ବିଜେଡି ସାଂସଦଙ୍କ କୋଭାକ୍ସିନ ଟୀକା ବିଷୟରେ ଜନବିରୋଧୀ ମନ୍ତବ୍ୟ ଦେବା ଦଣ୍ଡନୀୟ ଅପରାଧ: ଲେଖାଶ୍ରୀ

0 2

ଭୂବନେଶ୍ୱର: ସାଂସଦ ତଥା ବିଜେଡି ରାଷ୍ଟ୍ରୀୟ ମୁଖପାତ୍ର ଶ୍ରୀ ଅମର ପଟ୍ଟନାୟକ କୋଭାକ୍ସିନ ଟୀକାକୁ ନେଇ ଯେଉଁ ବିଭ୍ରାନ୍ତକାରୀ ମନ୍ତବ୍ୟ ଦେଇଛନ୍ତି, ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଶ୍ରୀ ପଟ୍ଟନାୟକଙ୍କ ମନ୍ତବ୍ୟ ସଂପୂର୍ଣ୍ଣ ମିଥ୍ୟା, ବିଭ୍ରାନ୍ତକାରୀ, ଦ୍ୱନ୍ଦ ସୃଷ୍ଟିକାରୀ ଏବଂ ଜନବିରୋଧୀ ଅଟେ ବୋଲି ରାଜ୍ୟ ସାଧାରଣ ସଂପାଦକ ଡ.ଲେଖାଶ୍ରୀ ସାମନ୍ତସିଂହାର ଅଭିଯୋଗ କରିଛନ୍ତି ।

ଭୟର ବାତାବରଣ ସୃଷ୍ଟି କରି ଲୋକମାନଙ୍କୁ ଟୀକା ନନେବା ପାଇଁ ଶ୍ରୀ ପଟ୍ଟନାୟକ ପରୋକ୍ଷରେ ଓଡିଶାବାସିଙ୍କୁ ପ୍ରବର୍ତାଉଛନ୍ତି । କେବଳ କୋଭିଡ୍ ଟୀକା ନେଇଥିଲେ ହିଁ ଜଣେ ବିଦେଶ ଯାତ୍ରା କରିପାରିବ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା ଭାରତବର୍ଷ କିମ୍ବା ଅନ୍ୟ କୈାଣସି ରାଷ୍ଟ୍ର ଏମିତି କୈାଣସି ସର୍ତ ରଖି ନାହିଁ । ଏପରି ସ୍ଥଳେ ଶ୍ରୀ ପଟ୍ଟନାୟକଙ୍କ ମନ୍ତବ୍ୟ ଅତ୍ୟନ୍ତ ଅବାନ୍ତର ଓ ଭିତିହୀନ ଅଟେ ବୋଲି ଡ.ସାମନ୍ତସିଂହାର କହିଛନ୍ତି ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ମାନ୍ୟତା ପାଇବା ଏକ ଭିନ୍ନ ପ୍ରସଙ୍ଗ । ଏଥିପାଇଁ ସଂପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୈାଶଳରେ ପ୍ରସ୍ତୁତ କୋଭାକ୍ସିନ ଟୀକା ପାଇଁ ପ୍ରକ୍ରିୟା ଜାରୀ ରହିଛି । ଏହି ସମୟରେ ଭାରତ ନିର୍ମିତ ଟୀକାକୁ ବଦନାମ କରିବା ଏକ ଦେଶ ଓ ଜନବିରୋଧୀ କାର୍ଯ୍ୟ ବୋଲି ଡ.ସାମନ୍ତସିଂହାର ଅଭିଯୋଗ କରିବା ସହ ସାଂସଦ ଶ୍ରୀ ପଟ୍ଟନାୟକ ଏଭଳି ଦାୟୀତ୍ୱହୀନ ଓ ଜନବିରୋଧୀ ମନ୍ତବ୍ୟ କାହିଁକି ଦେଲେ ବୋଲି ଡ.ସାମନ୍ତସିଂହାର ପ୍ରଶ୍ନ କରିଛନ୍ତି ।

