ଲିପୁନ୍‌ ନିଖୋଜ ଘଟଣାକୁ ୬ ମାସ ପୂରିଲା, ପୁଲିସ୍‌ ହାତ ଖାଲି, ପରିବାର ହତାଶ

0

(ରେଢାଖୋଲ ସ୍ୱତନ୍ତ୍ର ଉପଖଣ୍ଡ ପ୍ରତିନିଧି ଶ୍ରୀୟାସ୍ମିତା ସାମଲ )ଯୁଯୁମୁରା: ସମ୍ବଲପୁର ଜିିଲ୍ଲା ଯୁଯୁମୁରା ଥାନା କୟାକୁଦ ପଞ୍ଚାୟତ ଗଇଲଗୁଡି ଗାଁରେ ଗତ ଜୁନ୍‌ ମାସ ୧୯ ତାରିଖ ଅପରାହ୍ନରେ ଭ୍ରମର ଶବରଙ୍କ ୨ ବର୍ଷର ପୁଅ ଲିପୁନ ନିଖୋଜ ହେବା ଘଟଣାକୁ ଇତି ମଧ୍ୟରେ ୬ ମାସ ପୂରିଛି। ହେଲେ ଏଯାଏ ନିଖୋଜ ଲିପୁନ୍‌ର କୌଣସି ପତ୍ତା ମିଳିନି। ତାକୁ କିଏ ଅପହରଣ କଲା ନା’ ‌ତା’ ସହ ଆଉ କିଛି ଅଘଟଣ ଘଟିଲା ସେ ସମ୍ପର୍କରେ ମଧ୍ୟ ପୁଲିସ୍‌ ଟେର ପାଇ ପାରି ନାହିଁ। ଅପରପ‌କ୍ଷେ, ଲିପୁନ୍‌ ନିଖୋଜ ହେବା ପରଠାରୁ ଅଞ୍ଚଳର ଲୋକଙ୍କ ମନରେ ଉଠିଥିବା ଅନେକ ପ୍ରଶ୍ନ ଏବେ ବି ଅସମାହିତ ହୋଇ ରହିଯାଇଛି।

ବହୁ ଖୋଜାଖୋଜି ପରେ ଲିପୁନ୍‌କୁ ଠାବ କରିପାରି ନଥିବା ପୁଲିସ୍‌ ପକ୍ଷରୁ ଚେଷ୍ଟା ଜାରି ରହିଥିବା କହା ଯାଉଛି। ଜୁନ୍‌ ମାସ ୧୯ ତାରିଖ ଅପରାହ୍‌ଣରେ ଆଉ ଜଣେ ଶିଶୁ ସହ ଲିପୁନ୍‌ ଘର ନିକଟ ଗାଁ ଦାଣ୍ଡରେ ଖେଳୁଥିଲା। ସନ୍ଧ୍ୟା ସୁଦ୍ଧା ଅନ୍ୟ ଶିଶୁଟି ଘରେ ପହଞ୍ଚି ଥିବାବେଳେ ଲିପୁନର ପତ୍ତା ମିଳି ନଥିଲା। ଏହା ପରଠୁ ଲିପୁନକୁ ଆଉ କେହି ଦେଖି ନାହାନ୍ତି କି ତା’ ସମ୍ପର୍କରେ କାହା ନିକଟରେ ବି କିଛି ସୂଚନା ନାହିଁ। ଶିଶୁଟି ନିଖୋଜ ହେବା ସମ୍ପର୍କରେ ଜାଣିବା ପରେ ଯୁଯୁମୁରା ପୁଲିସ ସେହି ରାତିରୁ ନେଇ ଲଗାତାର ୩ ଦିନ ଯାଏ ଆଖପାଖ ଅଞ୍ଚଳରେ ଖୋଜାଖୋଜି କରିଥିଲା। ଯୁଯୁମୁରା ଅଗ୍ନିଶମ ଦଳ ବି ଦୁଇ ଦିନ ଖୋଜିଖୋଜି ନିରାଶ ହୋଇଥିଲା। ଗାଁକୁ ଲାଗି ଜଙ୍ଗଲ ଥିବାରୁ ନାନା ପ୍ରକାର ଆଶଙ୍କା କରା ଯାଉଥିଲା। ସନ୍ଦେହରେ ନିକଟରେ ଥିବା କୂଅରେ ୨ଟି ମଟର ପମ୍ପ ଲଗାଇ ପାଣି ନିଷ୍କାସନ କରା ଯାଇଥିଲା। କିନ୍ତୁ କିଛି ମିଳି ନ ଥିଲା।

ନିଖୋଜ ହେବାର ୪୮ ଘଣ୍ଟା ପରେ ଶିଶୁଟିର ବାପା ଥାନାରେ ନିଖୋଜ ସମ୍ପର୍କରେ ଲିଖିତ ଏତଲା ଦେଇଥିଲେ। ବର୍ତ୍ତମାନ ସାରା ରାଜ୍ୟରେ ଶିଶୁ ମାନେ ନିଖୋଜ ହେବା ଘଟଣା ଚର୍ଚ୍ଚାର ପ୍ରସଂଗ ପାଲଟିଥିବା ବେଳେ ନିରୀହ ଲିପୁନ୍‌ ତା’ ମା’ କୋଳକୁ ଆଉ ଫେରିବ କି ନା’ ସେ ପ୍ରଶ୍ନର ଉତ୍ତର କାହାରି ପାଖରେ ନାହିଁ।

Leave A Reply

Your email address will not be published.