ବଲାଙ୍ଗୀର/ନିରୋଜ ମିଶ୍ର : କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଥିଲେ ବଲାଙ୍ଗୀର ମାଟିର ସୁପୁତ୍ର ମେଡିସିନ ପ୍ରଫେସର ଡା. ଶ୍ରୀମନ୍ତ ସାହୁ। ଦ୍ୱାରକା ସ୍ଥିତ ମନିପାଲ ହସପିଟାଲରେ ଭର୍ତ୍ତି ହୋଇ ସେ ଚିକିତ୍ସାଧୀନ ଥିଲେ। ବୁଧବାର ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସ୍ୱର୍ଗତ ଡା. ସାହୁ ଦିଲ୍ଲୀ ରାମମୋହନ ମେଡିକାଲ କଲେଜରେ ମେଡିସିନ ପ୍ରଫେସର (ଯକୃତ ସମ୍ବନ୍ଧୀୟ ରୋଗ ବିଶେଷଜ୍ଞ) ଭାବେ କାର୍ଯ୍ୟରତ ଥିଲେ। ଗତ ୫ ତାରିଖ କୋଭିଡ ପଜିଟିଭ ଚିହ୍ନଟ ହେବା ପରେ ୭ ତାରିଖ ଦିନ ଦ୍ୱାରକାସ୍ଥିତ ମନିପାଲ ହସପିଟାଲରେ ଭର୍ତ୍ତି ହୋଇଥିଲେ। ଶରୀରରେ ଅକ୍ସିଜେନ ସ୍ତର ଖସିଯିବାରୁ ତାଙ୍କୁ ଆଇସିୟୁକୁ ସ୍ଥାନାନ୍ତର କରାଯାଇଥିଲା ।ଗତ ୧୮ ତାରିଖ ଅବସ୍ଥା ସଂକଟାପନ୍ନ ହେବାରୁ ଯାନ୍ତ୍ରିକ ଫୁସଫୁସ ରୋପଣ କରାଯାଇଥିଲା। ଅକ୍ସିଜେନ ମାତ୍ରା ବଢ଼ାଇବାକୁ ଡାକ୍ତରମାନେ ଉଦ୍ୟମ କରିଥିଲେ। କିନ୍ତୁ ୩୦ ଘଣ୍ଟା ପରେ ମସ୍ତିଷ୍କରେ ରକ୍ତସ୍ରାବ ହେବାରୁ ଧୀରେ ଧୀରେ ତାଙ୍କର ମସ୍ତିଷ୍କ ମଧ୍ୟ କାମ କରିପାରିନଥିଲା। ସେ କୋମାକୁ ଚାଲିଯାଇଥିଲେ। ବୁଧବାର ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ବିଭିନ୍ନ ମହଲରେ ଶୋକବ୍ୟକ୍ତ କରାଯାଇଛି। ବଲାଙ୍ଗୀର ରାଜେନ୍ଦ୍ର କଲେଜ ଛକରେ ଡା. ଶ୍ରୀମନ୍ତ ସାହୁଙ୍କ ଘର । ସେ ରାଜେନ୍ଦ୍ର କଲେଜରେ ପାଠପଢ଼ିବା ପରେ ବୁର୍ଲା ଭିଏସ୍ଏସ୍ ମେଡିକାଲ କଲେଜ, କଟକ ଏସ୍ସିବି ମେଡିକାଲ କଲେଜରେ ପଢ଼ିଥିଲେ। ଗତ ଦୁଇ ବର୍ଷ ତଳେ ସେ ପିଜିଆଇ ଚଣ୍ଡୀଗଡ଼ରୁ ଯକୃତ ରୋଗ ବିଶେଷଜ୍ଞ ପାଠ୍ୟକ୍ରମରେ ଉତ୍ତୀର୍ଣ୍ଣ ହୋଇ ମେଡିସିନ ପ୍ରଫେସର ଭାବରେ ଦିଲ୍ଲୀ ରାମମୋହନ ହସପିଟାଲରେ ଯୋଗଦେଇଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post