କୋଭିଡ୍ ସଂକ୍ରମଣ ପରିଚାଳନାରେ ଶାସକ ଦଳର ବିଫଳତାକୁ ଲୁଚାଇବା ପାଇଁ ଏଭଳି ଜନବିରୋଧୀ ମନ୍ତବ୍ୟ ଦେଇଛନ୍ତି । ପୂର୍ବରୁ ନିଜ ଦୋଷ ଓ ଅପାରଗତାକୁ ଲୁଚାଇବା ପାଇଁ ଶାସକ ବିଜେଡି ନେତୃବୃନ୍ଦମାନେ ବିଭ୍ରାନ୍ତକାରୀ ମନ୍ତବ୍ୟ ଦେଉଥିଲେ । ବର୍ତମାନ ଜନବିରୋଧୀ ମନ୍ତବ୍ୟ ଦେବାକୁ ମଧ୍ୟ ପଛଘୁଂଛା ଦେଉନାହାନ୍ତି ବୋଲି ଡ.ସାମନ୍ତସିହାର କ୍ଷୋଭ ପ୍ରକାଶ କରି କହିଛନ୍ତି । 

ସାଂସଦ ଶ୍ରୀ ପଟ୍ଟନାୟକ ନିଜେ କୋଭିଡ୍ ଟୀକାର ୨ ଟି ଡୋଜ୍ ନେଇ ଘରେ ସୁରକ୍ଷିତ ଭାବେ ବସିଛନ୍ତି । ନିଜେ ସୁରକ୍ଷିତ ରହି ଅନ୍ୟକୁ ଭୟଭୀତ କରିବା ସହସେହି ଟୀକାକୁ ନେଇ ଏମିତି ରାଜନୀତି କରିବା ଏକ ଜନବିରୋଧୀ କାର୍ଯ୍ୟ ।ରାଜ୍ୟ ସରକାର ଟୀକାର ଅଭାବ ଦେଖାଇ କେନ୍ଦ୍ରକୁ ଦାୟୀ କରୁଥିବାବେଳେ ଶାସକ ବିଜେଡିର ସାଂସଦ ଏମିତି ବିଭ୍ରାନ୍ତକାରୀ ବୟାନବାଜୀ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକଅଟେ । ଏ ବିଷୟରେ ରାଜ୍ୟ ସରକାର ନିହାତି ସ୍ପଷ୍ଟୀକରଣ ଦେବାକୁ ଡ.ସାମନ୍ତସିଂହାର ଦାବୀ କରିଛନ୍ତି ।

ଜନବିରୋଧୀ କାର୍ଯ୍ୟକଳାପ ପାଇଁ ଶାସକ ବିଜେଡି ମୁଖିଆ ତାଙ୍କ ଦଳର ସଦସ୍ୟ ତଥା ବିଧାୟକଙ୍କୁ ଦଳରୁ ବହିଷ୍କାର କରିବା ସହ ଜେଲ ଦଣ୍ଡ ଦେବାର ଉଦାହରଣ ସୃଷ୍ଟି କରିଛନ୍ତି । ଶ୍ରୀ ପଟ୍ଟନାୟକଙ୍କ ଏଭଳି ଦେଶ ଓ ଜନବିରୋଧୀ ମନ୍ତବ୍ୟ ପାଇଁ ମଧ୍ୟ ଶାସକ ବିଜେଡି ମୁଖିଆ ତାଙ୍କୁ ଦଳରୁ ବହିଷ୍କାର କରିବା ସହ କଠୋର ଦଣ୍ଡ ପ୍ରଦାନ କରିବାକୁ ଡ.ସାମନ୍ତସିଂହାର ଦାବୀ କରିଛନ୍ତି ।

ବାସ୍ତବ ତଥ୍ୟ ନଜାଣି ନବୁଝି କେବଳ ରାଜନୀତି କଲେ, ଲୋକେ ତାକୁ ଆଦୈା ଗ୍ରହଣ କରିବେ ନାହିଁ ବୋଲି ଡ.ସାମନ୍ତସିଂହାର କହିଛନ୍ତି ।

Leave A Reply

Your email address will not be published.