ଝାରସୁଗୁଡ଼ା:(ସୁଭାଷ ସହାରେ) -“କେନ୍ଦ୍ର ସରକାରଙ୍କ ଦ୍ବାରା ପାରିତ ହୋଇଥିବା ତିନୋଟି କୃଷି ଆଇନ ଦେଶର ୬୨ କୋଟି କୃଷକଙ୍କ ଜୀବନ ଜୀବିକା ଓ କ୍ଷେତ ପାଇଁ ବିପଦ ସୃଷ୍ଟି କରୁଛି। ଏହାକୁ ବିରୋଧ କରି ଲକ୍ଷ ଲକ୍ଷ ଚାଷୀ ଦିଲ୍ଲୀ ସୀମାରେ ବସି ରହିଛନ୍ତି। ମାତ୍ର କେନ୍ଦ୍ର ସରକାର ଏମାନଙ୍କ କଥାକୁ କର୍ଣ୍ଣପାତ କରୁ ନାହାଁନ୍ତି। ଭୀଷଣ ଶୀତ କାକରରେ, ଥଣ୍ଡା, ବର୍ଷା ଓ କୁଆପଥର ବୃଷ୍ଟି ଯୋଗୁଁ ପ୍ରାୟ ୧୫୫ ଜଣ ଆନ୍ଦୋଳନକାରୀ ମୃତ୍ୟୁ ବରଣ କରି ସାରିଛନ୍ତି। କିନ୍ତୁ ମୋଦି ସରକାରକୁ କୌଣସି ଫରକ ପଡ଼ିନାହିଁ। ୧୨ ଥର ସରକାରଙ୍କ ମନ୍ତ୍ରୀ କୃଷକଙ୍କ ସହ ଆଲୋଚନା କରିଛନ୍ତି, ମାତ୍ର କୃଷକଙ୍କ ଦାବୀ ପ୍ରତି ସରକାର ଆଦୌ ଚିନ୍ତିତ ନୁହଁନ୍ତି।” ଏହି ସବୁ ଅଭିଯୋଗ ଆଣି ଆଜି ଝାରସୁଗୁଡ଼ା ଜିଲ୍ଲା ଯୁବ କଂଗ୍ରେସ ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛି। ଏହା ବ୍ୟତୀତ ଯୁବ କଂଗ୍ରେସ କ୍ରମାଗତ ଭାବରେ ଡିଜେଲ ଓ ପେଟ୍ରୋଲ ଦର ବଢ଼ୁଥିବା ଯୋଗୁଁ ବିଜେପି ସରକାରକୁ ଟାର୍ଗେଟ କରିଛି। ମୋଦି ସରକାରଙ୍କ ଛ ବର୍ଷର କାର୍ଯ୍ୟକାଳ ମଧ୍ୟରେ ସର୍ବାଧିକ ଥର ଓ ସର୍ବାଧିକ ପରିମାଣରେ ତୈଳ ଦର ବୃଦ୍ଧି ହୋଇଛି ବୋଲି ଯୁବ କଂଗ୍ରେସ ଅଭିଯୋଗ କରି ତୁରନ୍ତ ଏହି ତିନୋଟି ନୂତନ କୃଷକ ଆଇନକୁ ରଦ୍ଦ କରିବା ପାଇଁ ଓ ଡିଜେଲ ଓ ପେଟ୍ରୋଲ ଦର ବୃଦ୍ଧିକୁ ନିୟନ୍ତ୍ରଣ କରିବାକୁ କେନ୍ଦ୍ର ସରକାରଙ୍କ ସୁପାରିଶ କରିବାକୁ ରାଜ୍ୟପାଳଙ୍କ ନିକଟରେ ଦାବି କରିଛି।
Sign in
Sign in
Recover your password.
A password will be e-mailed to you.