନର ବ୍ରାଉନ୍ ସୁଗାର ପାଇଥିଲା। ଏହି ଘଟଣାରେ ପୁଲିସ୍ ଝାରସୁଗୁଡ଼ାର ୩ ଯୁବକଙ୍କୁ ଗିରଫ କରିଥିଲା ଓ ୨ ବାଇକ୍ ବି ଜବତ କରିଥିଲା। ପଚରାଉଚରା ପରେ ଉକ୍ତ ୩ ଡ୍ରଗ୍ଧ ପେଡ୍‌ଲର ରାଉରକେଲାରୁ ବ୍ରାଉନ୍ ସୁଗାର କିଣି ଆଣିଥିବା ଜଣାପଡ଼ିଥିଲା। ତେବେ ରାଉରକେଲାରେ ଯାଇ ଚଢ଼ଉ କରିବା ପାଇଁ ସମ୍ବଲପୁର ପୋଲିସ୍ ପୁଣି ଏକ ଟିମ୍ ଗଠନ କରିଥିବା ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି। ଅପରପକ୍ଷେ, ଜବତ ହୋଇଥିବା ଧଳା ଜହର (ବ୍ରାଉନ୍ ସୁଗାର) ର ମୂଲ୍ୟ ୬୦ ହଜାର ଟଙ୍କାରୁ ଉର୍ଦ୍ଧ ହେବ ବୋଲି ଜଣାପଡ଼ିଛି। ସେପଟେ, ଏହି ଘଟଣାରେ ଗିରଫ ହୋଇଥିବା ସମ୍ବଲପୁରର ୨ ଯୁବକଙ୍କ ମଧ୍ୟରେ ଜଣେ ନା ବାଳକ ଥିବା ଜଣାପଡିଛି।

Leave A Reply

Your email address will not be published.